ଏଟିଏମ୍‌ ଭାଙ୍ଗି ୩ ଲକ୍ଷ ୯୨ ହଜାର ଲୁଟ୍‌

ହରିପୁର/ଚଣ୍ଡି‌ଖୋଲ : କୁଆଖିଆ ଥାନା ଅନ୍ତର୍ଗତ ହରିପୁର ହାଟରେ ଥିବା ଏକ ଏଟିଏମ୍‌ କାଉଣ୍ଟର ଭାଙ୍ଗି ଗତକାଲି ରାତିରେ ଲକ୍ଷାଧିକ ଟଙ୍କାର ଚୋରି ହୋଇଛି। ହାଟର ଜଗନ୍ନାଥ ମଠ ନିକଟରେ ଥିବା ଆକ୍ସିସ ବ୍ୟାଙ୍କ୍‌ ଏଟିଏମ୍‌କୁ ବିଳମ୍ବିତ ରାତିରେ କିଛି ଲୁଟେରା ଗ୍ୟାସ୍ କଟର୍‌ରେ କାଟି ସେଥିରେ ଥିବା ପ୍ରାୟ ୩ ଲକ୍ଷ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଏଟିଏମ୍‌ର ଟଙ୍କା ବୋଝେଇ ଫ୍ରାଞ୍ଚାଇଜ୍‌ ଅଧିକାରୀ ସୁଧୀର କୁମାର ବରାଳ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳେ ହାଟର ବ୍ୟବସାୟୀମାନଙ୍କ ଠାରୁ ଖବର ପାଇ କୁଆଖିଆ ଥାନା ଅଧିକାରୀ ଶିବ ପ୍ରସାଦ ବେହେରା ଓ ଯାଜପୁର‌ରୋଡ ଏସଡିପିଓ ପ୍ରମୋଦ କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ପ୍ରକାଶ ଯେ, ଗତ ୨୪ ତାରିଖ ବିଳମ୍ବିତ ରାତିରେ ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ବଜାରରେ ଥିବା ଏସ୍‌ବିଆଇ ଏଟିଏମ୍‌କୁ କିଛି ଦୁର୍ବୃତ୍ତ ଖୋଳି ନେଇଛନ୍ତି। ଏଥିରେ ଥିବା ୫ଲକ୍ଷ ୬୭ ହଜାର ୫ଶହ ଟଙ୍କା ଲୁଟ୍ ହୋଇଥିଲା। ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଗୋଟିଏ ସିସି କ୍ୟାମେରା ଭାଙ୍ଗି ଦେଇଥିବା ବେଳେ ଅନ୍ୟଟିରେ କଳା ରଙ୍ଗ ବୋଳି ଦେଇଥିଲେ। ସିସି କ୍ୟାମେରା ହାର୍ଡଡିସ୍କକୁ ମଧ୍ୟ ଲୁଟି ନେଇଥିଲେ। ଏସମ୍ପର୍କରେ ଧର୍ମଶାଳା ଥାନା କେସ୍‌ ନମ୍ବର ୪୮୫/୨୨ରେ ଏକ ମାମଲା ରୁଜୁ ହୋଇଛି। ହେଲେ ଅପରାଧୀମାନଙ୍କ ସମ୍ପର୍କରେ ପୁଲିସକୁ କୌଣସି ସୂଚନା ମିଳିନାହିଁ।

ଏହି ଘଟଣା ପରେ ଆଜି ଚଣ୍ଡିଖୋଲ ଅଞ୍ଚଳର ଏଟିଏମ୍‌ କାଉଣ୍ଟରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ବଡ଼ଚଣା, ବାଲିଚନ୍ଦ୍ରପୁର ଓ ବୈରୀ ଆଦି ତିନୋଟି ଥାନା ଅଞ୍ଚଳର ବିଭିନ୍ନ ହାଟ ବଜାରରେ ବହୁ ଏଟିଏମ୍‌ ସ୍ଥାପନ କରାଯାଇଛି। ଲୁଟେରାମାନେ ଦୁଇଟି ସ୍ଥାନରୁ ଏଟିଏମ୍‌ ଭାଙ୍ଗି ଅର୍ଥ ଲୁଟ‌୍ କରିବା ପରେ ବଡ଼ଚଣା ଅଞ୍ଚଳ ଉପରେ ଆଖି ପକାଇଥିବା ଆଶଙ୍କା ପ୍ରକାଶ ପାଇଛି। ଗତ କିଛିଦିନ ହେଲା ବିଳମ୍ବିତ ରାତିରେ ଚଣ୍ଡିଖୋଲ ଛକ ଅଞ୍ଚଳରେ କେତେକ ଅଜଣା ଯୁବକ ବୁଲୁଥିବା ଚର୍ଚ୍ଚା ହେଉଛି। ଫଳରେ ବଡ଼ଚଣା ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ର ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା ସହିତ ସୁରକ୍ଷା କର୍ମୀ ମୁତୟନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର