ସାଂସଦ ଓ ବିଧାୟକଙ୍କ ବିରୋଧରେ ୪୩୮ ଫୌଜଦାରୀ ମାମଲା

କଟକ: ରାଜ୍ୟରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଫୌଜଦାରୀ ମାମଲା ଗୁଡିକର ତ୍ବରିତ ଶୁଣାଣି ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରି ଆସୁଛନ୍ତି। ସୁପ୍ରିମକୋର୍ଟ ‘ଅଶ୍ବିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର’ ମାମଲାର ଶୁଣାଣି କରି ୨୦୨୩ ନଭେମ୍ବର ୯ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଆଧାରରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକର ତ୍ବିରତ ଫଏସଲା ପ୍ରସଙ୍ଗ ତଦାରଖ ପାଇଁ ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲେ। ୨୦୨୩ ଡିସେମ୍ବର ୧୧ରେ ହାଇକୋର୍ଟ ମାମଲାର ଶୁଣାଣି କରି ସାଂସଦ ଓ ବିଧାୟକଙ୍କ ବିରୋଧରେ ନୂଆକରି ରୁଜୁ ହେଉଥିବା ମାମଲା, ଫଏସଲା ହେଉଥିବା ମାମଲା ଓ ବିଚାରାଧୀନ ମାମଲାର ତଥ୍ୟ ପ୍ରତି ମାସର ୩ ତାରିଖ ସୁଦ୍ଧା ଦାଖଲ ପାଇଁ ସବୁ ଜିଲ୍ଲା ଜଜ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମୃତ୍ୟୁଦଣ୍ଡ ଓ ଆଜୀବନ କାରାଦଣ୍ଡ ସଂପର୍କିତ ମାମଲା ଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏହାପରେ ୫ ବର୍ଷ ବା ତା ଠାରୁ ଅଧିକ ଜେଲ ଦଣ୍ଡ ଥିବା ମାମଲା ଓ ତା ପରେ ଅନ୍ୟ ମାମଲା ଗୁଡ଼ିକର ଶୁଣାଣି କରାଯିବ। ସ୍ବତନ୍ତ୍ର ଅଦାଲତ (ଡେଜିଗନେଟେଡ୍ କୋର୍ଟ) ଏହି ସବୁ ମାମଲାର ତ୍ବରିତ ଶୁଣାଣି କରିବେ।

ଶୁଣାଣି ଘୁଞ୍ଚାଇବା ପାଇଁ କେବଳ ବିଶେଷ ସ୍ଥିତିରେ ଅନୁମତି ଦିଆଯିବ। ଜିଲ୍ଲା ଜଜ୍‌ ସ୍ବତନ୍ତ୍ର ଅଦାଲତ ଗୁଡ଼ିକୁ ଆବଶ୍ୟକ ଭିତ୍ତଭୂମି ଯୋଗାଇବା ବ୍ୟବସ୍ଥା କରିବେ। ଏଥି ସହିତ କୋର୍ଟ ୱେବସାଇଟରେ ସ୍ବତନ୍ତ୍ର ବିଭାଗ ତିଆରି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ବିଭାଗରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ମାମଲା ଗୁଡ଼ିକର ଜିଲ୍ଲାୱାରୀ ତଥ୍ୟ ଉପଲବ୍ଧ କରାଯିବ ବୋଲି ହାଇକୋର୍ଟ କହିଥିଲେ। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ପ୍ରତିମାସରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ବିଚାରାଧୀନ ମାମଲାର ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ କରାଯାଉଛି।
ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ୩୦ଟି ଜିଲ୍ଲାରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ମୋଟ ୪୩୮ଟି ମାମଲା ବିଚାରାଧୀନ ରହିଛି। ସାଂସଦ/ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୮ଟି ମାମଲା ବିଚାରାଧୀନ ରହିଛି। ଏହି କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଥିବା ସମ୍ବଲପୁର ଜିଲ୍ଲାରେ ୫୪ଟି, ତୃତୀୟ ସ୍ଥାନରେ ରହିଥିବା କୋରାପୁଟ ଜିଲ୍ଲାରେ ୫୩ଟି, ଚତୁର୍ଥ ସ୍ଥାନରେ ଥିବା ଗଞ୍ଜାମ ଜିଲ୍ଲାରେ ୫୦ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଅନୁଗୁଳରେ ୨୭ଟି, ବଲାଙ୍ଗୀରରେ ୨୬ଟି, ବାଲେଶ୍ବରରେ ୨୭ଟି, ବରଗଡ଼ରେ ଗୋଟିଏ, କଟକରେ ୩୭ଟି, କଳାହାଣ୍ଡିରେ ଗୋଟିଏ, କେନ୍ଦୁଝରରେ ୩ଟି, ମୟୂରଭଞ୍ଜରେ ୨୪ଟି, ନୟାଗଡ଼ରେ ୫ଟି, ସୋନପୁରରେ ଗୋଟିଏ, ସୁନ୍ଦରଗଡ଼ରେ ୪୧ଟି ମାମଲା ସାଂସଦ/ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର