ବିଶ୍ବକପ୍‌ ସେମିଫାଇନାଲ୍‌ ସୁଯୋଗ: କାହାର କେମିତି?

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ବକପ୍‌ ଅନ୍ତିମ ଦୁଇ ସପ୍ତାହ ଆଡ଼କୁ ପ୍ରବେଶ କରିଥିବା ବେଳେ କେଉଁ କେଉଁ ଦଳ ସେମିଫାଇନାଲ୍ ଯିବେ କଳ୍ପନାଜଳ୍ପନା ଲାଗି ରହିଛି। ରାଉଣ୍ଡ୍ ରବିନ୍ ଲିଗ୍‌ର ୩୨ତମ ମ୍ୟାଚ୍‌ ପର୍ଯ୍ୟନ୍ତ କୌଣସି ଦଳ ସେମିଫାଇନାଲ୍‌ ପ୍ରବେଶକୁ ନିଶ୍ଚିତ କରିନାହାନ୍ତି। କେବଳ ବାଂଲାଦେଶ ଏହି ଦୌଡ଼ରୁ ବିଦାୟ ନେଇଥିବା ବେଳେ ଅନ୍ୟ ୯ ଦଳ ସମ୍ଭାବନା କାଏମ ରଖିଛନ୍ତି। ୬ଟି ଲେଖାଏଁ ବିଜୟ ପାଇଥିବାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ‌ଅବଶ୍ୟ ସେମିଫାଇନାଲ୍‌ ଦ୍ବାରରେ ପହଞ୍ଚିଯାଇଛନ୍ତି। ଆସନ୍ତୁ କେଉଁ ଦଳର ସୁଯୋଗ କେମିତି ଅଛି ନଜର ପକାଇନେବା।

ଭାରତ: ଭାରତ ୬ରୁ ୬ ବିଜୟ ପାଇଛି। ଉନ୍ନତ ଏନ୍‌ଆର୍‌ଆର୍‌ ମଧ୍ୟ ରଖିଛି। ସପ୍ତମ ବିଜୟ ଏହି ଦଳକୁ ସେମ‌ିଫାଇନାଲ୍‌ରେ ପହଞ୍ଚାଇବାର ଗ୍ୟାରେଣ୍ଟି ରଖୁଛି। ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା, ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରୁ ଗୋଟିଏ ଜିତିଲେ ଭାରତ ଶୀର୍ଷ ୪ରେ ରହିବା ନିଶ୍ଚିତ ହୋଇଯିବ। ଏପରିକି ଏହି ୩ଟି ହାରିଗଲେ ଭାରତ ଅନ୍ୟ ଦଳର ସ୍ଥିତି ଅନୁସାରେ ସେମିଫାଇଇନାଲ୍ ଯିବାର ସ‌ୁଯୋଗ ରହିଛି।

ଦକ୍ଷିଣ ଆଫ୍ରିକା: ଦକ୍ଷିଣ ଆଫ୍ରିକା ୭ ଖେଳି ୬ ବିଜୟ ପାଇଛି। ଉନ୍ନତ ଏନ୍‌ଆର୍‌ଆର୍‌ କାରଣରୁ ମାରକ୍ରମଙ୍କ ଦଳ ପଏଣ୍ଟ ଟେବୁଲ୍ ଶୀର୍ଷରେ ରହିଛି। ଭାରତ ଓ ଆଫଗାନିସ୍ତାନ ବିପକ୍ଷରେ ଦଳ ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଖେଳିବ। ନେଦରଲାଣ୍ଡ୍‌ସଠାରୁ ହାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଏହା ବର୍ଷାବାଧାପ୍ରାପ୍ତ ବ୍ୟତିକ୍ରମ ଥିଲା। ଭାରତ ଓ ଆଫଗାନିସ୍ତାନ ମ୍ୟାଚ୍‌ ଭିତରୁ ଗୋଟିଏ ଜିତିଲେ ଦଳ ସେମିଫାଇନାଲ୍ ପହଞ୍ଚିଯିବ। ନତୁବା ଛୋଟ ବ୍ୟବଧାନ ପରାଜୟ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ସେମିଫାଇନାଲ୍ ନେବାର ସ‌ୁଯୋଗ ରଖିବ।

ନ୍ୟୁଜିଲାଣ୍ଡ୍‌: ଗତ ଥରର ଉପବିଜେତା ନ୍ୟୁଜିଲାଣ୍ଡ୍‌ କ୍ରମାଗତ ୪ ବିଜୟ ପରେ ହ୍ୟାଟ୍ରିକ୍‌ ପରାଜୟ ବରଣ କରି ଚାପରେ ପଡ଼ିଛି। ଏବେ ଦଳକୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ନିଶ୍ଚିତ ବିଜୟର ଆବଶ୍ୟକତା ପଡ଼ିଲାଣି। ବୁଧବାର ରାତିରେ ଦକ୍ଷିଣ ଆଫ୍ରିକା ନିକଟରୁ ଦଳର ବଡ଼ ପରାଜୟ ଟମ୍ ଲଥାମଙ୍କ ଦଳକୁ ହରଡ଼ ଘଣାରେ ପକାଇ ଦେଇଛି।

ଅଷ୍ଟ୍ରେଲିଆ: ୫ ଥର ବିଜେତା ଅଷ୍ଟ୍ରେଲିଆ ୬ ମ୍ୟାଚ୍‌ରୁ ୪ ବିଜୟ ପାଇ ଆଶା ଓ ଆଶଙ୍କା ଭିତରେ ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ହାରିଯିବା ପରେ ଠିକଣା ସମୟରେ ପ୍ୟାଟ୍ କମିନ୍ସଙ୍କ ଦଳ ଲୟକୁ‌ ଫେରି କ୍ରମାଗତ ୪ ବିଜୟ ଅର୍ଜନ କରିଛି। ଇଂଲଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରୁ ଅନ୍ୟୁନ ଦୁଇଟି ବିଜୟ ଆବଶ୍ୟକ ରହିଛି। ଯାହାକି ପେସାଦାର ଦଳ ଅଷ୍ଟ୍ରେଲିଆ ପାଇଁ ଅସୁବିଧା ହେବ ନାହିଁ ବୋଲି ବିଶ୍ବାସ କରାଯାଉଛି।

ପାକିସ୍ତାନ: ହାତରେ ମାତ୍ର ୨ ମ୍ୟାଚ୍‌ ଥିବା ପାକିସ୍ତାନ ୬ ପଏଣ୍ଟରେ ସୀମିତ ରହିଛି। ଏନ୍‌ଆର୍‌ଆର୍‌ ମଧ୍ୟ ବିଯୁକ୍ତାତ୍ମକ ସ୍ଥିତିରେ ରହିଛି। ଏହି ଦଳର ଭାଗ୍ୟ ନିଜର ପରବର୍ତ୍ତୀ ଦୁଇ ମ୍ୟାଚ୍‌ (ବନାମ ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡ) ସହିତ ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ନିର୍ଭର କରିବ। ୧୦ ପଏଣ୍ଟରେ ତ୍ରିମୁଖି ପ୍ରତିଦ୍ବନ୍ଦ୍ବିତାର ସମ୍ଭାବନା ସୃଷ୍ଟି ହେଲେ ପାକିସ୍ତାନକୁ ଏହି ଦୁଇ ବିଜୟ ସହ ଏନ୍‌ଆର୍‌ଆର୍‌କୁ ମଧ୍ୟ ସୁଧାରିବାକୁ ପଡ଼ିବ। ନ୍ୟୁଜିଲାଣ୍ଡ୍‌ ଓ ଇଂଲଣ୍ଡକୁ ହରାଇବା ସହ ବାବର ଆଜମଙ୍କ ଦଳ ମଧ୍ୟ ଆଶା ରଖିବ ନ୍ୟୁଜିଲାଣ୍ଡ୍‌ ଓ ଆଫଗାନିସ୍ତାନ ସେମାନଙ୍କ ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକ ହାରିଯାଆନ୍ତୁ।

ଆଫଗାନିସ୍ତାନ: ସବୁଠୁ ଅଧିକ ଚମତ୍କାର କରିଥିବା ଆଫଗାନିସ୍ତାନ ୩ ବିଜୟ, ୩ ପରାଜୟ ସହ ସେମିଫାଇନାଲ୍ ଆଶାକୁ କାଏମ ରଖିଛି। ତିନି ପୂର୍ବ ବିଜେତା ଇଂଲଣ୍ଡ, ପାକିସ୍ତାନ ଓ ଶ୍ରୀଲଙ୍କାକୁ ହରାଇଛି। ଏବେ ନେଦରଲାଣ୍ଡ୍‌ସ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟ ସହ ଏହି ଏସୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ବିଜୟ ଆଶା ରଖିବ।

ଶ୍ରୀଲଙ୍କା: ୬ ମ୍ୟାଚ୍‌ରୁ ୪ ପରାଜୟ ବରଣ କରିଥିବାରୁ ଶ୍ରୀଲଙ୍କାର ସେମିଫାଇନାଲ୍ ପଥ କଷ୍ଟକର ରହିଛି। ଆପାତତଃ ଏହ‌ି ଦଳ ସେମିଫାଇନାଲ୍‌ ଦୌଡ଼ରୁ ବାଦ୍‌ ପଡ଼ିଛି। କିନ୍ତୁ ଗାଣିତିକ ହିସାବ ଦୃଷ୍ଟିରୁ ଜୀବିତ ରହିଛି। ଭାରତ, ବାଂଲାଦେଶ, ନ୍ୟୁଜିଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ଜିତିବା ସହ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ କଟିଲେ ଏହି ଦଳର ସ‌ୁଯୋଗ ରହିବ।

ନେଦରଲାଣ୍ଡ୍‌ସ: କମଳା ରଙ୍ଗର ଏହି ଦଳ ଚଳିତ ବିଶ୍ବକପ୍‌ରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ୬ରୁ ୨ଟି ଜିତିଛି। ଶୀର୍ଷରେ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ବିଜୟ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ୍‌ ଯଦି ସେମାନଙ୍କ ଅବଶିଷ୍ଟ ସମସ୍ତ ମ୍ୟାଚ୍‌ ହାରିବେ ତେବେ ଡଚ୍‌ ଦଳ ଆଗକୁ ବଢ଼ିପାରିବ। କିନ୍ତୁ ପ୍ରଥମେ ଏହି ଦଳ ଆଫଗାନିସ୍ତାନ, ଇଂଲଣ୍ଡ ଓ ଭାରତକୁ ହରାଇବାକୁ ପଡ଼ିବ।

ଇଂଲଣ୍ଡ: ସବୁଠାରୁ ଆଶ୍ଚର୍ଯ୍ୟଜନକ ଭାବେ ଗତ ସଂସ୍କରଣର ବିଜେତା ଇଂଲଣ୍ଡ ଏବେ ବିଦାୟ ବେଳାରେ। ୬ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ସହ ପଏଣ୍ଟ୍‌ ଟେବୁଲ୍‌ର ସବା ତଳେ ରହିଛି। ସେମିଫାଇନାଲ୍‌ ଯିବାକୁ ଦଳର ସମ୍ଭାବନା କ୍ଷୀଣ। ଅଷ୍ଟ୍ରେଲିଆ, ନେଦରଲାଣ୍ଡ୍‌ସ, ପାକିସ୍ତାନକୁ ହରାଇବା ସହିତ ଅନ୍ୟ ଦଳର ପରାଜୟ ଓ ଏନ୍‌ଆର୍‌ଆର୍‌ ସ୍ଥିତି ନିର୍ଣ୍ଣାୟକ ହୋଇପାରିବ।

ସମ୍ବନ୍ଧିତ ଖବର