ଜନ ପ୍ରତିନିଧିଙ୍କ ସହ ୫-ଟି ସଚିବଙ୍କ ଆଲୋଚନା: କ୍ରୀଡ଼ା ଭିତ୍ତିଭୂମି ପାଇଁ ପ୍ରକ୍ରିୟା ଆରମ୍ଭ, ଖୁବ୍‌ଶୀଘ୍ର ବଡ଼ ଘୋଷଣା

ଭୁବନେଶ୍ବର : ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବାପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ହଜାରେ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଥିଲେ। ପ୍ରସ୍ତାବିତ ଭିତ୍ତିଭୂମିକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅର୍ଥରେ ବିଭିନ୍ନ ପୌରପାଳିକାରେ ମୁଖ୍ୟତଃ ଇନ୍‌ଡୋର୍‌ ଷ୍ଟାଡିୟମ୍ ନିର୍ମାଣ ହେବ। ଏହା ସହ ଆନୁଷଙ୍ଗିକ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। ଗତ ତିନି ଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ୍ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରଖିଛନ୍ତି। ବିଧାୟକଙ୍କ ନିର୍ବାଚନମଣ୍ଡଳୀରେ ଥିବା ପୌରସଂସ୍ଥାରେ ଇନ୍‌ଡୋର୍‌ ଷ୍ଟାଡିୟମ୍‌ ସମେତ ଅନ୍ୟ କ୍ରୀଡ଼ା ଭିତ୍ତିଭୂମି କିପରି ନିର୍ମାଣ କରାଯିବ, ସେ ସମ୍ପର୍କରେ ସିଧାସଳଖ କଥା ହେଉଛନ୍ତି। ବିଧାୟକମାନଙ୍କ ମତାମତକୁ ଭିତ୍ତିକରି ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମି ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର କରିବେ। ଏ ନେଇ ଖୁବ୍‌ଶୀଘ୍ର ଏକ ବଡ଼ ଘୋଷଣା ‌ହେବ ବୋଲି ସୂଚନା ମିଳିଛି।

୫-ଟି ସଚିବଙ୍କ ଏହି ଆଲୋଚନା‌ ସମୟରେ ସ୍ଥାନୀୟ ଜନପ୍ରତିନିଧି ଓ କ୍ରୀଡ଼ା ପ୍ରତିଭାମାନେ ଉପସ୍ଥିତ ରହି ନିଜ ମତାମତ ଦେଉଛନ୍ତି। ଆଜି ଏହି କ୍ରମରେ ଉମରକୋଟ, କଳହାଣ୍ଡି, ପୋଲସରା, ଚିକିଟି, ସୋରଡ଼ା, ଖଣ୍ଡପଡ଼ା, ନିମାପଡ଼ା, ପିପିଲି, ଉଦଳା ସମେତ ପାଖାପାଖି ୨୦ ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ଆଲୋଚନା କରିଥିଲେ।

ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସମ୍ପର୍କରେ ସୂଚନା ଦେଇଥିଲେ। ଏଥିପାଇଁ ସେ ଯୁକ୍ତି ଦର୍ଶାଇଥିଲେ ଯେ ଯୁବକମାନେ ଆମ ରାଜ୍ୟର ଭବିଷ୍ୟତ। ଯୁବକମାନଙ୍କର ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ା ହିଁ ଉପଯୁକ୍ତ ମାଧ୍ୟମ। କ୍ରୀଡ଼ାରେ ପୁଞ୍ଜି ବିନିଯୋଗ ହେଉଛି ଯୁବକମାନଙ୍କ ପାଇଁ ବିନିଯୋଗ। ଯୁବକମାନଙ୍କ ପାଇଁ ବିନିଯୋଗ ହେଉଛି ଏହି ରାଜ୍ୟର ଭବିଷ୍ୟତରେ ପୁଞ୍ଜି ବିନିଯୋଗ। ଏହାକୁ ନଜରରେ ରଖି ସାରାରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ହଜାରେ କୋଟି ଖର୍ଚ୍ଚ କରାଯାଉଛି।

ସମ୍ବନ୍ଧିତ ଖବର