ଅନୁଗୁଳ କଲେଜରେ ପଢ଼ାଯିବ ‘ଆଇନ୍‌’ ପାଠ

ଅନୁଗୁଳ : ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର। ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍‌’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି। କୌଣସି ବି ବିଦ୍ୟାର୍ଥୀ ପାଇଁ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ୍ ଲ’ କରିବା ପାଇଁ ଏଠି ସୁବିଧା ଉପଲବ୍ଧ ହେବାକୁ ଯାଉଛି। ସେଥିପାଇଁ ଅନୁଗୁଳ କଲେଜକୁ ଶିକ୍ଷା ବିଭାଗ ଅନୁମତି ଦେଇ ସାରିଥିବା ବେଳେ ଖୁବ୍‌ଶୀଘ୍ର କେମିତି ଏହି ନୂତନ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ ହେବ।

ସୂଚନା ମୁତାବକ, ପୂରା ପାଠ୍ୟକ୍ରମ ହେବ ପାଞ୍ଚ ବର୍ଷିଆ। ଯୁକ୍ତ ଦୁଇ ପାସ୍‌ ପରେ କୌଣସି ବିଦ୍ୟାର୍ଥୀ ଯଦି ଚାହିଁବେ ଆଇନ୍‌ ସ୍ନାତକୋତ୍ତର ହାସଲ କରିବା ପାଇଁ ତେବେ ଏହି ବିଷୟରେ ନାମ ଲେଖାଇ ପାରିବେ। ୨୦୨୩-୨୪ଶିକ୍ଷାବର୍ଷରୁ କଲେଜରେ ନାମଲେଖା ପାଇଁ ଶିକ୍ଷା ବିଭାଗ କଲେଜକୁ ଅନୁମତି ଦେଇ ସାରିଥିବା ବେଳେ ଏହି ପାଠ୍ୟକ୍ରମରେ ସର୍ବାଧିକ ୬୪ଜଣଙ୍କ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ଏହି ପାଠ୍ୟକ୍ରମ ସେଲ୍‌ଫ ଫାଇନାନ୍ସସିଂ ମୋଡ୍‌ରେ ହେବାକୁ ନିଷ୍ପତ୍ତି ହୋଇଛି।

କେବଳ ଆଇନ୍‌ ପାଠ୍ୟକ୍ରମ ନୁହେଁ, ତା’ ସହିତ ଅନ୍ୟ ତିନୋଟି ପିଜି ବିଭାଗ ଖୋଲିବାକୁ ବି ସରକାରୀ ମଞ୍ଜୁରୀ ମିଳିଛି। ବିଏସ୍‌ସି(ଆଇଟି) ପାଠ୍ୟକ୍ରମ ପାଇଁ ଏଥର ଅନୁମତି ମିଳିଥିବା ବେଳେ ଏମ୍‌ସିଏ, ଏଗ୍ରିକଲ୍‌ଚର ଏମ୍‌ବିଏ ବିଭାଗ ବି ଖୋଲିବାକୁ ଯାଉଛି। ଲ’ ବିଭାଗରେ ୬୪ଟି ସିଟ୍‌କୁ ଅନୁମୋଦନ ମିଳିଥିବା ବେଳେ ଅନ୍ୟ ତିନୋଟି ପିଜି ପାଇଁ ୯୬ଟି ଲେଖାଏ ସିଟ୍‌ର ବ୍ୟବସ୍ଥା ହୋଇଛି ବୋଲି ଅନୁଗୁଳ କଲେଜର ଅଧ୍ୟକ୍ଷ ଡ. ଗଙ୍ଗାଧର କର ପ୍ରକାଶ କରିଛନ୍ତି। ଚଳିତ ୨୦୨୩-୨୪ଶିକ୍ଷାବର୍ଷରୁ ସବୁ ପାଠ୍ୟକ୍ରମରେ ନାମଲେଖା ଆରମ୍ଭ କରିବା ପାଇଁ ସରକାର ଯଦିଓ ଅନୁମତି ଦେଇଛନ୍ତି, ତଥାପି ନାମଲେଖା ପୂର୍ବରୁ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆବଶ୍ୟକତା ଉପରେ ଧ୍ୟାନ ଦିଆଯାଉଛି। ସବୁ ଠିକ୍‌ଠାକ୍‌ ହୋଇଗଲା ପରେ ନାମଲେଖା ଆରମ୍ଭ ହେବ ବୋଲି ଡ. କର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର