ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ଟ୍ରାଏଥଲନ୍‌ ଶିବିରରେ ପ୍ରଣବ

ଜାତୀୟ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଓଡ଼ିଆ

କଟକ: ଜାତୀୟ ଟ୍ରାଏଥଲନ୍‌ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଛନ୍ତି ଯାଜପୁରର ଯୁବ କ୍ରୀଡ଼ାବିତ୍‌ ପ୍ରଣବ ଦାସ। ଚେନ୍ନାଇରେ ଗତ ମାସ ୨୫ ତାରିଖରେ ଶେଷ ହୋଇଥିବା ଏହି ପ୍ରତିଯୋଗିତାରେ ସେ ଦେଢ କିଲୋମିଟର ଦୌଡ଼, ୪୦ କିଲୋମିଟର ସାଇକେଲ ଚାଳନା ଓ ୧୦ କିଲୋମିଟର ସନ୍ତରଣ କରି ମୋଟ ୨ଘଣ୍ଟା ୩୦ମିନିଟ୍‌ ୫୫ ସେକେଣ୍ତ ସମୟ ନେଇ ଏହି ସଫଳତା ପାଇଛନ୍ତି। ଏଥିସହ ଜାତୀୟ ଟ୍ରାଏଥଲନ୍‌ରେ ୮୪ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସ୍ବର୍ଣ୍ଣ ଜିତିବାରେ ସେ ପ୍ରଥମ ଓଡ଼ିଆ ଖେଳାଳି ହେବା ସହ ନିଜ ପ୍ରଦର୍ଶନ ବଳରେ ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି। ଏହି ସଫଳତା ଯୋଗୁଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ପାଇଁ ହେବାକୁଥିବା ଭାରତୀୟ ଦଳର ଚୟନ ଶିବିରକୁ ସେ ମନୋନୀତ ହୋଇଛନ୍ତି। ଆନ୍ତର୍ଜାତିକ ପ୍ରତିଯୋଗିତା ପାଇଁ ସେ ଚୟନ ହୋଇପାରିବେ ବୋଲି ଦୃଢ ଆଶା ରଖିଛନ୍ତି।

ଜାତୀୟ ଟ୍ରାଏଥଲନ୍‌ ପରେ ସେପ୍ଟେମ୍ବର ୩୦ ତାରିଖରେ ହୋଇଥିବା ଜାତୀୟ ଡୁଆଥଲନ୍‌ରେ ସେ ରୌପ୍ୟ ପଦକ ଜିତିଥିଲେ। ଧନୁଶକୋଡ଼ିରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଣବ ୨ ଘଣ୍ଟା ମଧ୍ୟରେ ଏହି ଇଭେଣ୍ଟଗୁଡ଼ିକୁ ଶେଷ କରିଥିଲେ। ଡୁଆଥଲନ୍‌ରେ ୧୦ କିଲୋମିଟର ଦୌଡ଼, ୪୦ କିଲୋମିଟର ସାଇକେଲ ଚାଳନା ଓ ୫ କିଲୋମିଟର ସନ୍ତରଣକୁ ସେ ଶେଷ କରିପାରିଥିଲେ। ତେଣୁ ଉଭୟ ଟ୍ରାଇଥଲନ୍‌ ଓ ଡୁଆଥଲନ୍‌ ପ୍ରଦର୍ଶନକୁ ଆଧାରକରି ତାଙ୍କୁ ଜାତୀୟ ଶିବିରକୁ ମନୋନୀତ କରାଯାଇଛି। ଯାଜପୁର ଧର୍ମଶାଳାସ୍ଥିତ ପାଖର ଅଞ୍ଚର ନିବାସୀ ବିକ୍ରମ ଦାସ ଓ ମନୋରମା ଦାସଙ୍କ ପୁଅ ପ୍ରଣବ ଆରମ୍ଭରୁ ଦୌଡ଼କୁଦ ଉପରେ ରୁଚି ରଖିଆସୁଥିଲେ। ତେଣୁ ଦୀର୍ଘ ବର୍ଷଧରି ଯେଉଁ କଠିନ ପରିଶ୍ରମ କରିଛନ୍ତି, ତାହାର ଫଳ ଏବେ ମିଳୁଥିବା ପ୍ରଣବ କହିଛନ୍ତି।

ପ୍ରାୟ ଦେଢମାସ ତଳେ ଟ୍ରାଏଥଲନ୍‌ ଖେଳିବା ଆରମ୍ଭ କରିଥିବା ପ୍ରଣବ ପୂର୍ବରୁ ଦୌଡ଼ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଆସୁଥିଲେ। ୨୦୧୮ରେ ନିତା ଅମ୍ବାନୀ ଫାଉଣ୍ତେସନ୍‌ ପକ୍ଷରୁ ହୋଇଥିବା ୧୫୦୦ ମିଟର ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲାବେଳେ ସେହିବର୍ଷ କଟକ ଜିଲ୍ଲା ଦୌଡ଼କୁଦ ପ୍ରତିଯୋଗିତାରେ ୧୦,୦୦୦ ମିଟର ଦୌଡ଼ରେ ସେ ସ୍ବର୍ଣ୍ଣ ପଦକ ପାଇଥିଲେ। କଟକରେ ଆଇରନ୍‌ମ୍ୟାନ ସୌଭାଗ୍ୟ କୁମାର ରଥ ଓ କଟକ ସାଇକ୍ଲିଷ୍ଟ ସ˚ଘ ସଦସ୍ୟଙ୍କଠାରୁ ନିୟମିତ ପ୍ରଶିକ୍ଷଣ ନେବା ପରେ ଏହି ସଫଳତା ପାଇପାରିଥିବା ପ୍ରଣବ କହିଛନ୍ତି। ଏଥିସହ କଟକର ସାଇ ପ୍ରଶିକ୍ଷଣ କେନ୍ଦ୍ରକୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ସାଇ ପ୍ରଶିକ୍ଷଣ କେନ୍ଦ୍ର ଅଧିନରେ ତାଙ୍କୁ ସୁଯୋଗ ନମିଳିଥିଲେ ବି ଏହାର କ୍ରୀଡ଼ାବିତ୍‌ମାନେ ଅଭ୍ୟାସ କରୁଥିବା ସ୍ଥାନରେ ତାଙ୍କୁ ମଧ୍ୟ ଅଭ୍ୟାସ କରିବାକୁ ସୁଯୋଗ ଦିଆଯାଇଥିଲା। ତେଣୁ ଦେଢ ବର୍ଷ ଧରି କଟକରେ ଅଭ୍ୟାସ କରିବା ପରେ ପୁନେସ୍ଥିତ ଏକ ଏକାଡେମି ଅଧିନରେ ତାଲିମ ନେଇଥିଲେ। ଏବେ ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପାଇଁ ହେବାକୁଯାଉଥିବା ଚୟନ ଶିବିରରେ ସେ ଭଲ ପ୍ରଦର୍ଶନ ଦେବାପାଇଁ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର