ଆଇପିଏଲ୍‌: ଏଥର ରେକର୍ଡ ୨୦୦+ ସ୍କୋର୍‌

ନୂଆଦିଲ୍ଲୀ: ଆଇପିଏଲ୍‌ର ଚଳିତ (୨୦୨୩) ସଂସ୍କରଣ ସର୍ବାଧିକ ୨୦୦+ ସ୍କୋର୍‌ ହେବାର କୀର୍ତ୍ତିମାନ ବହନ କରିଛି। ମଙ୍ଗଳବାର ସୁଦ୍ଧା ଚଳିତ ଆଇପିଏଲ୍‌ରେ ମୋଟ ୪୪ ମ୍ୟାଚ୍‌ ଶେଷ ହୋଇଯାଇଥିଲା ବେଳେ ସେଥିରୁ ୨୨ ମ୍ୟାଚ୍‌ରେ ୨୦୦+ ସ୍କୋର୍‌ ଦେଖିବାକୁ ମିଳିଛି। ଯାହାକି ଆଇପିଏଲ୍‌ ଇତିହାସରେ କୌଣସି ଗୋଟିଏ ସଂସ୍କରଣରେ ସର୍ବାଧିକ ରେକର୍ଡ। କେବଳ ସେତିକି ନୁହେଁ ୪୦ ମ୍ୟାଚ୍‌ରେ ସ୍କୋରିଂ ରେଟ୍‌ ମଧ୍ୟ କୌଣସି ଆଇପିଏଲ୍‌ ଋତୁରେ ସର୍ବାଧିକ ରେକର୍ଡ। ଚଳିତ ୨୦୨୩ ଋତୁରେ ଏପର୍ଯ୍ୟନ୍ତ ଖେଳାଯାଇସରିଥିବା ୪୪ ମ୍ୟାଚ୍‌ରେ ସ୍କୋରିଂ ରେଟ୍‌ ୮.୯୧ରୁ ଅଧିକ ରହିଛି। ଯାହାକି ପୂର୍ବ ସ୍କୋରିଂ ରେଟ୍‌ ୮.୬୪ (୨୦୧୮ ଋତୁ)ର ରେକର୍ଡକୁ ଭାଙ୍ଗି ଦେଇଛି। ଏଥି ସହିତ ଏଥର ଆଇପିଏଲ୍‌ ଶେଷ ପରେ ଏକ୍ଷେତ୍ରରେ ଏକ ନୂଆ ରେକର୍ଡ ପ୍ରତିଷ୍ଠା ହେବାର ସମ୍ଭାବନା ଦେଖାଦେଇଛି।

ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ୨୨ ମ୍ୟାଚ୍‌ରେ ୨୦୦+ ସ୍କୋର୍‌ ହୋଇସାରିଥିଲା ବେଳେ ସେଥିରୁ ୯ ମ୍ୟାଚ୍‌ରେ ଉଭୟ ଦଳ ୨୦୦+ ସ୍କୋର୍‌ କରିଛନ୍ତି। ଏହା ମଧ୍ୟ ଗୋଟିଏ ସଂସ୍କରଣରେ ସର୍ବାଧିକ ରେକର୍ଡ। ଏକ୍ଷେତ୍ରରେ ୨୦୨୩ ଆଇପିଏଲ୍‌ ଗତ ସଂସ୍କରଣ ନାମରେ ଥିବା ସର୍ବାଧିକ ୫ (କୌଣସି ଗୋଟିଏ ମ୍ୟାଚ୍‌ରେ ଉଭୟ ଦଳର ୨୦୦+ ସ୍କୋର୍‌) ସଂଖ୍ୟାର ରେକର୍ଡକୁ ପଛରେ ପକାଇଦେଇଛି। ତେବେ ଏଭଳି ରେକର୍ଡ କେବଳ ଇମ୍ପାକ୍ଟ ନିୟମ ପାଇଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି କିଂବଦନ୍ତି ଭାରତୀୟ ସ୍ପିନର ଅନିଲ କୁମ୍ବଲେ। ଚଳିତ ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳି ନିୟମ ପ୍ରଚଳିତ ହେବାରୁ ଦଳଗତ ସ୍କୋର୍‌ ଏବଂ ରନ୍‌ ରେଟ୍‌ ନୂଆ ସ୍ତର ଛୁଇଁପାରିଛି ବୋଲି କୁମ୍ବଲେ କାରଣ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର