ଧୋନି ୪ ନମ୍ବରରେ ବ୍ୟାଟିଂ ପାଇଁ ନିଜେ ଚାହୁଁଥିଲେ: ଆର୍‌ପି ସିଂହ

ନୂଆଦିଲ୍ଲୀ: ନିକଟରେ ଅବସର ଘୋଷଣା କରିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ଆନ୍ତର୍ଜାତିକ ଜୀବନର ଅଧିକାଂଶ ସମୟ ମଧ୍ୟକ୍ରମରେ (୫ କିମ୍ବା ୬ ସ୍ଥାନ) ବ୍ୟାଟିଂ କରୁଥିଲେ। ତେବେ ଧୋନି ନିଜେ ଉପରକ୍ରମରେ ବ୍ୟାଟିଂ କରିବାକୁ ଚାହୁଁଥିଲେ; ହେଲେ ତାଙ୍କ ତୁଳନାରେ ଆଉ କେହି ମ୍ୟାଚ୍‌ ଫିନିସ୍‌ କରିବାରେ ଶ୍ରେଷ୍ଠ ହେବେନି ବୋଲି ଦଳୀୟ କର୍ତ୍ତୃପକ୍ଷ ଚିନ୍ତା କରିଥିବାରୁ ଧୋନିଙ୍କ ଇଛା ପୂରଣ ହୋଇପାରିନଥିଲା। କିନ୍ତୁ ସେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଚାହାନ୍ତି ବୋଲି ଧୋନି ନିଜେ ଏକ ସାକ୍ଷାତକାରରେ କହିଥିବା କଥା ମନେ ପକାଇଛନ୍ତି ଭାରତୀୟ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆର୍‌ପି ସିଂହ। ଧୋନିଙ୍କ ଭଳି ଜଣେ ସଫଳ ବ୍ୟାଟ୍‌ସମ୍ୟାନ୍‌ ପ୍ରକୃତରେ ଉପରକ୍ରମରେ ବ୍ୟାଟିଂ କରିବା ଦଳ ପାଇଁ ଲାଭଦାୟକ ହୋଇଥା’ନ୍ତା। ହେଲେ ନିମ୍ନକ୍ରମରେ ଚାପକୁ ଏଡାଇ ମ୍ୟାଚ୍‌ ଜିତାଇବାର କଳା ହୁଏତ ଅନ୍ୟ କାହାରିଠାରେ ଦଳୀୟ କର୍ତ୍ତୃପକ୍ଷ ଦେଖିବାକୁ ପାଉନଥିଲେ। ଯେଉଁଥିପାଇଁ ତାଙ୍କୁ ୫ କିମ୍ବା ୬ ନମ୍ବରରେ ଅଧିକାଂଶ ସମୟ ବ୍ୟାଟିଂ କରିବାକୁ ପଡ଼ିଥିଲା। ହେଲେ ମୋର ଯାହା ମନେପଡ଼େ ଧୋନି ନିଜେ ଏକ ସାକ୍ଷାତକାର ଅବସରରେ ସେ ୪ ନମ୍ବରରେ ବ୍ୟାଟିଂ କରିବାକୁ ଇଛୁକ ବୋଲି କହିଥିବା କହିଛନ୍ତି ଆର୍‌ପି ସିଂହ।

ତୁମେ ଯଦି କ୍ରିକେଟ୍‌ର ଇତିହାସ ସଂପର୍କରେ ଆଲୋଚନା କରିବ ତାହାଲେ ଧୋନିଙ୍କ ଭଳି ଜଣେ ମ୍ୟାଚ୍‌ ବିଜେତା ଖେଳାଳି କଦାପି ପାଇବନି। ବିଶ୍ବ କ୍ରିକେଟ୍‌ରେ ଦେଖିବାକୁ ଗଲେ ଧୋନିଙ୍କ ଭଳି ମ୍ୟାଚ୍‌ ବିଜେତା ସାମର୍ଥ୍ୟ କେବଳ ଅଷ୍ଟ୍ରେଲିଆର ପୂର୍ବତନ ବ୍ୟାଟ୍‌ସମ୍ୟାନ୍‌ ମାଇକେଲ ବେଭାନଙ୍କଠାରେ ଦେଖାଯାଉଥିଲା। ଆମେ ଯଦି ଉଭୟ ଧୋନି ଓ ବେଭାନଙ୍କ କଥା କହିବା ତାହାଲେ ଏହା ସଂପୂର୍ଣ୍ଣ ଭିନ୍ନ ରହିବ। ଧୋନିଙ୍କ ପଡ଼ିଆ ବାହାର ବ୍ୟକ୍ତିତ୍ବ ନିଆରା ଥିଲା। ସେ ସବୁବେଳେ ପଡ଼ିଆରେ ମଜି ରହୁଥିଲେ। ସବୁବେଳେ ସେ କ୍ରିକେଟ୍‌ ପାଇଁ ଜଣେ‌ ଯୋଗ୍ୟ ବ୍ୟକ୍ତି ଥିଲେ। ଆମେ ଯେବେବି କିଛି ଅଭିଯୋଗ କରୁଥିଲୁ ସେ ଆମ ଫୋନ୍‌ ଉଠାଉନଥିଲେ। ବରଂ ଥରେ ସେ ମୁନାଫ ପଟେଲ ଓ ମୋତେ କହିଥିଲେ, ଯେତେବେଳେ ସେ ଅବସର ନେଇଯିବେ ସେତେବେଳେ ମାତ୍ର ଅଧା ରିଙ୍ଗ୍‌ରୁ ଫୋନ୍‌ ଉଠାଇବେ। ଏବେ ସେ ସମୟ ଆସିଯାଇଛି। ସେ ଅବସର ନେଇସାରିଥିବାରୁ ଆମେ ଫୋନ୍‌ କରି ତାଙ୍କ କହିଥିବା କଥାକୁ ଯାଞ୍ଚ କରିପାରିବୁ ବୋଲି କହିଛନ୍ତି ଆର୍‌ପି ସିଂହ।

ସମ୍ବନ୍ଧିତ ଖବର