ରାଉରକେଲାରେ ଏକାଠି ହେଲେ ଇଣ୍ଡି-ମେଣ୍ଟ ପ୍ରାର୍ଥୀ: ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର, ରାଜ୍ୟକୁ ଟାର୍ଗେଟ୍‌ କଲେ

ରାଉରକେଲା: ଦଳୀୟ ଟିକେଟ୍‌ ପାଇବାପରେ ନିର୍ବାଚନ ପ୍ରଚାରକୁ ଜୋର୍‌ଦାର୍‌ କରିଛି ଇଣ୍ଡି-ମେଣ୍ଟ। ଆଜି ଏଠାରେ ଇଣ୍ଡି-ମେଣ୍ଟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସୁନ୍ଦରଗଡ଼ ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ, ରାଉରକେଲାର ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ନାଥ ପଟ୍ଟନାୟକ, ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ଡାକ୍ତର ସିଏସ୍‌ ରାଜେନ ଏକ୍କା, ରଘୁନାଥପାଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ, ବଣାଇର ସିପିଆଇଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଏକାଠି ହୋଇଥିଲେ। ଅବଶ୍ୟ ଜେଏମ୍‌ଏମ୍‌ ପ୍ରାର୍ଥୀ ଘୋଷଣା ହୋଇ ନଥିବାରୁ ଉକ୍ତ ପ୍ରାର୍ଥୀ ଅନୁପସ୍ଥିତ ଥିଲେ। ଏଥିରେ ଅଧ୍ୟକ୍ଷତା କରିଥିଲେ ସିଟୁର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତି।

ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ କହିଥିଲେ, ବିଜେପି ଦେଶର ୨ କୋଟି ଓ ବିଜେଡି ରାଜ୍ୟରେ ୨ ଲକ୍ଷ ନିଯୁକ୍ତି ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନଜୀବିକା ଦୁର୍ବିଷହ ‌ହୋଇପଡ଼ିଛି। ତେଣୁ ଇଣ୍ଡିମେଣ୍ଟକୁ ସାହାଯ୍ୟ କରି, ଦେଶର ଗଣତନ୍ତ୍ର ରକ୍ଷା କରିବା ବେଳ ଆସିଛି ବୋଲି କହିଥିଲେ। ବଣାଇ ସିପିଆଇଏମ୍‌ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ଓ ରାଜଗାଙ୍ଗପୁର କଂଗ୍ରେସ ପ୍ରାର୍ଥୀ ଡକ୍ଟର ରାଜନ ଏକ୍କା ଜିଲ୍ଲାର ଆଦିବାସୀଙ୍କ ବିକାଶକୁ ଇଣ୍ଡି-ମେଣ୍ଟ ନିଶ୍ଚିତ ଭାବେ ପ୍ରାଥମିକତା ଦେବ ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିପିଆଇଏମ୍‌ର ଜାହାଙ୍ଗୀର ଅଲ୍ଲୀ, ପ୍ରମୋଦ ସାମଲ ଓ କଂଗ୍ରେସର କରମବିର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର