ନୂଆଦିଲ୍ଲୀ: ରବିବାର ଦିନ ବିଶାଖାପାଟନମରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିଥିଲା ଭାରତ। ଏହି ମ୍ୟାଚ ସହ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଦଳକୁ ଫେରିଥିଲେ। ବ୍ୟକ୍ତିଗତ କାମ ପାଇଁ ସେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଅନୁପସ୍ଥିତ ଥିଲେ। ଶୁକ୍ରବାର ଦିନ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ଖେଳାଯାଇଥିବା ବେଳେ ରୋହିତଙ୍କ ଦାୟିତ୍ବ ତୁଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଦ୍ୱିତୀୟ ଦିନିକିଆ ପାଇଁ ରୋହିତ ତାଙ୍କ ଟିମ ସହ ବିଶାଖାପାଟନମରେ ପହଞ୍ଚିବା ପରେ ତାଙ୍କୁ ବିମାନବନ୍ଦରରେ ପ୍ରଶଂସକମାନେ ସ୍ୱାଗତ କରିଥିଲେ। ଏହି ସମୟରେ ରେହିତ ଯେଉଁ କାମ କରିଥିଲେ, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ରୋହିତ ତାଙ୍କ ଟିମ ସହ ବିଶାଖାପାଟନମରେ ପହଞ୍ଚିବା ପରେ ବିମାନବନ୍ଦରରେ ଜଣେ ପ୍ରଶଂସକ ତାଙ୍କ ଭିଡିଓ ରେକର୍ଡ କରୁଥିଲେ। ଏହା ଦେଖି ରୋହିତ ହାତରେ ଧରିଥିବା ଗୋଲାପ ଫୁଲକୁ ଯୁବକଙ୍କୁ ଦେଇ ତାଙ୍କୁ କହିଥିଲେ, ଏଇଟା ନିଅ, ତୁମ ପାଇଁ। ଏହା ପରେ ଯୁବକଜଣକ ତାଙ୍କୁ ଧନ୍ୟବାଦ କହିବାରୁ ତୁମେ ମୋତେ ବିବାହ କରିବ କି? ବୋଲି କହିଥିଲେ ରୋହିତ । ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ଦେଖାଯାଇଛି।
Rohit Sharma is an amazing character – what a guy! pic.twitter.com/YZzPmAKGpk
— Mufaddal Vohra (@mufaddal_vohra) March 19, 2023
ତେବେ ରବିବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତକୁ ଅଷ୍ଟ୍ରେଲିଆଠାରୁ ହାରିବାକୁ ପଡ଼ିଥିଲା। ଡକ୍ଟର ୱାଇ ଏସ୍ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍ରେ ଭାରତ ୨୬ ଓଭରରେ ୧୧୭ ରନ୍ କରି ସମସ୍ତ ୱିକେଟ୍ ହରାଇଦେବା ପରେ ଅଷ୍ଟ୍ରେଲିଆ ମାତ୍ର ୧୧ ଓଭରରେ କୌଣସି ୱିକେଟ୍ ନ ହରାଇ ବିଜୟୀ ହୋଇଥିଲା।