ନଷ୍ଟ ହେଲା ୯୮୦କେଜି ଗଞ୍ଜେଇ: ପ୍ରଥମ ଥର ପାଇଁ ପ୍ରି-ଟ୍ରାଏଲ୍‌ରେ ଗଞ୍ଜେଇ ନଷ୍ଟ

ଭୁବନେଶ୍ବର: ମଙ୍ଗଳବାର ଖୋର୍ଦ୍ଧାସ୍ଥିତ ଟାଙ୍ଗିପଡ଼ିଆରେ ୯୮୦କେଜି ଗଞ୍ଜେଇ ନଷ୍ଟ କରାଯାଇଛି। ମାମଲା ବିଚାରାଧୀନ(ପ୍ରି-ଟ୍ରାଏଲ୍) ଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜେଇ ନଷ୍ଟ କରାଯାଇଛି। ପ୍ରି-ଟ୍ରାଏଲ୍‌ରେ ନିଶା ସାମଗ୍ରୀ ନଷ୍ଟ ଦ୍ବିତୀୟ ଥର ପାଇଁ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଗଞ୍ଜେଇ ନଷ୍ଟ କରାଯାଇଛି। ଗତ ