ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସର ୩୭ତମ ରାଜ୍ୟ ପୁରସ୍କାର ଉତ୍ସବ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡସ୍‌ର ୩୭ତମ ରାଜ୍ୟ ପୁରସ୍କାର ଉତ୍ସବ ରାଜଭବନର ନୂଆ ଅଭିଷେକ ହଲ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୫୦ରୁ ଊର୍ଦ୍ଧ୍ୱ ସ୍କାଉଟ୍‌, ଗାଇଡ୍‌, ରୋଭର, ରେଞ୍ଜର, କବ୍‌, ବୁଲ୍‌ବୁଲ୍‌, ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କ ସମେତ ପ୍ରତ୍ୟେକ ଜିଲ୍ଲାର ସମସ୍ତ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସଂସ୍ଥାର ମୁଖ୍ୟ ପୃଷ୍ଠପୋଷକ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଭାରତ ସ୍କାଉଟସ୍ ଓ ଗାଇଡସ୍‌ ଭଳି ଏକ ବୃହତ୍‌ ସ୍ୱେଚ୍ଛାସେବୀ ସଂଗଠନ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସେବା ଯୋଗାଇ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି। ଭବିଷ୍ୟତରେ ଓଡ଼ିଶା ସ୍କାଉଟ୍‌ ଏକ ନମ୍ବର ହେବ ବୋଲି ସଂଗଠନର ରାଜ୍ୟ ସଭାପତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଦୃଢ଼ୋକ୍ତି ବାଢ଼ିଥିଲେ। ଏହି ଅବସରରେ ସଂଗଠନର କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି, ବିଭିନ୍ନ ଜିଲ୍ଲାର ସ୍କାଉଟ୍‌ ମାଷ୍ଟରମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଚଳିତ ବର୍ଷର ରାଜ୍ୟ ପୁରସ୍କାରପ୍ରାପ୍ତ ସ୍କାଉଟ୍‌, ଗାଇଡ୍‌, ରୋଭର, ରେଞ୍ଜର, କବ୍ ଓ ବୁଲ୍‌ବୁଲ୍‌ମାନଙ୍କୁ ମାନ୍ୟବର ରାଜ୍ୟପାଳ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଟୁକୁନି ସାହୁ, ଉପସଭାପତି ମିନତି ବେହେରା, ଉପସଭାପତି ଅବସରପ୍ରାପ୍ତ ନ୍ୟାୟାଧୀଶ ମନୋରଞ୍ଜନ ମହାନ୍ତି, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଟି. ପ୍ରସାଦ ରାଓ ଦୋରା, ରାଜ୍ୟ ମୁଖ୍ୟ କମିସନର୍‌ ଡ. କାଳୀପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସଂଗଠନ କମିସନର (ଗାଇଡ୍‌) ତଥା ଆଡିମିନିଷ୍ଟ୍ରେଟିଭ ଅଫିସର୍‌ ଅନାମିକା ଦାସ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଏହି ଅବସରରେ ଲୟୋଲା ସ୍କୁଲ୍‌ର ଅଧ୍ୟକ୍ଷ ଫାଦର୍‌ ଭିକ୍ଟର୍‌ ମିସ୍‌କୁଇଥ୍‌ଙ୍କ ନେତୃତ୍ବରେ ବାଳିକା ଦଳ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟପାଳ ଖୁସି ହୋଇ ପ୍ରତ୍ୟେକ ଛାତ୍ରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର