ରାଜ୍ୟ ବ୍ୟାଡ୍‌ମିଣ୍ଟନ: ମୟଙ୍କ ଓ ତନ୍‌ଭୀଙ୍କୁ ଦ୍ୱିମୁକୁଟ

ବଲାଙ୍ଗୀର: ସ୍ଥାନୀୟ ପିଆର୍‌ ହାଇସ୍କୁଲ ବ୍ୟାଡ୍‌ମିଣ୍ଟନ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ଉପକନିଷ୍ଠ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଏଥିରେ ୨୧୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଉଭୟ ବୟସ ବର୍ଗର ବାଳକରେ ମୟଙ୍କ ଭରଦ୍ବାଜ ଏବଂ ବାଳିକାରେ ତନ୍‌ଭୀ ପତ୍ରୀ ବିଜେତା ହୋଇ ଦ୍ବିମୁକୁଟ ଅର୍ଜନ କରିଥିଲେ। ସେହିପରି ୧୫ ବର୍ଷ ବର୍ଗର ବାଳକ ଯୁଗଳରେ ଶ୍ରେୟାଂଶ ଜେନା ଓ ଶୁଭ୍ରକେତନ ମଲ୍ଲିକ ଯୋଡ଼ି, ୧୭ ବର୍ଷ ବର୍ଗ ବାଳକ ଯୁଗଳରେ ଅର୍ପିତ ପଣ୍ଡା ଓ ସ୍ୱରାଜ ଓରାମ ଯୋଡ଼ି ଏବଂ ମିଶ୍ରିତ ଯୁଗଳରେ ଶୁଭମ ଘୋଷ ଓ ଅମିତା ଦାଶ ବିଜେତା ହୋଇଥିଲେ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ଥିଲା ବେଳେ ସମ୍ମାନିତ ଅତିଥି ଅନ୍ତଜାର୍ତୀୟ ଖେଳାଳି ଆନନ୍ଦିନୀ ଦର୍ଜୀ, ସାହିତ୍ୟ ଏକାଡେମି ପୁରସ୍କୃତ ଗାଳ୍ପିକା ଗାୟତ୍ରୀ ସରାଫ, ଆନ୍ତର୍ଜାତିକ ପ୍ରଶିକ୍ଷକ ମୁରଲୀ କ୍ରିଷ୍ଣା, ରାଜ୍ୟ ସଂପାଦକ ନିଲିନ କୁମାର, କୋଷାଧ୍ୟକ୍ଷ ପ୍ରଦୀପ ମହାନ୍ତି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା ଓ ପ୍ରତିଯୋଗିତାର ସାଂଗଠନିକ ସମ୍ପାଦକ ସୁରୁଲାଲ ମାଟାରୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ ରେଫରି ଗୀତା ଦାଶ, ମ୍ୟାଚ୍‌ ନିୟଂତ୍ରକ ବିଜୟ ବାଗ ଓ ସଟଲ ନିୟଂତ୍ରକ ଲକ୍ଷପତି ନନ୍ଦ ତାଙ୍କ ବୈଷୟିକ ଦଳ ସହିତ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର