କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ- ଗ୍ୟାସ, ଡିଜେଲ ପେଟ୍ରୋଲରୁ କମାଇଥିବା ୨୩ ଲକ୍ଷ କୋଟି ଟଙ୍କା କୁଆଡେ ଗଲା?

ନୂଆଦିଲ୍ଲୀ : ମୋଦୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, କେନ୍ଦ୍ର ସରକାର ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ସିଧାସଳଖ ଲୁଟୁଛନ୍ତି । ଏସବୁ ସାମଗ୍ରୀର ଦରବୃଦ୍ଧି ଫଳରେ ପରିବହନ ମହଙ୍ଗା ହୋଇଛି ଓ ବଜାରରେ ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।

ନୂଆଦିଲ୍ଲୀସ୍ଥିତ କଂଗ୍ରେସର କେନ୍ଦ୍ରୀୟ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଦେଶରେ ଏବେ ଜିଡିପିର ଅର୍ଥ ଗ୍ୟାସ, ଡିଜେଲ ଓ ପେଟ୍ରୋଲ ବୋଲି ଜନସାଧାରଣ ଧରି ନେଇଛନ୍ତି । କେନ୍ଦ୍ର ସରକାର ତୈଳ ଓ ଗ୍ୟାସ ଦର ବଢାଇ ୨୩ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିବା ବେଳେ ସେ ଟଙ୍କା କୁଆଡେ ଗଲା ବୋଲି ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେ ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି କି ମୁଦ୍ରିକରଣ ଓ ବିମୁଦ୍ରିକରଣ ଏକ ସାଙ୍ଗରେ ହୋଇଛି । ନରେନ୍ଦ୍ର ମୋଦୀଙ୍କ ୪/୫ ଜଣ ବନ୍ଧୁଙ୍କ ମୁଦ୍ରିକରଣ ହେଉଛି ଓ ଜନତାଙ୍କ ପାଇଁ ବିମୁଦ୍ରିକରଣ । ପ୍ରଧାନମନ୍ତ୍ରୀ ପ୍ରଥମେ କହିଥିଲେ କି ବିମୁଦ୍ରିକରଣ ଓ ଏବେ ଅର୍ଥମନ୍ତ୍ରୀ କହୁଛନ୍ତି କି ମୁଦ୍ରିକରଣ କରୁଛୁ ।

ବଢୁଥିବା ବଜାର ଦରକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ୨୦୧୪ ରେ ଯେବେ ୟୁପିଏ ସରକାର ଥିଲା ଗ୍ୟାସର ଦାମ ୪୧୦ ଟଙ୍କା ଥିଲା । ମାତ୍ର ୭ ବର୍ଷରେ ମୋଦୀ ସରକାର ଏହାକୁ ୮୮୫ ରେ ପହଞ୍ଚାଇ ସାରିଲେଣି, ଅର୍ଥାତ ୭ ବର୍ଷ ମଧ୍ୟରେ ଗ୍ୟାସର ଦାମ ୧୧୬ ପ୍ରତିଶତ ବୃଦ୍ଧି ପାଇଛି । ଅନ୍ୟପଟେ ୨୦୧୪ ରୁ ୨୦୨୧ ମଧ୍ୟରେ ପେଟ୍ରୋଲ ୪୨ ପ୍ରତିଶତ ଓ ଡିଜେଲ ୫୫ ପ୍ରତିଶତ ମୂଲ୍ୟ ବୃଦ୍ଧି ହୋଇଛି । ହେଲେ ସେହି ତୁଳନାରେ ଜନତାଙ୍କ ଆୟ କାହିଁକି ବୃଦ୍ଧି ହୋଇନାହିଁ ବୋଲି ସେ ମୋଦୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧିତ ଖବର