ଖେଳାଳିଙ୍କୁ କ୍ରୀଡ଼ା ମନସ୍ତତ୍ତ୍ବବିତ୍‌ଙ୍କ ବାର୍ତା

ଭୁବନେଶ୍ବର: ସାମ୍ପ୍ରତିକ ସଙ୍କଟ ପରିସ୍ଥିତିରେ ଖେଳାଳିମାନେ ବି ଲମ୍ବା ସମୟ ଧରି ଗୃହାବଦ୍ଧ ରହିବା ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ବିଭିନ୍ନ ସମସ୍ୟା ଭିତରକୁ ଠେଲି ଦେଇପାରେ। ସେଥିପାଇଁ ରାଜ୍ୟର ଜଣାଶୁଣା କ୍ରୀଡ଼ା ମନସ୍ତତ୍ବବିତ୍‌ ଯୋଗମାୟା ପଣ୍ଡା ବାହାରି ଆସିଛନ୍ତି ସହାୟତାର ହାତ ବଢ଼ାଇବାକୁ। ‘ସମ୍ବାଦ’ ସହିତ ବାର୍ତ୍ତାଳାପ ଓ ଭାବ ବିନିମୟ ବେଳେ ରାଜ୍ୟର ଖେଳାଳିମାନଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ଅନେକ ଉପାଦେୟ ବାଣୀ। ବର୍ତମାନର ଆହ୍ବାନକୁ ଖେଳାଳିମାନେ ନିଶ୍ଚିତ ଗ୍ରହଣ କରିବେ ଏବଂ କରୋନା ସମୟରେ ନିଜକୁ ମନସ୍ତାତ୍ତ୍ବିକ ଭାବେ ଦୃଢ଼ ରଖ‌ିବେ ବୋଲି ଆଶା କରିଛନ୍ତି କଟକ ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗର ଏହି ସହକାରୀ ପ୍ରଫେସର। ଅତୀତରେ ଓଡ଼ିଶା ରଣଜୀ ଦଳ ସହ ଦୁଇଟି ଋତୁ ବିତାଇବା ସହିତ ବର୍ତମାନ ରାଜ୍ୟର ଦୁଇ ଟେନିସ୍‌ ଖେଳାଳି ଅଂଶୁ କୁମାର ଭୂୟାଁ ଓ ଅନମ ଅଲମସଙ୍କୁ ବି ମାନସିକ ସ୍ବାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଦେଇ ଆସୁଛନ୍ତି ଏହି କ୍ରୀଡ଼ାମନସ୍ତତ୍ତ୍ବବିତ୍‌। କରୋନା ଭଳି ଏଭଳି ଜଟିଳ ସମୟରେ ଖେଳାଳିମାନେ କ’ଣ କରିବେ ଏବଂ କ’ଣ ନ କରିବେ ଏହି ଅବସରରେ ରଖିଛନ୍ତି ସମ୍ପୂର୍ଣ୍ଣ ତାଲିକା।
କ୍ରୀଡ଼ାବିତ୍‌ କ’ଣ କରିବେ
୧. ପରିସ୍ଥିତିକୁ ଗ୍ରହଣ କରନ୍ତୁ, କାରଣ ଏଭଳି ପରିବର୍ତନ କେବଳ ଅପରିହାର୍ଯ୍ୟ।
୨. ନିଜସ୍ବ ଅଭ୍ୟାସ ସୂଚୀର ସମୀକ୍ଷା କରନ୍ତୁ।
୩. ସକାଳୁ କେତେବେଳେ ଉଠିବେ ସମୟ ନିର୍ଘଣ୍ଟ କରନ୍ତୁ। ଶରୀରକୁ ନମନୀୟ ରଖିବା ପାଇଁ ନିଜ ଘରେ ଥିବା ଜିମ୍‌ରେ ଶାରୀରିକ ତାଲିମ ନିଅନ୍ତୁ। ନିଜ ସହ କଥା ଏଭଳି କଥା ହୁଅନ୍ତୁ ‘ମୋ ପାଖରେ ଉପାୟ ଅଛି, ମୋ ପାଖରେ ଗତି ବି ଅଛି’।
୪. ମାନସିକ ତାଲିମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଅଭ୍ୟାସ କରନ୍ତୁ।
୫. ନିଜ ଖେଳ ଇଭେଣ୍ଟ୍‌ର ସର୍ବୋକୃଷ୍ଟ ଭିଡିଓ ୟୁଟୁବ୍‌ କମ୍ବା କୌଣସି ଅନ୍ୟ ସମାଜିକ ଗଣମାଧ୍ୟମ ଜରିଆରେ ଦେଖନ୍ତୁ ଏବଂ ନିଜ ପ୍ରଦର୍ଶନକୁ ଅନୁସରଣ କରନ୍ତୁ।
୬. ଭଲ ସ୍ବାସ୍ଥ୍ୟ ପାଇଁ ଏକ ଖାଦ୍ୟ ପ୍ରଣାଳୀ ପ୍ରସ୍ତୁତ କରନ୍ତୁ।
୭. ନିୟମିତ ଭାବରେ ନିଜର ଓଜନ ଲେଖିରଖନ୍ତୁ।
୮. ନିଜ ପ୍ରଶିକ୍ଷକ ଓ ମନସ୍ତତ୍ତ୍ବବିତ୍‌ଙ୍କ ସହିତ ନିୟମିତ କଥାବାର୍ତା କରନ୍ତୁ।
୯. ଏହି ସମୟକୁ ପରିବାର ସହିତ ବିତାନ୍ତୁ ଯାହା ସାଧାରଣତଃ ଆପଣ ଆଗରୁ ପାଉନଥିଲେ।
୧୦. କ୍ରୀଡ଼ାବଂଧୁମାନଙ୍କ ସହ କଥା ହୋଇ ଜାଣିବାକୁ ଚାହାନ୍ତୁ ସେ କାହିଁକି ବ୍ୟସ୍ତ ଅଛନ୍ତି।
୧୧. ସାପ୍ତାହିକ ଲକ୍ଷ୍ୟ ସ୍ଥିର କରିବାକୁ ଚେଷ୍ଟା କରନ୍ତୁ।
୧୨. ନିଜକୁ କାଳ୍ପନିକ ପ୍ରଶିକ୍ଷଣରେ ବିନିଯୋଗ କରନ୍ତୁ ଏବଂ ଅତୀତର ସର୍ବୋତ୍ତମ ପ୍ରଦର୍ଶନକୁ ମନେ ପକାନ୍ତୁ।
୧୩. ସକାରାତ୍ମକ ଚିନ୍ତା କରନ୍ତୁ ଏବଂ ନକାରାତ୍ମକ ଚିନ୍ତାଠୁ ଦୂରେଇ ରହନ୍ତୁ କିମ୍ବା ନିୟନ୍ତ୍ରଣ କରନ୍ତୁ।
୧୪. ପୂର୍ବ ପରି ତୁମ ଶୋଇବା ସମୟ ବଜାୟ ରଖନ୍ତୁ।
୧୫. ସରକାରୀ ନିର୍ଦ୍ଦେଶଗୁଡିକ ଅନୁସରଣ କରନ୍ତୁ ଏବଂ ଘରେ ସୁରକ୍ଷିତ ରୁହନ୍ତୁ।
୧୬. ଘରେ ନିରାପଦ ଓ ସୁସ୍ଥ ଜୀବନ ବିତାନ୍ତୁ, ସମୟକୁ ଉପଭୋଗ କରନ୍ତୁ।
କୀଡ଼ାବିତ୍‌ କ’ଣ କରିବେ ନାହିଁ
୧. ସାମ୍ପ୍ରତିକ ସଙ୍କଟ ଉପରେ ଅଧିକ ଚିନ୍ତା କରନ୍ତୁ ନାହିଁ, ସମୟ ଖୁବ୍‌ ଶୀଘ୍ର ବଦଳିଯିବ। ଏହା ଅବଶ୍ୟ ରାସ୍ତାର ଶେଷ ନୁହେଁ।
୨. ମିଳିଥିବା ଫାଙ୍କା ସମୟର ଅପବ୍ୟବହାର କରନ୍ତୁ ନାହିଁ।
୩. ଆମେ ସମସ୍ତେ ଗୋଟିଏ ଡଙ୍ଗାରେ ଅଛେ, ତେଣୁ ବର୍ତ୍ତମାନର ସମୟକୁ ଅତୀତ ସହ ତୁଳନା କରନାହିଁ।
୪. ନକାରାତ୍ମକ ଚିନ୍ତା କରିବାକୁ ନିଜକୁ ବାଧ୍ୟ କର ନାହିଁ।
-ଯୋଗମାୟା ପଣ୍ଡା, କ୍ରୀଡ଼ା ମନସ୍ତତ୍ତ୍ବବିତ୍‌
ଦୂରଭାଷ: 9861010330
ଇମେଲ୍‌: [email protected]

ସମ୍ବନ୍ଧିତ ଖବର