ରନ୍ଧନ ଗ୍ୟାସ୍‌ ବୋଝେଇ ଅଟୋ ଓଲଟି ୪ବର୍ଷ ଶିଶୁପୁତ୍ର ମୃତ

ବ୍ରହ୍ମପୁର : ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗରରେ ଗୁରୁବାର ଅପରାହ୍‌ଣରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଅଟୋ ଓଲଟି ପଡ଼ିବାରୁ ତା’ତଳେ ଚାପି ହୋଇ ଜଣେ ୪ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ଶାସ୍ତ୍ରୀନଗର ଅଞ୍ଚଳର କାଳିଆ ସାହୁଙ୍କ ପୁଅ ଆଶୁତୋଷ ସାହୁ। ଅଟୋ ଚାଳକ ଅଟୋଟିକୁ ଷ୍ଟାର୍ଟ କରି ଗ୍ୟାସ୍‌ ସିଲିଣ୍ଡର ଦେବାକୁ ଯାଇଥିବା ବ‌େଳେ ଶିଶୁଟି କୌତୁହଳବଶତଃ ଅଟୋରେ ଚଢ଼ିଯିବା ଫଳରେ ଗିୟର ପଡ଼ି ଟାଣି ହୋଇଯାଇଥିଲା। ତେବେ ଏନେଇ ପୁଲିସ ନିକଟରେ କୌଣସି ସୂଚନା ନାହିଁ।

ସୂଚନା ମୁତାବକ, ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଅଟୋଟି ଅପରାହ୍‌ଣ ପ୍ରାୟ ୪ଟା ବେଳେ ଉତ୍କଳ ସିନେମା ହଲ୍ ପଛପାଖ ଶାସ୍ତ୍ରୀନଗରରେ ପହଁଚିଥିଲା। ଚାଳକଜଣକ ଅଟୋକୁ ଷ୍ଟାର୍ଟ ଅବସ୍ଥାରେ ରଖି କାହା ଘରକୁ ସିଲିଣ୍ଡର ଦେବାକୁ ଯାଇଥିଲେ। ସେତିକିବେଳେ ଆଶୁତୋଷ କୌତୁହଳବଶତଃ ଅଟୋରେ ଚଢ଼ିଯାଇଥିଲା। ହଠାତ୍‌ ଗିୟର୍‌ ପଡ଼ିଯିବାରୁ ଅଟୋଟି ଗଡ଼ିବା ଆରମ୍ଭ କରିଥିଲା। ଆଶୁତୋଷ ଭୟଭୀତ ହୋଇ ଅଟୋରୁ ‌ଓହ୍ଲାଇବାକୁ ଉଦ୍ୟମ କରିବା ବେଳେ ଏକ ବିଦ୍ୟୁତ୍‌ ଖୁଣ୍ଟିରେ ଅଟୋଟି ଧକ୍କା ହୋଇ ଆଶୁତୋଷ ଉପରେ ଓଲଟି ପଡ଼ିଥିଲା। ଅଟୋ ତଳେ ଆଶୁତୋଷ ଚାପି ହୋଇଯାଇଥିଲା। ସ୍ଥାନୀୟ ବାସିନ୍ଦା ତୁରନ୍ତ ତା’କୁ ଉଦ୍ଧାର କରି ଚିକିତ୍ସା ପାଇଁ ବଡ଼ଡାକ୍ତରଖାନା ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲା। ଅନ୍ୟପକ୍ଷେଏହି ଦୁର୍ଘଟଣା ପରେ ଅଟୋ ଚାଳକ ସେହି ଅଟୋକୁ ନେଇ ସେଠାରୁ ଫେରାର୍ ହୋଇଯାଇଥିଲା। ଖବର ପାଇ ଟ୍ରାଫିକ୍ ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଟୋ କିମ୍ବା ଅଟୋ ଚାଳକକୁ ପୁଲିସ ଧରିବାରେ ସକ୍ଷମ ହୋଇନାହିଁ।

ସମ୍ବନ୍ଧିତ ଖବର