କାହା ପାଇଁ ଅଟକିଛି ୨୦୦ଫୁଟିଆ ରାସ୍ତା: ୪ବର୍ଷରେ ସରିପାରିଲାନି ୧୩କିମି ରାସ୍ତା

ଦେଢ଼ ବର୍ଷ ହେଲା ୯୦୦ମିଟର ରାସ୍ତା ନିର୍ମାଣ କରିପାରୁନି ପୂର୍ତ୍ତ ବିଭାଗ, ଜମି ଅଧିଗ୍ରହଣ ନେଇ ବିଡିଏ-ପୂର୍ତ୍ତ ବିଭାଗ ଟଣାଓଟରା

ଭୁବନେଶ୍ବର: ୨୦୩୦ ସୁଦ୍ଧା ଭୁବନେଶ୍ବରର ଜନସଂଖ୍ୟା ପ୍ରାୟ ୧୫ଲକ୍ଷ ହେବ। ହେଲେ କେବଳ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜନସଂଖ୍ୟା ୭ଲକ୍ଷ ଛୁଇଁବ ବୋଲି ୨୦୧୭ ମସିହାରେ ଆକଳନ କରାଯାଇଥିଲା। ସେତେବେଳେ ଜୟଦେବବିହାର – ନନ୍ଦନକାନନ ରୁଟ୍‌ରେ ଅସମ୍ଭାଳ ଭିଡ଼ ହେଉଥିବାବେଳେ ଆଗକୁ ଯେପରି ଏହା ଅଣାୟତ ନହେବ ତାହାକୁ ନଜରରେ ବିଡିଏ ପକ୍ଷରୁ ଏହି ରାସ୍ତାର ସମାନ୍ତରାଳ ରାସ୍ତା ଯୋଜନା ହୋଇଥିଲା। ଚନ୍ଦକା ଛକକୁ ସଂଯୋଗ କରିବା ପାଇଁ ପଥରଗାଡ଼ିଆ ଠାରୁ ଏକାମ୍ରକାନନ ପର୍ଯ୍ୟନ୍ତ ପ୍ରାୟ ୧୩କିମିର ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ପାଇଁ ୯୨କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଛି। ହେଲେ ଦୀର୍ଘ ୪ବର୍ଷ ପରେ ବି ଏହି ରାସ୍ତା ନିର୍ମାଣ ସରିପାରୁନି। ପ୍ରାୟ ଦେଢ଼ ବର୍ଷ ହେଲା ଏହି ରାସ୍ତା ହାତୀଆସୁଣି ନିକଟରେ ଅଟକି ରହିଛି। ସାଲିଆ ସାହିର ୬୮୫ ଘର ପାଇଁ ଏହି ରାସ୍ତା ଅାଗକୁ ଯାଇପାରୁନଥିବା କୁହାଯାଉଥିଲେ ହେଁ ବାସ୍ତବରେ ଏହା କେତେକ ବଡ଼ବଡ଼ିଆଙ୍କ ଚାପରେ ଅଟକିଯାଇଥିବା ଜଣାପଡ଼ିଛି। ଏପରିକି ଏହି ରାସ୍ତାର ଆଲାଇନମେଣ୍ଟ ବଦଳାଇବାକୁ ଏବେ ଭିତିରିଆ କସରତ ଆରମ୍ଭ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ୨୦୦ଫୁଟିଆ ରାସ୍ତାର ନିର୍ମାଣ କାମ ହାତୀଆସୁଣି ନିକଟରେ ଅଟକି ରହିଛି। ସାଲିଆ ସାହି ଭିତରେ ମାତ୍ର ୯୦୦ମିଟର ଅତିକ୍ରମ କଲେ ଏହା ଏକାମ୍ରକାନନ ନିକଟ ମୁଖ୍ୟ ରାସ୍ତାକୁ ଛୁଇଁବ। କିନ୍ତୁ ଏକାମ୍ର କାନନ ନିକଟରେ ଥିବା ଘରୋଇ ଜମିରେ ଯେଉଁ ଘର ଅଛି ତାକୁ ଭାଙ୍ଗିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହେଉନି। ପୂର୍ବରୁ ନୀଳାଦ୍ରିବିହାର, ରେଲୱେ କଲୋନି ପଛ ପାର୍ଶ୍ବରେ ଏହି ରାସ୍ତା ପାଇଁ ଜମି ଅଧିଗ୍ରହଣ ବାଧକ ଥିବାବେଳେ ଦୁଇପାର୍ଶ୍ବ‌ରୁ ରାସ୍ତା ନିର୍ମାଣ କରାଯାଇଥିଲା। ଫଳରେ ଜମି ଅଧିଗ୍ରହଣ ସହଜ ହୋଇଥିଲା ଏବଂ ଶୀଘ୍ର ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ଏବେ ବସ୍ତି ବାସିନ୍ଦାଙ୍କୁ ଆଳ କରି କିଛି ଲୋକ ଏବେ ରାସ୍ତାର ଆଲାଇନମେଣ୍ଟ ବଦଳାଇବାକୁ ଯୋଜନା କରୁଛନ୍ତି। ଯେଉଁଥିପାଇଁ ଏକାମ୍ରକାନନ ଛକ ପାର୍ଶ୍ବରୁ ବି ରାସ୍ତା ନିର୍ମାଣ ହେଉନି। ‌ତେଣୁ ଦେଢ଼ ବର୍ଷ ତଳେ ରାସ୍ତା ଯେଉଁଠି ଥିଲା ଏବେ ସେଇଠି ଅଟକିଛି।

ଜୟଦେବ ବିହାର ଛକରୁ ନନ୍ଦନକାନନ ମଧ୍ୟରେ ଭିଡ଼କୁ କମାଇବାକୁ ରାଜ୍ୟ ସରକାର ମେଟ୍ରୋ ଟ୍ରେନ୍ ରୁଟ୍‌ ଏହି ରାସ୍ତାରେ ନେଉଥିବାବେଳେ ପୂର୍ତ୍ତ ବିଭାଗ ବି ଏହି ରାସ୍ତାରେ ୫ରୁ ଅଧିକ ଫ୍ଲାଏଓଭର, ଅଣ୍ଡରପାସ୍ ନିର୍ମାଣ କରିବାକୁ ଯୋଜନା କରିଛି। ହେଲେ ବାମପାର୍ଶ୍ବ ସମାନ୍ତରାଳ ରାସ୍ତା ନିର୍ମାଣ ଦାୟିତ୍ବ ନେଇଥିବା ପୂର୍ତ୍ତ ବିଭାଗ ଏହି ୯୦୦ମିଟର ରାସ୍ତା ନିର୍ମାଣ କରିବାକୁ ଆଣ୍ଠେଇଛି। ଏନେଇ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ୨୦୦ଫୁଟିଆ ରାସ୍ତାର ଆଲାଇନମେଣ୍ଟ୍‌ ଜମିକୁ ଜଙ୍ଗଲ କିସମରୁ ଅଣଜଙ୍ଗଲ କିସମ କରି ପୂର୍ତ୍ତ ବିଭାକୁ ଜଣାଇ ଦିଆଯାଇଛି। ପୂର୍ତ୍ତ ବିଭାଗ ଏହି ରାସ୍ତା ପାଇଁ ଜମି ଅଧିଗ୍ରହଣ କରିବା କଥା। ଘରୋଇ ଜମିକୁ ସେମାନେ ଅଧିଗ୍ରହଣ କଲେ ଏହାକୁ ଆମେ ଉଚ୍ଛେଦ କରି ତାଙ୍କୁ ହସ୍ତାନ୍ତର କରିଦେବୁ। ଏହାପରେ କାମ ଆରମ୍ଭ ହୋଇପାରିବ। ହେଲେ ସେମାନେ ଜମି ଅଧିଗ୍ରହଣ କରୁନାହାନ୍ତି। ସେହିପରି ସାଲିଆସାହିର ଯେଉଁ ଲୋକମାନଙ୍କର ଘର ଭଙ୍ଗାଯିବ ସେମାନଙ୍କୁ ଘର ଦିଆଯିବ କି ଅନ୍ୟତ୍ର ଜମି ଅଧିକାର ଦିଆଯିବ ସେନେଇ ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ନିଆଯିବ। ଏହି ରାସ୍ତା ନିର୍ମାଣ ଗତ ଡିସେମ୍ବର ସୁଦ୍ଧା ସରିବାର ଥିଲା। ହେଲେ ଯେଉଁଠି କାମ ବନ୍ଦ ହୋଇଛି ତା’ପରେ ଆଉ ଆଗଉନି।

ପୂର୍ତ୍ତ ବିଭାଗର ଭୁବନେଶ୍ବର ଡିଭିଜନ-୩ ଅଧୀକ୍ଷଣ ଯନ୍ତ୍ରୀ ଗାୟତ୍ରୀ ପଟେଲ କହିଛନ୍ତି ଯେ, ଏବେ ଜମି ଅଧିଗ୍ରହଣ ବାଧକ ଥିବାରୁ ରାସ୍ତା କାମ ଅାରମ୍ଭ ହୋଇପାରୁନି। ସାଲିଆ ସାହି ଭିତରେ ଯେଉଁ ବସ୍ତି ଉଚ୍ଛେଦ ହେବ ତାହା ବିଡିଏ କରିବ। ଘରୋଇ ଜମି ପ୍ରଶାସନ ଅଧିଗ୍ରହଣ କରିବ। ଯେଉଁପଟୁ ଆଗ ଜମି ଅଧିଗ୍ରହଣ ହେବ ସେହି ପାର୍ଶ୍ବରୁ ରାସ୍ତା ନିର୍ମାଣ ଆରମ୍ଭ କରିବୁ। ବିଡିଏ କହୁଛି ପୂର୍ତ୍ତ ବିଭାଗ ଜମି ଅଧିଗ୍ରହଣ କରିବ, ପୂର୍ତ୍ତ ବିଭାଗ କହୁଛି ବିଡିଏ ଓ ପ୍ରଶାସନ ଜମି ଅଧିଗ୍ରହଣ କରିକି ଦେଲେ ରାସ୍ତା ନିର୍ମାଣ ହେବ। ସରକାରଙ୍କ ଦୁଇ ସଂସ୍ଥା ଜମି ଅଧିଗ୍ରହଣକୁ ନେଇ ଟଣାଓଟରା ହେଉଥିବାବେଳେ ପ୍ରତିଦିନ ହଜାର ହଜାର ଲୋକ ଜୟଦେବ ବିହାର-ନନ୍ଦନକାନନ ରାସ୍ତାର ଅସମ୍ଭାଳ ଭିଡ଼ରେ ଅଣନିଶ୍ବାସୀ ହୋଇଗଲେଣି।

ସମ୍ବନ୍ଧିତ ଖବର