ଅକାଳରେ ଚାଲିଗଲା ୪ ଜୀବନ : ଲୁଣା ନଈରେ ବୁଡ଼ିଗଲେ ଦୁଇ ଯୁବକ, ବିଦ୍ୟୁତ୍ ତାର ଛିଣ୍ଡି ବାପ-ପୁଅ ମୃତ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ଥାନା ଦୁଲ୍ଲାରପୁର ଗ୍ରାମରେ ଅଘଟଣ ଘଟିଛି। ଲୁଣା ନଈରେ ଗାଧୋଇବାବେଳେ ୨ ଜଣ ଯୁବକ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି। ମୃତ ଦୁଇ ଯୁବକ ହେଉଛନ୍ତି ଗ୍ରାମର ଜିତେନ୍ଦ୍ର ପାଲ (୨୧) ଓ ଲିଟୁ ସାମଲ (୨୧)। ଏହି ଘଟଣାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଗ୍ରାମର ଜିତେନ୍ଦ୍ର ଓ ଲିଟୁଙ୍କ ସହିତ ଚନ୍ଦ୍ରକାନ୍ତ ବିଶ୍ବାଳ(୨୧) ଓ ହୃଷିକେଶ ନାୟକ ଆଜି ଦିନ ପ୍ରାୟ ଗୋଟାଏ ବେଳେ ନଈକୁ ଗାଧୋଇବାକୁ ଯାଇଥିଲେ। ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବରସ୍ଥିତ କୁଳଗାଁ ଇସାଳୋ ଘାଟ ନିକଟରେ ସେମାନେ ଲୁଣା ନଦୀରେ ଗାଧୋଉଥିଲେ। ଅସାବଧାନତାବଶତଃ ନଦୀରେ ପ୍ରବଳ ସୁଅରେ ଜିତେନ୍ଦ୍ର ଓ ଲିଟୁ ଭାସି ଯାଇଥିଲେ। ଚନ୍ଦ୍ରକାନ୍ତ ସେଠାରୁ ଆସି ସ୍ଥାନୀୟ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହ‌ଞ୍ଚି ଜିତେନ୍ଦ୍ର ପାଲ ଓ ଲିଟୁ ସାମଲଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜିତେନ୍ଦ୍ର ପାଲ ହେଉଛନ୍ତି ଟାଙ୍ଗୀ ଡ୍ରିମସ କଲେଜର ଡିପ୍ଲୋମାର ଛାତ୍ର। ମୃତ ଲିଟୁ ସାମଲ ଓ ତାଙ୍କ ସହିତ ଥିବା ଚନ୍ଦ୍ରକାନ୍ତ ବିଶ୍ବାଳ କିଛି ଦିନ ତଳେ ସଂଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ।

ବିଦ୍ୟୁତ୍ ତାର ଛିଣ୍ଡି ବାପ-ପୁଅ ମୃତ
ବାଲିଆପାଳ/କାଳୀପଦା : ପାନ ବରଜରେ ପାଣି ମଡ଼ାଇବାକୁ ଯାଇଥିଲେ। ହେଲେ ସେ କ’ଣ ଜାଣିଥିଲେ ଯେ, ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି! ସେହିଭଳି ଏକ ମୃତ୍ୟୁର ଶିକାର ହୋଇଛନ୍ତ ବାପ-ପୁଅ। ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଆରୁଆଦାମ ଗାଁର କାଶୀନାଥ ରାଉତ (୫୬) ଏବଂ ତାଙ୍କ ପୁଅ ୨୫ ବର୍ଷର ରାମକୃଷ୍ଣ। ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କ ପ୍ରାଣ ଯାଇଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ପୁଅ ରାମକୃଷ୍ଣ ସହିତ କାଶୀନାଥ ପାଣି ମଡ଼ାଇବାକୁ ଯାଇଥିଲେ। ଏହି ସମୟରେ ପାନ ବରଜ ଉପରେ ଯାଇଥିବା ଏକ ବିଦ୍ୟୁତ୍ ତାର କୌଣସି କାରଣରୁ ଛିଣ୍ଡି ପଡ଼ିଥିଲା। ରାମକୃଷ୍ଣ ବିଦ୍ୟୁତ ତାରରେ ଲାଗି ଛଟପଟ ହେଉଥିବା ବେଳେ କାଶୀନାଥ ତାଙ୍କୁ ବଞ୍ଚାଇବାକୁ ଯାଇ ସେ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ। ଉଭୟ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବାବେଳେ ଗାଁ ଲୋକେ ଉଦ୍ଧାର କରି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଥିଲା। କାଶୀନାଥଙ୍କ ସାନପୁଅ ଲକଡାଉନ ପାଇଁ ହାଇଦ୍ରାବାଦରେ ଫସିରହିଛନ୍ତି। ସେ ଆସି ନ ପରିବାରୁ ସମ୍ପର୍କୀୟମାନେ ଦାହସଂସ୍କାର କରାଇଥିଲେ। ଏହି ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ କେଉଁ ପରିସ୍ଥିତିରେ ତାର ଛିଣ୍ଡିପଡ଼ିଲା ସେ ସମ୍ପର୍କରେ କିଛି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର