ଗୁରୁବାରଠୁ ରାଜକୋଟ୍ ଟେଷ୍ଟ୍:ବିସିସିଆଇ କ୍ୟୁରେଟରକୁ ନେଇ ସାହା ଅସନ୍ତୁଷ୍ଟ

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଚିନ୍ତା ଦୂର କରିବାର ସୁଯୋଗ

ରାଜକୋଟ: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟ୍ଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପୂର୍ବରୁ ବିସିସିଆଇର କ୍ୟୁରେଟର‌ ପ୍ରେରଣକୁ ନେଇ ସୌରାଷ୍ଟ୍ର କ୍ରିକେଟ୍‌ ସଂଘ (ଏସ୍‌ସିଏ) ଅସନ୍ତୁଷ୍ଟ ହେ‌ାଇଛି। ଏହା ବିସିସିଆଇର ଏକ ସାଧାରଣ ତଥା ନିୟମିତ ପ୍ରକ୍ରିୟା ହୋଇଥିଲେ ବି ଏସ୍‌ସିଏ ଅ‌ସନ୍ତୋଷ ପ୍ରକାଶ କରିଛି। ବିସିସିଆଇ ଏହାର କ୍ୟୁରେଟର୍ ଦଲଜିତ୍ ସିଂହଙ୍କୁ ରାଜକୋଟ ପଠାଇଛି। କିନ୍ତୁ ଆମ କ୍ୟୁରେଟର୍ ଭଲ ୱିକେଟ୍‌ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ସମ୍ପାଦକ ନିରଂଜନ ସାହା। ଲୋଧା ସମିତି ପାଇଁ ଅଯୋଗ୍ୟ ହୋଇଥିଲେ ମଧ୍ୟ ନିରଂଜନ ଦୀର୍ଘ ୪ ଦଶନ୍ଧି ଧରି ସୌରାଷ୍ଟ୍ର କ୍ରିକେଟ୍‌ ସଂଘକୁ କବଜାରେ ରଖିଛନ୍ତି। ଆମ ସ୍ଥାନୀୟ କ୍ୟୁରେଟର ସ୍ବାଧୀନଭାବେ ଭଲ ୱିକେଟ୍‌ ପ୍ରସ୍ତୁତ କରିବାକୁ ସକ୍ଷମ ବୋଲି ସାହା କହିଛନ୍ତି। ତଥାପି ସେମାନଙ୍କ ପରାମର୍ଶ କାମରେ ଆସିବ ବୋଲି ସେ କହିଥିଲେ। କିନ୍ତୁ ଜଣେ ଭେଟେରାନ୍ କ୍ୟୁରେଟରଙ୍କ ମତରେ ଏଥିରେ କିଛି ପ୍ରାସଙ୍ଗିଗତା ନାହିଁ। ବିସିସିଆଇ କ୍ୟୁରେଟର୍ ସାଧାରଣତଃ ସ୍ଥାନୀୟ କ୍ୟୁରେଟରଙ୍କୁ ସହାୟତା କରିଥାନ୍ତି। ଏହା ରଣଜୀ ଟ୍ରଫିଠାରୁ ଆରମ୍ଭ କରି ସବୁବେଳେ ଘଟିଥାଏ। ଏହା ଏକ ପ୍ରସଙ୍ଗ ନୁହେଁ ବୋଲି ସେ ନିଜ ନାମ ଗୋପନ ସର୍ତରେ କହିଥିଲେ। ଥରେ ପଡ଼ିଆ ମ୍ୟାଚ୍ ରେଫରିଙ୍କୁ ହସ୍ତାନ୍ତର ହୋଇଗଲେ ମୁଖ୍ୟ କ୍ୟୁରେଟର୍‌ଙ୍କ କାମ ଶେଷ ହୋଇଯାଇଥାଏ। ଅନ୍ୟପକ୍ଷରେ ରାଜକୋଟରେ ଦ୍ବିତୀୟ ଥର ପାଇଁ ଏକ ଟେଷ୍ଟ୍‌ ମ୍ୟାଚ୍ ଖେଳାଯିବାକୁ ଯାଉଛି। ୨ ବର୍ଷ ତଳେ ଏଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପଡ଼ିଆର ପଦାର୍ପଣ ଟେଷ୍ଟ୍ ଅମୀମାଂସିତ ରହିଥିଲା।
ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ଶୃଙ୍ଖଳା ଲାଗି ଭାରତୀୟ ଶିିବିର ବାଉନ୍‌ସି ପିଚ୍ ପ୍ରସ୍ତୁତ କରୁଥିବା ମଧ୍ୟ ସୂଚନା ମିଳିଛି। ନଭେମ୍ବର ମାସରେ ୩ ଲେଖାଏଁ ଟେଷ୍ଟ୍, ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଖେଳିବା କାର୍ଯ୍ୟକ୍ରମ ଥିବାରୁ ବାଉନ୍‌ସି ପିଚ୍‌ରେ ଅଭ୍ୟସ୍ତ ହେବାକୁ ଭାରତ ଏଭଳି ପସନ୍ଦ କରିଥିବା ପ୍ରକାଶ। ୱେଷ୍ଟଇଣ୍ଡିଜ୍‌ର ଭାରତ ଗସ୍ତ ନଭେମ୍ବର ୧୧ ତାରିଖରେ ଶେଷ ହେଉଥିବା ବେ‌େଳ ଭାରତ ବ୍ରିସ୍‌‌େବନ୍‌ର ଗାବାରେ ନଭେମ୍ବର ୨୧ ତାରିଖରେ ପ୍ରଥମ ଟ୍ବେଣ୍ଟି-୨୦ ‌େଖଳି ୨ ମାସିଆ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିବ। ଏହି ଦୁଇ ଶୃଙ୍ଖଳା ମଧ୍ୟରେ ମାତ୍ର ୧୦ ଦିନର ବ୍ୟବଧାନ ଥିବାରୁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏଭଳି ସୁପାରିସ୍ କରିଛନ୍ତି। କାରଣ ଭାରତ ଗତ ମାସରେ ଇଂଲଣ୍ଡରେ ଟେଷ୍ଟ୍ ଶୃଙ୍ଖଳାକୁ ୧-୪ରେ ହାରିଥିଲା।

