ଏଲ୍‌ଆଇସି ଆଇପିଓରୁ ଲକ୍ଷେ କୋଟି ଟଙ୍କା ମିଳିବ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଆଇପିଓରୁ ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କା ମିଳିପାରେ। ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍ ଆଜି ଏହା କହିଛନ୍ତି। ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏକ ଭର୍ଚୁଆଲ ସମ୍ମିଳନୀରେ ଉଦବୋଧନ ଦେଇ ସୁବ୍ରମଣ୍ୟମ କହିଛନ୍ତି, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧.୭୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ବଜେଟ୍‌ରେ ରଖାଯାଇଛି। ତେବେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ଲକ୍ଷ୍ୟ ରଖିଥିବା ୨.୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ମଧ୍ୟରୁ ଅନେକ ଏଥିରେ ରହିଛି। ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲରେ ଏଲ୍‌ଆଇସି ଓ ବିପିସିଏଲ୍‌ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିପିସିଏଲ୍‌ରୁ ସରକାରଙ୍କୁ ୭୫ ହଜାରରୁ ୮୦ ହଜାର କୋଟି କିମ୍ବା ତା ଠାରୁ ଅଧିକ ରାଶି ମିଳିପାରେ। ସେହିଭଳି ଏଲ୍‌ଆଇସିରୁ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ମିଳିପାରେ। ବିପିସି‌ଏଲ୍‌ରେ ସରକାରଙ୍କର ୫୨.୯୮% ଅଂଶଧନ ରହିଛି। ସରକାର ସମସ୍ତ ଅଂଶଧନକୁ ବିକ୍ରି ଯୋଜନା ରଖିଛନ୍ତି। ଏଲଆଇସିର ଆଇପିଓ ଆଣିବା ଲାଗି ରହିଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ ଅର୍ଥ ବିଲ୍‌ ୨୦୨୧ରେ ଏଲଆଇସି ଆଇନରେ ସଂଶୋଧନ ଆଣିଛନ୍ତି।
୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଦୁଇ ଅଙ୍କ ବିଶିଷ୍ଟ ରହିବ। ୨୦୨୨-୨୩ରେ ଏହା ୬.୫ରୁ ୭ ପ୍ରତିଶତ ଏବଂ ତାହା ପରବର୍ଷ ୭.୫ରୁ ୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ସୁବ୍ରମଣ୍ୟମ୍ କହିଛନ୍ତି।

ସମ୍ବନ୍ଧିତ ଖବର