ରାଇଜିଂ ଷ୍ଟୁ‌ଡେଣ୍ଟ୍‌ ଜିତିଲା ଓଡବ୍ଲ୍ୟୁଏଲ୍

ଭୁବନେଶ୍ବର: ରାଇଜିଂ ଷ୍ଡୁଡେଣ୍ଟ କ୍ଲବ୍, ଓଡ଼ିଶା ଓମେନ୍ସ ଲିଗ୍ (ଓଡବ୍ଲ୍ୟୁ) ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ଆଖ୍ୟା ଅର୍ଜନ କରିଛି। ଶନିବାରର ଶେଷ ତିନିଟି ମ୍ୟାଚ୍ ପରେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହି ବିଜେତା ହେବାର ସୌଭାଗ୍ୟ ଲାଭ କରିଛି ଏହି ଦଳ। ରାଇଜିଂ ଷ୍ଟୁଡେଣ୍ଟ (୨୮ ଗୋଲ୍ ଦେଇଥିଲା ବେଳେ ୭ ଗୋଲ୍ ବରଣ କରିଛି) ଓ ପୂର୍ବତଟ ରେଳପଥ (୨୫ ଗୋଲ୍ ଦେଇ ୫ ଗୋଲ୍ ବରଣ କରିଛି) ସମାନ ୨୭ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନରେ ଆଗୁଆ ରହି ରାଇଜିଂ ଷ୍ଟୁଡେଣ୍ଟ ବିଜେତା ମୁକୁଟ ପିନ୍ଧିଥିଲା। ଏହି ୬ ଦଳିଆ ପ୍ରତିଯୋଗିତାରେ କ୍ରୀଡ଼ା ଛାତ୍ରାବାସ (୧୬) ତୃତୀୟ, ସାଇ ଏସ୍‌ଟିସି (୧୧) ଚତୁର୍ଥ, ଓଡ଼ିଶା ପୁଲିସ (୪) ପଞ୍ଚମ ଓ ଓଜିପି କ୍ଲବ୍ (୩) ସବାଶେଷ ଷଷ୍ଠ ସ୍ଥାନରେ ରହିଛି। ରାଇଜିଂ ଷ୍ଟୁଡେଣ୍ଟ ବିଜେତା ହେବା ସହ ସମ୍ମାନଜନକ ଇଣ୍ଡିଆନ୍ ଓମେନ୍ସ ଲିଗ୍ (ଆଇଡବ୍ଲ୍ୟୁଏଲ୍) ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଜି ଅନୁଷ୍ଠିତ ତିନିଟି ମ୍ୟାଚ୍‌ରୁ ଓଜିପି ୧-୦ରେ ଓଡ଼ିଶା ପୁଲିସ, ପୂର୍ବତଟ ରେଳପଥ ୩-୧ରେ କ୍ରୀଡ଼ା‌ ଛାତ୍ରାବାସ ଏବଂ ରାଇଜିଂ ଷ୍ଟୁଡେଣ୍ଟ ୩-୦ ଗୋଲ୍‌ରେ ସାଇ ଏସ୍‌ଟିସିକୁ ଏକତରଫା ଭାବେ ପରାସ୍ତ କରିଥିଲା। ଏହି ବୃହତ୍ ବିଜୟ ବଳରେ ହିଁ ଦଳ ପୁଣି ଥରେ ବିଜେତା ହେବାର ଗୌରବ ହାସଲ କରିଥିଲା।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥି ଏବଂ ଫାଓର ସଂପାଦକ ଆଶୀର୍ବାଦ ବେହେରା ସମ୍ମା‌ନୀତ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଫାଓ ଉପସଭାପତି ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଭକ୍ତ ବଲ୍ଲଭ ଦାସ, ଯୁଗ୍ମସଂପାଦକ ଅଭିଜିତ ପାଲ ଓ ଜାତୀୟ ୧୫ ବର୍ଷରୁ କମ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଶୁଭେନ୍ଦୁ ପଣ୍ଡା ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର