ମାଲକାନଗିରିରୁ ପୁଣି ୫୦୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି : ମାଲକାନଗିରିରୁ ଛତିଶଗଡ଼କୁ ଏକ ଟ୍ରକ୍‌ ଯୋଗେ ଚାଲାଣ ହେଉଥିବା ୫ଶହ କିଲୋ ଗଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ମାଲକାନଗିରି ପୁଲିସ ୨ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଆଜି ସକା‌ଳେ ଏକ ଟ୍ରକ୍ ଯୋଗେ ମାଲକାନଗିରିରୁ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ସ୍ଥାନୀୟ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ପରେ ଗଞ୍ଜେଇ ଜବତ କରିବା ପାଇଁ ପୁଲିସର ଏକ ଟିମ୍ ଶିଖପାଲୀ ନିକଟରେ ଜଗି ରହିଥିଲା। ଅଳ୍ପ ସମୟ ପରେ ଏକ ଟାଟା ୪୦୭ ଟ୍ରକ ଶିଖିପାଲୀ ନିକଟରେ ପହଞ୍ଚିବା ମାତ୍ରେ ପୁଲିସ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଭିତରେ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲା। ପୁଲିସ ସମସ୍ତ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣକାରୀ କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୨୩ ଗ୍ରାମର ମନୋଜ କୁମାର ପଟ୍ଟନାୟକ(୨୩) ଓ ଏମପିଭି-୨୯ ଗ୍ରାମର ମୋତିଲାଲ ମଣ୍ଡଳ(୪୫)ଙ୍କୁ ଗିରଫ କରିଥିଲା। ପରେ ଜବତ ହୋଇଥିବା ଗଞ୍ଜେଇକୁ ଓଜନ କରାଯିବା ପରେ ଏହା ୫ଶହ କିଲୋ ବୋଲି ଜଣାପଡିଥିଲା।

ମ‌ାଲକାନଗିରି ପୁଲିସ ୨୦୧୮ ମସିହାରେ ୧୦୨ଟି ଗଞ୍ଜେଇ ମାମଲା ରୁଜୁ କରିଥିବା ବେଳେ ୧୭ହଜାର ୧୧୬କିଲୋ ଗଞ୍ଜେଇ ଜବତ କରିଛି। ସେହିପରି ୧୭୯ଜଣଙ୍କୁ ଗିରଫ କରାଯାଇଛି। ସେହିପରି ଚଳିତ ବର୍ଷ ବର୍ତମାନ ସୁଦ୍ଧା ୪୫ଟି ମାମଲା ରୁଜୁ ହୋଇଥିବା ବେଳେ ୯ହଜାର ୧୨୧କିଲୋ ଗଞ୍ଜେଇ ଓ ୨୭ଟି ଗାଡ଼ି ଜବତ କରାଯାଇଛି। ୭୯ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୭୯ଜଣଙ୍କ ମଧ୍ୟରୁ ୩୮ଜଣ ବାହାର ରାଜ୍ୟର ଅଟନ୍ତି। ଗଞ୍ଜେଇ ଚୋରାଚାଲାଣ ରୋକିବାରେ ମାଲକାନଗିରି ପୁଲିସ ଲଗାତାର ଭାବେ ସଫଳ ହୋଇଥିବା ବେଳେ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଏସପି ଜଗମୋହନ ମୀନା କହିଛନ୍ତି।

ସମ୍ବନ୍ଧିତ ଖବର