ମାନବବାଦୀ ସଂଗଠନ ନିର୍ଯାତନା ମାମଲା: ୩ ଜଣଙ୍କୁ ରିମାଣ୍ଡରେ ଆଣିଲା ପୁଲିସ 

ଖୋର୍ଦ୍ଧା: ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନବବାଦୀ ସଂଗଠନର ସଦସ୍ୟଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯିବା ମାମଲାରେ ପୁଲିସ ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣିଛି।

ଏନେଇ ଏସ୍‌ପି ରାଜ କିଶୋର ଦୋରା କହିଛନ୍ତି ଯେ ସତ୍ୟବ୍ରତ ନାୟକଙ୍କ ହତ୍ୟାମାମଲା (ମାମଲା ନଂ ୧୪୯/୨୧)ରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରାଯାଇଥିଲା। ଏହା ମଧ୍ୟରୁ ୩ଜଣ ମାମଲା ନଂ ୧୬୬/୨୧ରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏଣୁ ମାମଲା ସମ୍ପର୍କରେ ଅଧିକ ତଦନ୍ତ କରିବାକୁ ପୁଲିସ ପକ୍ଷରୁ ସ୍ୱପ୍ନେଶ୍ୱର ନାୟକ, ବୈକୁଣ୍ଠ ନାୟକ, ଟୁଲୁ ବେହେରାଙ୍କୁ ୪ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯାଇଥିଲା। ଆଜି କୋର୍ଟ ସେମାନଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

ସେହିଭଳି ହଳଦିଆରେ ମାନବବାଦୀ ସଂଗଠନ ଦ୍ୱାରା ବିତାଡ଼ିତ ହୋଇଥିବା ଦେବରାଜ ଓ ସୁମନ୍ତ ସ୍ୱାଇଁଙ୍କ ପରିବାର ସମ୍ପର୍କରେ କହିଛନ୍ତି ଯେ ଏନେଇ ସୂଚନା ପାଇବା ପରେ ସେ ଥାନା ଅଧିକାରୀଙ୍କୁ ସେଠାକୁ ପଠାଇଥିଲେ। ଥାନା ଅଧିକାରୀ ଗାଁ ଲୋକଙ୍କ ସହ ଆଲୋଚନା କରିଛନ୍ତି।  ଅନୁସନ୍ଧାନରୁ ୨୦୧୪ରେ ସେମାନଙ୍କ ଉପରେ ଆକ୍ରମଣ ଘଟଣାରେ ୪-୫ଜଣ ବ୍ୟକ୍ତି ଗିରଫ ମଧ୍ୟ ହୋଇଛନ୍ତି। ତେବେ ଏତେଦିନ ଧରି ସେମାନେ କାହିଁକି ଗାଁକୁ ଫେରିନାହାନ୍ତି ସେନେଇ ଅଧିକ ତଦନ୍ତ ପାଇଁ ଡିଏସ୍‌ପିଙ୍କୁ କହିଛନ୍ତି,  ଆବଶ୍ୟକ ପଡ଼ିଲେ ସେ ନିଜେ ସେମାନଙ୍କ ସହ ଏନେଇ ଆଲୋଚନା କରିବେ ବୋଲି ଏସ୍‌ପି ଶ୍ରୀ ଦୋରା କହିଛନ୍ତି।

ସମ୍ବନ୍ଧିତ ଖବର