ଜ୍ଞାନ ହେଉଛି ଅଭିବୃଦ୍ଧିର ମୂଳ ସମ୍ବଳ: ମୁଖ୍ୟମନ୍ତ୍ରୀ

କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ବର : ଦେଶରେ ସାମାଜିକ ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଜ୍ଞାନ ହେଉଛି ମୂଳ ସମ୍ବଳ। ଶନିବାର କିଟ୍‍ ବିଶ୍ୱବିଦ୍ୟାଳୟର ୧୮ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ, ଜ୍ଞାନ ବିପ୍ଳବ ଆମ ଜୀବନର ପ୍ରତ୍ୟେକଟି ଦିଗକୁ ଏକ ସ୍ୱତନ୍ତ୍ର ରୂପ ଦେଇଥାଏ। ବର୍ତ୍ତମାନର ଜ୍ଞାନଯୁଗ ନୂତନ ସର୍ଜନା ଓ ଚିନ୍ତାଧାରାକୁ ପୁରସ୍କୃତ କରିଥାଏ।

ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ କହିଲେ, ବର୍ତ୍ତମାନ ସମୟରେ ବିଶ୍ୱର ଷ୍ଟାର୍ଟ-ଅପ୍‍ ଇକୋସିଷ୍ଟମ୍‌ରେ ଭାରତ କ୍ଷିପ୍ର ଗତିରେ ଯୋଗଦାନ କରିଚାଲିଛି। ଆମ ଦେଶର ଯୁବକମାନେ ଏହି ଷ୍ଟାର୍ଟଅପ୍‍ ଆନ୍ଦୋଳନକୁ ନେତୃତ୍ୱ ଦେଉଛନ୍ତି। ତୁମେମାନେ ଦେଶର ପରବର୍ତ୍ତୀ ନେତୃତ୍ୱ। ଦେଶକୁ ଏକ ନୂତନ ରୂପରେଖ ଦେବା ପାଇଁ ତୁମମାନଙ୍କ ପାଇଁ ଏକ ସୁଯୋଗ ରହିଛି। ମୁଁ ନିଶ୍ଚିତ, କିଟ୍‍ର ଛାତ୍ରଛାତ୍ରୀମାନେ ସେମାନଙ୍କ ସର୍ଜନା ଓ ନୂତନ ଚିନ୍ତାଧାରା ବଳରେ ସମାଜ ଗଠନରେ ସହାୟକ ହେବେ। ଶିକ୍ଷା ସହ କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ କିଟ୍‍ର ଉଲ୍ଲେଖନୀୟ ଅବଦାନ ରହିଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଗୁଏତମାଳାର ବିଶିଷ୍ଟ ସମାଜସେବୀ ତଥା ଶାନ୍ତି ନୋବେଲ ବିଜୟିନୀ ଡ. ରିଗୋବେର୍ତ୍ତା ମେଞ୍ଚୁ ତୁମ୍‍ ଭର୍ଚୁଆଲ୍‌ରେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଲେ, ବର୍ତ୍ତମାନ ବିଶ୍ୱ ଏଭଳି ନେତୃତ୍ୱ ଆବଶ୍ୟକ କରୁଛି, ଯେଉଁମାନଙ୍କଠାରେ ମାନବିକତା ଭରି ରହିଛି। ତୁମେମାନେ ତୁମର ବୈଷୟିକ ଜ୍ଞାନର ବିନିଯୋଗ କରି ମାନବିକତାର ସହ ବିଶ୍ୱକୁ ନେତୃତ୍ୱ ଦେଇପାରିବ ବୋଲି ସେ କହିଥିଲେ। ଶିକ୍ଷା କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ସହ ଗୁଏତମାଳା ଅନୁବନ୍ଧିତ ହେବାକୁ ସେ ଚାହାନ୍ତି ବୋଲି କହିଥିଲେ।
ବିଶ୍ୱବିଦ୍ୟାଳୟର କୁଳାଧିପତି ଅଶୋକ କୁମାର ପରିଜା କହିଲେ, ଦେଶ ସଶକ୍ତ ହେବା କ୍ଷେତ୍ରରେ ଶିକ୍ଷା ହେଉଛି ଏକ ମାଧ୍ୟମ। ଏହା ମଧ୍ୟ ଜଣେ ବ୍ୟକ୍ତିର ଚରିତ୍ର ଗଠନରେ ସହାୟକ ହୋଇଥାଏ। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ନିଜ ନିଜ କ୍ଷେତ୍ରରେ ଅଗ୍ରସର ହେବା ସହ ସର୍ବଦା ଭଲ ମଣିଷ ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରି ପ୍ରଦାନ କରାଯାଇଥିଲା। ବ୍ରିଟିସ୍‌ ପାର୍ଲାମେଣ୍ଟ ସାଂସଦ ଜନ୍‍ ଦେଶମଣ୍ଡ ଫୋବ୍‍ସ ଆଣ୍ଡେରସନ୍‌, ଇଉରୋପିଆନ୍‍ ୟୁନିଅନ୍‌ ସାଂସଦ ହିମାଂଶୁ ଗୁଲାଟି, ଜର୍ମାନ୍‍ର ବରିଷ୍ଠ ବୈଦେଶିକ ନୀତି ପରାମର୍ଶଦାତା ଆଣ୍ଡେରେସ୍‌ ଜନ୍‌, ପାରା ଅଲିମ୍ପିକ୍‍ କମିଟି ଅଫ୍‍ ଇଣ୍ଡିଆର ସଭାପତି ଖେଲରତ୍ନ ଓ ଅର୍ଜୁନ ପୁରସ୍କାର ବିଜୟିନୀ ଡ. ଦୀପା ମଲ୍ଲିକ, ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପ୍ରତିନିଧି ଏବଂ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ବିଶୋ ପାରୁଜୁଲି, ମୁମ୍ବାଇସ୍ଥିତ ଆଫ୍‍କନ୍‍ ଇନ୍‍ଫ୍ରାଷ୍ଟ୍ରକ୍ଚର୍‌ର କାର୍ଯ୍ୟକାରୀ ଉପାଧ୍ୟକ୍ଷ କେ. ସୁବ୍ରମଣ୍ୟନ ଏବଂ ଏସ୍‍.ଏନ୍‍ ମହାନ୍ତି ଗ୍ରୁପ୍‍ର ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତିଙ୍କୁ ଚଳିତବର୍ଷ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଥିଲା।

