ପାକିସ୍ତାନର ଏକତରଫା ବିଜୟ

ହଂକଂର ଆତ୍ମସମର୍ପଣ

ଦୁବାଇ: ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ରବିବାର ପାକିସ୍ତାନ ୮ ଓ୍ଵିକେଟ୍‌ରେ ହଂକଂକୁ ପରାସ୍ତ କରିଛି। ଓଡ଼ିଆ ତାରକା ଅଂଶୁମାନ ରଥଙ୍କ ନେତୃତ୍ୱରେ ଖେଳୁଥିବା ନବାଗତ ହଂକଂ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ପାକିସ୍ତାନୀ ବୋଲରଙ୍କ ସମ୍ମୁଖୀନ ହୋଇ ନପାରି ୩୭.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୧୬ ରନ୍‌ କରିଥିଲା। ଏଜାଜ ଖାନ୍‌ ସର୍ବାଧିକ ୨୭ ରନ୍‌ କରିଥିବା ବେଳେ ପାଳି ଆରମ୍ଭ କରିଥିବା ଅଂଶୁମାନ ମାତ୍ର ୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୩୪ ବଲ୍‌ ଖେଳି ସେ ଅବଶ୍ୟ ତିନିଟି ଚୌକା ମାରିଥିଲେ। ପାକିସ୍ତାନ ପକ୍ଷରୁ ଉସ୍‌ମାନ ଖାନ୍‌ ସର୍ବାଧିକ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ହାସନ ଅଲ୍ଲୀ ଓ ସଦାବ ଖାନ୍‌ଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା। ଏହାର ଜବାବରେ ପାକିସ୍ତାନ ଇମାମ-ଉଲ୍‌-ହକ୍‌ (୫୦*)ଙ୍କ ଅପରାଜିତ ଅର୍ଧଶତକ ବଳରେ ୨୩.୪ ଓଭରରେ ୧୨୦ ରନ୍‌ କରି ସହଜ ବିଜୟ ହାସଲ କରିଥିଲା। ଫକର ଜମନ ୨୪ ଏବଂ ବାବର ଆଜମ ୩୩ ରନ୍‌ କରିଥିଲେ। ସୋଏବ ମଲ୍ଲିକ ଶେଷ ପର୍ଯ୍ୟନ୍ତ ୯ ରନ୍‌ରେ ଅପରାଜିତ ରହିଥିଲେ। ସେ ହିଁ ଚୌକା ମାରି ପାକିସ୍ତାନ ବିଜୟର ମୁଣ୍ଡି ମାରିଥିଲେ। ହଂକଂ ପକ୍ଷରୁ ଦୁଇଟି ଯାକ ଓ୍ଵିକେଟ୍‌ ଏହସାନ ଖାନ୍‌ କରାୟତ କରିଥିଲେ। ଉସ୍‌ମାନ (୭.୧-୧-୧୯-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୬ ରାଷ୍ଟ୍ରୀୟ ପ୍ରତିଯୋଗିତାର ସୋମବାର ତୃତୀୟ ମୁକାବିଲାରେ ଆଫଗାନିସ୍ତାନକୁ ଶ୍ରୀଲଙ୍କା ଭେଟିବ।

ସଂକ୍ଷିପ୍ତ ସ୍କୋର: ହଂକଂ ୩୭.୧ ଓଭରରେ ୧୧୬ (ଏଜାଜ ଖାନ୍‌ ୨୭, କିଞ୍ଚିତ ସାହା ୨୬, ଅଂଶୁମାନ ରଥ ୧୯, ଉସ୍‌ମାନ ଖାନ୍‌ ୩/୧୯, ହାସନ ଅଲ୍ଲୀ ୨/୧୯, ସଦାବ ଖାନ୍‌ ୨/୨୧)। ପାକିସ୍ତାନ ୨୩.୪ ଓଭରରେ ୧୨୦/୨ (ଇମାମ-ଉଲ୍‌-ହକ୍‌ ୫୦, ବାବର ଆଜମ ୩୩, ଫକର ଜମନ ୨୪, ଏହସାନ ଖାନ୍‌ ୨/୩୪)।

ସମ୍ବନ୍ଧିତ ଖବର