ସେନା ପୋଷାକରେ ଧୋନି କାହିଁକି ଗ୍ରହଣ କଲେ ‘ପଦ୍ମଭୂଷଣ’ ଉପାଧି ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍‌ ଜିତିବାର ଠିକ୍‌ ୭ ବର୍ଷ ପରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗତ ସୋମବାର ଦେଶର ତୃତୀୟ ସର୍ବୋଚ୍ଚ ବେସମାରିକ ସମ୍ମାନ ‘ପଦ୍ମଭୂଷଣ’ ଉପାଧିରେ ସମ୍ମାନୀତ ହୋଇଛନ୍ତି। ଧୋନି ଏହି ଅବସରରେ ସେନା ପୋଷାକରେ ଥିଲେ। ଯାହା ସମସ୍ତଙ୍କୁ ଆକର୍ଷିତ କରିବା ସହିତ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା କି ଉପାଧି ଗ୍ରହଣ କରିବା ସମୟରେ ଧୋନି କାହିଁକି ସେନା ବେଶରେ ଥିଲେ। କେବଳ ଏତିକି ନୁହେଁ ସେ ଯବାନଙ୍କ ଶୈଳୀରେ ମାର୍ଚ୍ଚ ଫାଷ୍ଟ କରି ମଧ୍ୟ ଆସିଥିଲେ।

ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ, ଭାରତୀୟ ଆଞ୍ଚଳିକ ସେନା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଭାରତର ୨୦୧୧ ବିଶ୍ୱକପ୍‌ ବିଜୟ ପରେ ଅବୈତନିକ କର୍ନେଲ ପଦବୀ ପ୍ରଦାନ କରିଥିଲା। ୩୭ ବର୍ଷୀୟ ଧୋନି ପୂର୍ବତନ ବିଶ୍ୱ ବିଜୟୀ ଅଧିନାୟକ କପିଳ ଦେବଙ୍କ ପରେ ଦ୍ୱିତୀୟ ଭାରତୀୟ କ୍ରିକେଟର ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଧୋନି ୨୦୦୭ରେ ରାଜୀବ ଗାନ୍ଧୀ ଖେଳରତ୍ନ ଏବଂ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାର ପାଇ ସାରିଛନ୍ତି।

ଧୋନିଙ୍କୁ ପଦ୍ମଭୂଷଣ ଉପାଧିରେ ସମ୍ମାନୀତ ହେବା ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବିଷୟରେ ପୋଷ୍ଟ କରି ଲେଖିଛନ୍ତି, ପଦ୍ମଭୂଷଣ ଉପାଧିରେ ସମ୍ମାନୀତ ଏକ ବଡ଼ କଥା। ଏହାକୁ ଯଦି ସେନା ପୋଷାକରେ ଗ୍ରହଣ କରାଯାଏ ତେବେ ଏହି ଖୁସି ଦଶଗୁଣା ଅଧିକ ହୋଇଯିବ ନିଶ୍ଚୟ। ଏହି ଅବସରରେ ଧୋନି ଯବାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି। ସେନା ପୋଷାକ ପିନ୍ଧି ଯବାନମାନେ ନିଜ ପରିବାରଠାରୁ ଅଲଗା ରହି ଦେଶର ସୁରକ୍ଷା କରୁଛନ୍ତି। ସେମାନଙ୍କ ପାଇଁ ହିଁ ଆମେ ଏଠାରେ ଖୁସିରେ ରହି ପାରୁଛୁ।

ସମ୍ବନ୍ଧିତ ଖବର