ଚଳିତବର୍ଷ ୧୬୩ ଜଣଙ୍କୁ ପିଏଚ୍‍ଡି ଡିଗ୍ରି ସମେତ ବିଭିନ୍ନ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ମୋଟ ୮୧୨୩ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୩ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣପଦକ, ୩୪ଜଣଙ୍କୁ କୁଳାଧିପତି ସ୍ୱର୍ଣ୍ଣପଦକ, ନନୀବାଳା ସ୍ୱର୍ଣ୍ଣପଦକ, ଶ୍ରୀକୃଷ୍ଣଚନ୍ଦ୍ର ପଣ୍ଡା ସ୍ମାରକୀ ସ୍ୱର୍ଣ୍ଣପଦକ, ପି.କେ ବଳ ସ୍ମାରକୀ ସ୍ୱର୍ଣ୍ଣପଦକ, ପିପିଏଲ୍‍ ସ୍ୱର୍ଣ୍ଣପଦକ ଓ ୩୦ଜଣଙ୍କୁ କୁଳପତି ରୌପ୍ୟପଦକ ପ୍ରଦାନ କରାଯାଇଥିଲା। କାର୍ଯ୍ୟକମ୍ରରେ ଉପକୁଳାଧିପତି ପ୍ରଫେସର୍‌ ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର