୧୭,୦୦୦ ଆନ୍ତର୍ଜାତିକ ରନ୍‌ ପୂରଣ କରିବାରେ ରୋହିତ ଶର୍ମା ହେଲେ ୭ମ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍‌ ଖେଳରେ ୧୭,୦୦୦ ରନ୍‌ ପୂରଣ କରି ନୂତନ କୃତ୍ବିତ୍ବର ଅଧିକାରୀ ହୋଇଛନ୍ତି।

ଆଜି ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍‌-ଗାଭାସ୍କର୍‌ ଟେଷ୍ଟ୍‌ ମ୍ୟାଚ୍‌’ର ୩ୟ ଦିନରେ ରୋହିତଙ୍କୁ ଏହି ସଫଳତା ମିଳିଛି। ଆଜି ସେ ୩୫ ରନ୍‌ କରି ଆଉଟ୍‌ ହୋଇଯାଇଥିଛନ୍ତି। ୧୭,୦୦୦ ଆନ୍ତର୍ଜାତିକ ରନ୍‌ ସଂଗ୍ରହ କରିବାରେ ସେ ହେଉଛନ୍ତି ୭ମ ଭାରତୀୟ କ୍ରିକେଟ୍‌ ଖେଳାଳି।

Image Courtesy of News18

ଏହି ରନ୍‌ରୁ ଅଧିକାଂଶ ରନ୍‌ ସେ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରୁ ହାସଲ କରିଛନ୍ତି। ୨୪୧ଟି ମ୍ୟାଚ୍‌ ଖେଳି ସେ ୯୭୮୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି, ୧୪୮ଟି ‘ଟି୨୦’ ମ୍ୟାଚ୍‌ରୁ ସେ ୩୮୫୩ ରନ୍‌ ସଂଗ୍ରହ କରିଥିବା ବ‌େଳେ ଅହମଦାବାଦ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଖେଳିଥିବା ୪୮ଟି ଟେଷ୍ଟ୍‌ ମ୍ୟାଚ୍‌ରେ ୩୩୪୪ ରନ୍‌ ସଂଗ୍ରହ କରିଥିଲେ। ଆନ୍ତର୍ଜାତିକ ଦିନିକିଆରେ ସେ ୩୦ଟି, ଟେଷ୍ଟ୍‌ ମ୍ୟାଚ୍‌ରେ ୯ଟି ଓ ‘ଟି୨୦’ରେ ୪ଟି ଶତକ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ଆନ୍ତର୍ଜାତିକ କ୍ରିକେଟ୍‌ରେ ୬୬୪ଟି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର୍ ୩୪,୩୫୭, ୪୯୪ଟି ମ୍ୟାଚ୍‌ରେ ବିରାଟ କୋହଲି ୨୫,୦୪୭, ୫୦୪ଟି ମ୍ୟାଚ୍‌ରେ ରାହୁଲ୍‌ ଦ୍ରାବିଡ଼ ୨୪,୦୬୪, ୪୨୧ଟି ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲୀ ୧୮୪୩୩, ୫୩୫ ମ୍ୟାଚ୍‌ରେ ଏମ୍‌ଏସ୍‌ ଧୋନି ୧୭,୦୯୨, ୪୭୮ଟି ମ୍ୟାଚ୍‌ରେ ବୀରେନ୍ଦର୍‌ ସେହ୍ବାଗ୍‌ ୧୭,୨୫୩ ଏବଂ ୪୩୮ଟି ମ୍ୟାଚ୍‌ରେ ରୋହିତ ଶର୍ମା ୧୭,୦୦୦ ରନ୍‌ ସଂଗ୍ରହ କରିଛନ୍ତି।

ସମ୍ବନ୍ଧିତ ଖବର