କିଙ୍ଗ୍‌ ଚାର୍ଲସ ହେଲେ ବ୍ରିଟେନର ନୂଆ ରାଜା

ରାଜ୍ୟାଭିଷେକ ସଂପନ୍ନ, ବ୍ରିଟେନରେ ନୂଆ ଯୁଗ ଆରମ୍ଭ

ଲଣ୍ଡନ: ଇଂଲଣ୍ଡର ୱେଷ୍ଟମିନଷ୍ଟର ଆବେରେ ଆଜି କିଙ୍ଗ୍ ଚାର୍ଲସ-୩ୟଙ୍କ ରାଜ୍ୟାଭିଷେକ ସମ୍ପନ୍ନ ହୋଇଛି। ୭ ଦଶନ୍ଧି ଭିତରେ ଏହା ଥିଲା ଦେଶର ସବୁଠାରୁ ବଡ଼ ଉତ୍ସବ। ଏକବିଂଶ ଶତାବ୍ଦୀ ବ୍ରିଟେନରେ ଆଜି ୧୦୦୦ ବର୍ଷର ପରମ୍ପରା ପାଳିତ ହୋଇଛି। ୧୯୫୩ ମସିହା ପରେ ଏହା ହେଉଛି ଇଂଲଣ୍ଡରେ ପ୍ରଥମ ରାଜ୍ୟାଭିଷେକ ଏବଂ ୧୯୩୭ ପରେ ଜଣେ ରାଜାଙ୍କର ପ୍ରଥମ ରାଜ୍ୟାଭିଷେକ। ଏହା ମଧ୍ୟ ଟିଭିରେ ପ୍ରସାରିତ ହୋଇଥିବା ଦ୍ବିତୀୟ ଓ ରଙ୍ଗୀନ ଟିଭିରେ ପ୍ରସାରିତ ହୋଇଥିବା ପ୍ରଥମ କାର୍ଯ୍ୟକ୍ରମ।

ଇଂଲଣ୍ଡ ତଥା ୧୪ଟି ରାଜ୍ୟଗୋଷ୍ଠୀ ଦେଶର ରାଜା ତଥା ନିଜ ମାଆ ରାଣୀ ଏଲିଜାବେଥ୍-୨ୟଙ୍କ ଉତ୍ତରାଧିକାରୀ ଭାବେ ୭୪ ବର୍ଷୀୟ କିଙ୍ଗ୍ ଚାର୍ଲସଙ୍କର ଆଜି ରାଜ୍ୟାଭିଷେକ ହୋଇଥିଲା। ଏହା ସହିତ ରାଣୀ କାମିଲା ମଧ୍ୟ ମୁକୁଟ ପରିଧାନ କରିଥିଲେ। ୨,୩୦୦ ଅତିଥିଙ୍କ ସମାବେଶରେ ବାଦ୍ୟଯନ୍ତ୍ର ସହ ‘ଗଡ୍ ସେଭ୍ ଦ କିଙ୍ଗ୍’ ଧ୍ବନି ଗୁଞ୍ଜରିତ ହୋଇଥିଲା। ଚର୍ଚ୍ଚଗୁଡ଼ିକରେ ଘଣ୍ଟି ବାଜିବା ସହ ରାଜାଙ୍କୁ ଆନୁଷ୍ଠାନିକ ତୋପ ସଲାମି ଦିଆଯାଇଥିଲା। ବିଭିନ୍ନ ପ୍ରକାର ପାରମ୍ପରିକ ଅନୁଷ୍ଠାନ ସମ୍ପାଦିତ ହୋଇଥିଲା। ରାଜ୍ୟାଭିଷେକ ସମାରୋହରେ ପ୍ରଥମ ଥର ପାଇଁ ମହିଳା ବିଶପମାନେ ଭାଗ ନେଇଥିଲେ। ବ୍ରିଟେନର ଅଣ-ଖ୍ରୀଷ୍ଟିଆନ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଗସ୍ପେଲ ଅଫ୍ କଏର (କୋରସ) ଗାନ କରାଯାଇଥିଲା ଏବଂ ରାଜା ଚାର୍ଲସଙ୍କ ସ୍ବର୍ଗତ ପିତା ପ୍ରିନ୍ସ ଫିଲିପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଏକ ଗ୍ରୀକ୍ କୋରସ ବି ଗାନ କରାଯାଇଥିଲା।
ଜୈବବିବିଧତା ଓ ସ୍ଥାୟିତ୍ବ ଉପରେ ଚାର୍ଲସଙ୍କର ଜୀବନବ୍ୟାପୀ ଆଗ୍ରହ ରହିଥିବାରୁ ଏହା ତାଙ୍କ ରାଜ୍ୟାଭିଷେକ ଥିମ୍‌ରେ ପ୍ରତିଫଳିତ ହୋଇଥିଲା। ପୂର୍ବରୁ ବ୍ୟବହୃତ ରାଜ୍ୟାଭିଷେକ ପୋଷାକକୁ ପୁନଶ୍ଚ ବ୍ୟବହାର କରାଯାଇଥିଲା ଏବଂ ରାଜ୍ୟାଭିଷେକ ସମୟରେ ଯେଉଁ ତୈଳ ବ୍ୟବହାର କରାଯାଇଥିଲା ତାହା ଥିଲା ଭିଗନ (ଅଣ-ପ୍ରାଣିଜ)। ପ୍ରଧାନମନ୍ତ୍ରୀ ଋଷି ସୁନକ ବାଇବେଲ ପାଠ କରିଥିଲେ ଏବଂ ଉକ୍ତ ରାଜ୍ୟାଭିଷେକକୁ ତାଙ୍କ ଇତିହାସ, ସଂସ୍କୃତି ଓ ପରମ୍ପରାର ଗର୍ବିତ ପରିପ୍ରକାଶ ବୋଲି କହିଥିଲେ।

ରାଜ୍ୟାଭିଷେକ ପୂର୍ବରୁ ରାଜତନ୍ତ୍ର ବିରୋଧୀ ଗୋଷ୍ଠୀର ଶତାଧିକ ପ୍ରତିବାଦକାରୀଙ୍କୁ ପୁଲିସ ଗିରଫ କରିଥିଲା। କାରଣ ସେମାନେ ରାଜ୍ୟାଭିଷେକ ବିରୋଧରେ ଏକ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ଗିରଫଦାରୀକୁ ବିଭିନ୍ନ ସାମାଜିକ ସଂଗଠନ କଡ଼ା ନିନ୍ଦା କରିବା ସହ ଅତ୍ୟାଚାରୀ ମାନସିକତା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର