ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଗୋଟିଏ ହେଲେ ବି ବଲ୍ ଦେଖି ନଥିଲେ ଶାସ୍ତ୍ରୀ

ମୁମ୍ବାଇ: ସଦ୍ୟସମାପ୍ତ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଗୋଟିଏ ହେଲେ ବି ବଲ୍ ଦେଖି ନାହାନ୍ତି ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ଏକଥା ଶାସ୍ତ୍ରୀ ମଙ୍ଗଳବାର ଦେଇଥିବା ଏକ ସାକ୍ଷାତକାରରେ ଉଜାଗର କରିଛନ୍ତି। ସବୁ ଫର୍ମାଟ୍‌ରୁ ଅଧିନାୟକ ପଦ ଛାଡ଼ିବା ପରେ ବିରାଟ କୋହଲିଙ୍କ ଶାରୀରିକ ଭାଷାରେ କିଛି ପରିବର୍ତ୍ତନ ହୋଇଛି କି? ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ଏହି ଶୃଙ୍ଖଳାର ଗୋଟିଏ ହେଲେ ବି ବଲ୍ ମୁଁ ଦେଖିନି। ହେଲେ କୋହଲିଙ୍କ ବ୍ୟକ୍ତିତ୍ବରେ ଏଥିନେଇ ଏକ ବିରାଟ ପରିବର୍ତ୍ତନ ହେବ ବୋଲି ମୁଁ ଭାବୁନାହିଁ। ଦୀର୍ଘ ୭ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଦଳ ସହ ରହିବା ପରେ ମୁଁ ଏବେ ବିଶ୍ରାମ ନେଇଛି। ଆପଣମାନଙ୍କୁ ମୁଁ ଗୋଟିଏ କଥା ସ୍ପଷ୍ଟ କରି ଦେବାକୁ ଚାହୁଛି, ଦଳର ଗୁମର ପଦାରେ ପକାଇବାକୁ ଏଠାକୁ ଆସିନି। ଏହି କ୍ଷେତ୍ରରେ ମୋ ଭାବନା ଏକଦମ୍ ସ୍ବଚ୍ଛ ଓ ସରଳ। ଯେଉଁ ଦିନ ମୁଁ କାମ ଛାଡ଼ିବି ସେହିଦିନ ମୋ ମନରୁ ସବୁ କିିଛି ଲିଭାଇଦେବି ବୋଲି ମୁଁ ନିଜକୁ ପ୍ରତିଶ୍ରୁତି ଦେଇଛି। ମୋ ସହ ଥିବା କୌଣସି ଖେଳାଳିଙ୍କ ବିଷୟରେ ସାଧାରଣରେ କୌଣସି ଖରାପ ଚର୍ଚ୍ଚା କରିବିନି ବୋଲି ନିଷ୍ପତ୍ତି ନେଇଛି।

ଦକ୍ଷିଣ ଆଫ୍ରିକାଠାରୁ ଭାରତୀୟ କ୍ରିକେଟ୍ ଦଳର ଯୁଗଳ ଶୃଙ୍ଖଳା ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଶାସ୍ତ୍ରୀ କହିଥିଲେ ‘‘ଏଥିନେଇ ବ୍ୟସ୍ତ ବିବ୍ରତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ବିଫଳତା ସାମୟିକ ସମୟର। ଗତ ପାଞ୍ଚବର୍ଷ ଭିତରେ ଯେଉଁ ଦଳର ସଫଳତା ହାର ୬୫ ପ୍ରତିଶତ ରହିଛି, ସେ ଦଳ ଯେକୌଣସି ସମୟରେ ବିଜୟ ଧାରାକୁ ଫେରିବା‌ର ଦକ୍ଷତା ରଖେ। ସେହିଭଳି ଟେଷ୍ଟ୍ ଅଧିନାୟକ ପଦ ଛାଡ଼ିବାକୁ କୋହଲି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ସମ୍ମାନ ଦେବାକୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି ସେ। ‘‘ଏହା ତାଙ୍କ (କୋହଲିଙ୍କ) ନିଷ୍ପତ୍ତି। ଆମକୁ ଏହାକୁ ସମ୍ମାନ ଦେବାକୁ ହେବ। ସବୁକିଛିର ଏକ ସମୟ ଥାଏ। ନିଜ ବ୍ୟାଟିଂ କିମ୍ବା କ୍ରିକେଟ୍ ଉପରେ ଅଧିକ ମନୋନିବେଶ କରିବାକୁ ଅତୀତରେ ବହୁ ମହାନ ଖେଳାଳି ଅଧିନାୟକତ୍ବ ପରିତ୍ୟାଗ କରିଛନ୍ତି। ଏହା ସଚିନ, ଗାଭାସ୍କର ଓ ଧୋନିଙ୍କ ସହ ଘଟିସାରିଛି। ଆଉ ଏବେ କୋହଲିଙ୍କ ପାଳି’’ ବୋଲି ଏହି ବିଷୟରେ ନିଜ ମତ ରଖିବାକୁ ଯାଇ କହିଥିଲେ ଶାସ୍ତ୍ରୀ।

ସମ୍ବନ୍ଧିତ ଖବର