ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ବିନା ଲାଇସେନସରେ ବାଇକ ଚାଳନା, ଯାଞ୍ଚ କେବେ?

ଜୟପୁର: ରାଜ୍ୟ ସରକାର ସଂପ୍ରତି ବିନା ଲାଇସେନସ୍ , ବିନା ହେଲମେଟ୍ ଗାଡି ଚଳାଇବା, ପଂଜୀକୃତ ଗାଡ଼ି ମାଲିକଙ୍କ ବିନା ଅନ୍ୟମାନେ ଗାଡ଼ି ଚଳାଇଲେ ଯାଂଚ ବେଳେ ଧରା ପଡ଼ିଲେ ବଡ଼ ଧରଣର ଜରିମାନା ପକାଇବାକୁ ବି ଘୋଷଣା କରିଛନ୍ତି। ତେବେ ଜୟପୁର ସହରରେ ଥିବା ବିଭିନ୍ନ ଘରୋଇ ଇଂରାଜୀ ଓ ଓଡ଼ିଆ ମାଧ୍ୟମିକ ସ୍କୁଲର ଛାତ୍ରଛାତ୍ରୀ ଓ କଲେଜ ଛାତ୍ରଛାତ୍ରୀମାନେ ସ୍କୁଟିରୁ ଆରମ୍ଭ କରି ବୁଲେଟ, କେଟିଏମ୍, ପଲସର, ହୋଣ୍ଡା ସିଭିଆର, ନିଞା ଭଳି ଦ୍ରୁତ ବାଇକରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଏପରିକି ଏମାନେ ମୁଣ୍ଡରେ ହେଲମେଟ ମଧ୍ୟ ପିନ୍ଧୁ ନାହାନ୍ତି। ଆଉ କିଛି ଛାତ୍ରଛାତ୍ରୀ ଗୋଟିଏ  ସ୍କୁଟି କିମ୍ବା ବାଇକରେ ତିନି ଜଣ ଲେଖାଏଁ ବସି ଯାଉଥିବା ବି ଦେଖିବାକୁ ମିଳିଛି। ପୁଲିସର ଯାଂଚ କଡ଼ା କଡ଼ି ହେଉନଥିବାରୁ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି।

ସ୍କୁଲ ଓ କଲେଜ କର୍ତ୍ତୃପକ୍ଷ ଏହା ଦେଖି ମଧ୍ୟ ଅଣ ଦେଖା କରୁଛନ୍ତି। ଜୟପୁର ଟାଉନଥାନା ସମ୍ମୁଖ ମୁଖ୍ୟ ଟ୍ରାଫିକ ଛକ ଦେଇ ବି ବହୁ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏଭଳି ଆଇନକୁ ଦଳି ମକଚି ଯିବା ଆସିବା କରୁଛନ୍ତି। ଗତ କିଛି ଦିନ ତଳେ ପୁଲିସ ପକ୍ଷରୁ ଶୁନ୍ୟ ସହିଷ୍ଣୁତାରେ ଯାଂଚ କରୁଥିବା ବେଳେ ଏଭଳି ତିନୋଟି କଲେଜ ଛାତ୍ରୀ ବି ଧରାପଡ଼ି ‌ଜରିମାନା ଗଣିଥିବା ଦେଖିବାକୁ ମିଳିଥିଲା। ପୁଲିସ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତର ସହ ନେଇ ସ୍କୁଲ ଓ କଲେଜ ଗୁଡିକରେ ପ୍ରଥମେ ସଚେତନତା କରି ପରବର୍ତ୍ତୀ ପର୍ଯ୍ୟାୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଇକ ଧାରୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ନାଁରେ ମାମଲା ରୁଜୁ କରିବା ସହ ଜରିମାନା ଆଦାୟ କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି।

 

 

ସମ୍ବନ୍ଧିତ ଖବର