‘ହେଲିକପ୍ଟର’ ନାମକରଣ ପଛରେ ସାକ୍ଷୀ, ଧୋନିଙ୍କ ଗୀତ ଉପରୁ ପରଦା ଉଠାଇ‌ଲେ ବ୍ରାଭୋ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ୩୯ତମ ଜନ୍ମଦିନ (ଜୁଲାଇ ୭) ଅବସରରେ ତାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ୱେଷ୍ଟଇଣ୍ଡିଜ୍‌ ଅଲରାଉଣ୍ଡର ଡ୍ବେନ୍‌ ବ୍ରାଭୋ ଏକ ଗୀତ ଉତ୍ସର୍ଗୀକୃତ କରିଥିଲେ। ଯାହାର ନାଁ ‘ହେଲିକପ୍ଟର-୭’ ରହିଥିଲା। ଏହି ଗୀତ ଉପରୁ ପରଦା ଉଠାଇଛନ୍ତି ନିଜେ ବ୍ରାଭୋ। ଏହି ଗୀତର ନାଁ ଏବଂ ଗୀତକୁ ଏକାଠି କରିବାରେ ଧୋନିଙ୍କ ପତ୍ନୀ ସାକ୍ଷୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।

ଏହି ଗୀତ ପାଇଁ ଧୋନି ଏବଂ ତାଙ୍କ ପତ୍ନୀ ସାକ୍ଷୀଙ୍କଠୁ ଭଲ ପ୍ରତିକ୍ରିୟା ମିଳିଥିଲା। ଗୀତରେ ରଖାଯାଇଥିବା କିଛି ଜିନିଷରେ ସାକ୍ଷୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଦାହରଣ ସ୍ୱରୂପ ଗୀତର ନାଁ ‘ହେଲିକପ୍ଟର’ ରଖିବା ତାଙ୍କ ଭାବନା ଥିଲା। ମୁଁ ଗୀତ ନାଁ ନଂ ୭ ରଖିବାକୁ ଚାହୁଁଥିଲି। ‌ହେଲେ ସମସ୍ତଙ୍କୁ ପଚାରିଥିଲି କ’ଣ ରଖିବା। ‘ହେଲିକପ୍ଟର-୭’ ଉପରେ ସମସ୍ତେ ମୋହର ମାରିଥିଲେ। ମୁଁ ଖୁସି ଯେ ଏହିପରି ଏକ ପ୍ରୋଜେକ୍ଟ ଏକାଠି କରିବାରେ ସକ୍ଷମ ହୋଇଥିଲି। ଘଣ୍ଟାଏ ମଧ୍ୟରେ ଏହି ଗୀତକୁ ‌ଲକ୍ଷେରୁ ଅଧିକ ଲୋକ ଦେଖିଥିଲେ ବୋଲି ବୁଧବାର ପ୍ରଥମ ଖେଳାଳି ଭାବେ ଟି-୨୦ରେ ୫୦୦ ୱିକେଟ୍‌ ଅକ୍ତିଆର କରିଥିବ‌ା ବ୍ରାଭୋ କହିଛନ୍ତି।

ଏହି ସଂଗୀତରେ ମୁଁ ଅଧିକ ମାତ୍ରାରେ ଜଡ଼ିତ ଅଛି। ମୋର ସଂଗୀତ ଦଳକୁ କହିଥିଲି ଯେ ଧୋନିଙ୍କ ଅବସର ପୂର୍ବରୁ ତାଙ୍କ ପାଇଁ ଗୋଟିଏ ଗୀତ କରିବାକୁ ପଡ଼ିବ। କିନ୍ତୁ ଏହା ବିଦାୟୀ କି ଦୁଃଖଦ ନହେଉ ବୋଲି ଚାହୁଁଥିଲି। ତାଙ୍କ ଖେଳ ଜୀବନର ସଫଳତାର ଏହି ଗୀତରେ ରହୁ ‌ବୋଲି ଇଚ୍ଛା ଥିଲା। ‌ଜଣେ ଅବସର ନେଲା ପରେ ହିଁ ଲୋକେ ତାଙ୍କୁ ବେଶୀ ମନେ ପକାଇଥା’ନ୍ତି। କିନ୍ତୁ ସେ ‌ଅବସର ନେବେ ବୋଲି ମୋର ଧାରଣା ନଥିଲା। ହେଲେ ଭଲ କଥା ହେଉଛି ଯେ ଏବେ ତାଙ୍କୁ ହଳଦିଆ ରଙ୍ଗ ଜର୍ସିରେ ଖେଳିବାର ଦେଖିବାକୁ ପାଇବା ବୋଲି ବ୍ରାଭୋ କହିଛନ୍ତି। ସେ ଦେଶ ତଥା ମୋ ପାଇଁ ବ୍ୟକ୍ତିଗତ ଭାବେ ବହୁତ କିଛି କରିଛନ୍ତି। ମୋ ଖେଳର ଉନ୍ନତି ପାଇଁ ସେ ବହୁତ ସାହାଯ୍ୟ କରିଛନ୍ତି। ଏଥିପାଇଁ ତାଙ୍କ ଲାଗି ଏଭଳି ସଂଗୀତ କରିବାକୁ ଆଗ୍ରହ ଦେଖାଇଥିଲି ବୋଲି ସିଏସ୍‌କେ ପକ୍ଷରୁ ୧୧୩ ଆଇପିଏଲ ମ୍ୟାଚ୍‌ ଖେଳି ୧୧୮ ୱିକେଟ୍ ନେଇଥିବା ବ୍ରାଭୋ କହିଛନ୍ତି। ଅନ୍ୟ ଲୋକଙ୍କ ପରି ସ‌ାମାଜିକ ଗଣମାଧ୍ୟମ‌ରୁ ତାଙ୍କ ଅବସର ବିଷୟରେ ଜାଣିବାକୁ ପାଇଥିଲି। ଧୋନିଙ୍କ ସହ ମୋର ବହୁତ ଭଲ ସମ୍ପର୍କ। କିନ୍ତୁ ସେ ମୋ ସହ ଏହି ବିଷୟରେ ଆଲୋଚନା କରିନଥିଲେ। ଅବସର କଥା ଶୁଣି ମୁଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି ବୋଲି ଆଇପିଏଲ୍‌ର ଦ୍ବିତୀୟ ସର୍ବାଧିକ ୱିକେଟ୍‌ ହାସଲକାରୀ ବ୍ରାଭୋ କହିଛନ୍ତି। ବ୍ରାଭୋ ଏବଂ ଧୋନି ଆସନ୍ତା ମାସ ୧୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁଥିବା ଆଇପିଏଲ୍‌ରେ ଏକାଠି ସିଏସ୍‌କେ ପକ୍ଷରୁ ଖେଳିବେ।

ସମ୍ବନ୍ଧିତ ଖବର