ରାଜକୋଟ: ଇଂଲଣ୍ଡ ଗସ୍ତରେ ପ୍ରାରମ୍ଭିକ ବ୍ୟାଟିଂ ବିଫଳତା ପାଇଁ ଭାରତକୁ ସଂଘର୍ଷ କରିବାକୁ ପଡ଼ିଥିଲା। ଭାରତକୁ କିନ୍ତୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ଶୃଙ୍ଖଳାରେ ଉପରୋକ୍ତ ସମସ୍ୟାର ସମାଧାନ ବାଟ ଖୋଜିବାକୁ ପଡ଼ିବ। ଅଷ୍ଟ୍ରେଲିଆା ଗସ୍ତ ପୂର୍ବରୁ ଭାରତକୁ ନିଶ୍ଚିତ ସ୍ଥାୟୀ ପ୍ରାରମ୍ଭିକ ଖେଳାଳିଙ୍କୁ ଚିହ୍ନଟ କରିବାକୁ ପଡ଼ିବ। ଇଂଲଣ୍ଡ ଗସ୍ତରେ ଭାରତ ୧-୪ରେ ଶୃଙ୍ଖଳା ହାରିଥିବା ବେଳେ ସେଠାରେ‌ ଖେଳିଥିବା ମୁରଲୀ ବିଜୟ ଏବଂ ଶିଖର ଧାୱନଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଇଂଲଣ୍ଡରେ ତୃତୀୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଥିବା ଲୋକେଶ ରାହୁଲ ଶେଷ ଟେଷ୍ଟ୍‌ରେ ୧୪୯ ରନ୍‌ର ଶତକୀୟ ପାଳି ଖେଳି ବର୍ତି ଯାଇଥିଲେ। ଏବେ ରାହୁଲଙ୍କ ସହିତ ପୃଥ୍ବୀ ସ’ କିମ୍ବା ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିବା ସମ୍ଭାବନା ରହିଛି। ୨୭ ବର୍ଷୀୟ ମୟଙ୍କ ୨୦୧୭-୧୮ ଘରୋଇ ଋତୁରେ ପ୍ରଭାବୀ ପ୍ରଦର୍ଶନ କରି ଏହାର ପୁରସ୍କାର ପାଇଥିବା ବେଳେ ଭବିଷ୍ୟତର ଆଶା ଦେଖାଇଥିବା ୧୮ ବର୍ଷୀୟ ପୃଥ୍ବୀ ଅନ୍ୟତମ ବିକଳ୍ପ ଭା‌େବ ଉଭା ହୋଇଛନ୍ତି। ଅନ୍ୟପକ୍ଷରେ ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆହତ ଥିବା ସତ୍ତ୍ବେ ଯଶପ୍ରୀତ୍ ବୁମରା ଏବଂ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦେଇଛି ଭାରତ। ଭ୍ରମଣକାରୀ ବ୍ୟାଟସମ୍ୟାନ୍‌ଙ୍କୁ ସ୍ପିନ୍ ଯୋଡ଼ି ଅଶ୍ବିନ-ଜାଦେଜା ଘାଇଲା କରିବେ ବୋଲି ଆଶା ରଖିଛି ଭାରତୀୟ ଶିବିର। ବାମହାତୀ କଚଟି ସ୍ପିନର କୁଲଦୀପ ଯାଦବ ବି ସ‌ୁଯୋଗ ପାଇଲେ ଇଣ୍ଡିଜ୍‌ର ଅଡୁଆ ବଢ଼ିଯିବ ବୋଲି କୁହାଯାଉଛି। ଭାରତ ଗସ୍ତ ଆସିବା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ଘରୋଇ ମାଟିରେ ବାଂଲାଦେଶକୁ ୨-୦ରେ ହରାଇବା ସହିତ ଶ୍ରୀଲଙ୍କା ସହିତ ୧-୧ ଅମୀମାଂସିତ ରଖିଛି। ଭାରତ ବିପକ୍ଷରେ କିନ୍ତୁ ୱେଷ୍ଟ୍‌ଇଣ୍ଡିଜ୍ ଦୀର୍ଘ ଦିନ ହେବ ଟେଷ୍ଟ୍ ଜିତି ନାହିଁ। ଶେଷ ଥର ପାଇଁ ନିଜ ଘରେ ୨୦୦୨ କିଙ୍ଗ୍‌ଷ୍ଟନ୍‌ ଟେଷ୍ଟ୍‌ରେ ଏବଂ ଭାରତରେ ୧୯୯୪ରେ ବିଜୟୀ ହୋଇଥିଲା।

ସମ୍ବନ୍ଧିତ ଖବର