ମନ୍‌ପ୍ରୀତଙ୍କ ଯୁଗଳରେ ଭାରତ ବିଜୟୀ

ଭୁବନେଶ୍ବର: ଅଧିନାୟକ ମନ୍‌ପ୍ରୀତ ସିଂହଙ୍କ ଯୁଗଳ ଗୋଲ୍‌ ବଳରେ ଭାରତ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଚାଲିଥିବା ପୁରୁଷ ଏଫ୍‌ଆଇଏଚ୍‌ ସରିଜ୍‌ ଫାଇନାଲ୍ସ‌ରେ କ୍ରମାଗତ ଦ୍ବିତୀୟ ବିଜୟ ପାଇଛି। ଗ୍ରୁପ୍‌-ଏରେ ସ୍ଥାନ ପାଇଥିବା ବିଶ୍ବର ପଞ୍ଚମ ମାନ୍ୟତାପ୍ରାପ୍ତ ଭାରତ ଗୁରୁବାର ତା’ର ପ୍ରଥମ ମ୍ୟାଚ୍‌ରେ ରୁଷିଆକୁ ୧୦-୦ ଗୋଲ୍‌ରେ ପରାସ୍ତ କରିଥିଲା ବେଳେ ଶୁକ୍ରବାର ଦ୍ବିତୀୟ ମ୍ୟାଚ୍‌ରେ ୨୧ତମ ମାନ୍ୟତାପ୍ରାପ୍ତ ପୋଲାଣ୍ଡକୁ ୩-୧ ଗୋଲ୍‌ରେ ମାତ୍‌ ଦେଇଛି। ଏଥି ସହିତ ଭାରତ ୨ ମ୍ୟାଚ୍‌ରୁ ୨ ବିଜୟ ପାଇ ୬ ପଏଣ୍ଟ୍‌ ସହ ଗ୍ରୁପ୍‌-ଏ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି। ପୋଲାଣ୍ଡ ଓ ରୁଷିଆ ୩ ପଏଣ୍ଟ୍‌ ଲେଖାଏ ପାଇ ଦ୍ବିତୀୟ ଓ ତୃତୀୟ ଏବଂ ଉଜ୍‌ବେକିସ୍ତାନ ଶେଷ ସ୍ଥାନରେ ରହିଛି।

ଶୁକ୍ରବାର ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟ କ୍ବାର୍ଟର୍‌‌ରେ ଅଧିନାୟକ ମନ୍‌ପ୍ରୀତ ୨୧ତମ ମିନିଟ୍‌ରେ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତକୁ ଅଗ୍ରଣୀ ଦେଇଥିଲେ। ଏହା ପରେ ପରେ ଭାରତ ଦୁଇଟି ପେନାଲ୍‌ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିଥିଲା। ହେଲେ ହଲାଣ୍ଡର ମାତ୍ୟୁଜ ହୁଲବୋଜ ୨୫ତମ ମିନିଟ୍‌ରେ ଏହି ଗୋଲ୍‌ଟିକୁ ଶୁଝି ସ୍ଥିତି ବରାବର କରି ଦେଇଥିଲେ। ଏହାର ୧ ମିନିଟ୍‌ ପରେ ସିମ୍ରନଜିତ୍‌ ସିଂହଙ୍କ ଏକ ସୁନ୍ଦର ପାସ୍‌କୁ ମନ୍‌ପ୍ରୀତ (୨୬ ମିନିଟ୍‌) ପୋଲାଣ୍ଡ ଗୋଲ୍‌ପୋଷ୍ଟ୍‌କୁ ପଠାଇ ବ୍ୟକ୍ତିଗତ ଭାବେ ଯୁଗଳ ସଫଳତା ପାଇଥିଲେ। ତାଙ୍କର ଏହି ଗୋଲ୍‌ ବଳରେ ଭାରତ ପୁଣି‌ ଥରେ ଅଗ୍ରଣୀ ନେଇଥିଲା। ପ୍ରଥମାର୍ଧ ୨-୧ରେ ଶେଷ ହୋଇଥିଲା। ଦ୍ବିତୀୟାର୍ଧରେ ଭାରତକୁ ୩୬ତମ ମିନିଟ୍‌ରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ହରମନ୍‌ପ୍ରୀତ ଗୋଲ୍‌ରେ ପରିଣତ କରି ଦଳକୁ ୩-୧ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟର୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବାରୁ ଭାରତ ୩-୧ ବ୍ୟବଧାନରେ ବିଜୟୀ ହୋଇଥିଲା। ମନ୍‌ପ୍ରୀତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର