୪୮ ସହାୟକ ବନ ସଂରକ୍ଷକ, ୧୧୧ ରେଞ୍ଜରଙ୍କୁ ନିଯୁକ୍ତି ପତ୍ର ଦେଲେ ନବୀନ

ରାଜ୍ୟରେ ୯୦୦ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି

ଭୁବନେଶ୍ୱର: ଆମ ରାଜ୍ୟ ‘ଓଡ଼ିଶା’ ବନ ଓ ଜୈବ ବିବିଧତାରେ ପରିପୂର୍ଣ୍ଣ। ରାଜ୍ୟ ବନ୍ୟ ରିପୋର୍ଟ-୨୦୧୭ ଅନୁସାରେ ଆମ ରାଜ୍ୟରେ ୯୦୦ ବର୍ଗ କିଲୋମିଟର ଜଙ୍ଗଲ ବୃଦ୍ଧି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ସଫଳତା ହାସଲ କରାଯାଇଛି। ସ୍ଥାନୀୟ ସୂଚନା ଭବନରେ ୪୮ ଜଣ ସହାୟକ ବନ ସଂରକ୍ଷକ ଓ ୧୧୧ ଜଣ ରେଞ୍ଜରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ଏହା କହିଛନ୍ତି। ସେ କହିଛନ୍ତି ଜଙ୍ଗଲ ସୁରକ୍ଷା ଓ ବୃକ୍ଷରୋପଣ ଦିଗରେ ଅନେକ ଗୁଡ଼ିଏ କାମ କରାଯାଉଥିବାରୁ ଏହି ସଫଳତା ମିଳିଛି। ଜଙ୍ଗଲ ସୁରକ୍ଷା ଓ ବିକାଶ ଦିଗରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହୁଛି।

ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ସଂଚାଳିତ ସହାୟକ ବନ ସଂରକ୍ଷକ ଓ ରେଞ୍ଜର ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କୁ ନବୀନ ପଟ୍ଟନାୟକ ଏକ ଭବ୍ୟ କାର୍ଯ୍ୟକ୍ରମରେ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ନବୀନ ୪୮ ଜଣ ସହାୟକ ବନ ସଂରକ୍ଷକ ଓ ୧୧୧ ଜଣ ରେଞ୍ଜରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ବନ ଓ ଜଙ୍ଗଲ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିସନର ଆର ବାଳକୃଷ୍ଣ, ଏସିଏସ୍‌(ଜଙ୍ଗଲ) ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର