କପ୍ତିପଦା : ମାନସିକ ଭିନ୍ନକ୍ଷମଙ୍କ ଉପରକୁ ଏସିଡ୍‌ ମାଡ଼

କପ୍ତିପଦା/ଶାଳଚୁଆ : କପ୍ତିପଦା ଥାନା ଅଧୀନ ଜଡ଼ିଦା ପଞ୍ଚାୟତ ଜଡ଼ିଦା ଗ୍ରାମରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ କେହି ଦୁର୍ବୃତ୍ତ ଏସିଡ୍‌ ମାଡ଼ କରିଛି। ଫଳରେ ଯୁବକଙ୍କ ପେଟ, ଛାତି, ଜଂଘ ଓ ପିଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଯୁବକ ଜଣକ ହେଲେ ସେହି ଗ୍ରାମର ଶିବ ପ୍ରସାଦ ପୋଇ।

ଗତ ଶନିବାର ରାତିରେ ଖାଇ ସାରିବା ପରେ ଘରଠାରୁ ଅଳ୍ପ ଦୂରରେ ଥିବା ଏକ ହୋମ୍‌ ପାଇପ୍‌ ଉପରେ ଶୋଇଥିଲେ ଶିବ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରି ଫେରାର୍‌ ହୋଇଯାଇଥିଲା। ଶିବଙ୍କ ଚିତ୍କାର ଶୁଣି ଘରଲୋକେ ଦୌଡ଼ି ଆସିବା ବେଳକୁ ସେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ଥିତି ସଙ୍କଟାପନ୍ନ ହେବାରୁ ପରେ ଉଦଳା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଶିବଙ୍କ ମା ଜୟନ୍ତୀଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍‌ ନଂ ୧୫୧/୨୦ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଜଣେ ମାନସିକ ଭିନ୍ନକ୍ଷମଙ୍କ ଉପରକୁ ଏସିଡ ମାଡ଼ ଘଟଣାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

ସମ୍ବନ୍ଧିତ ଖବର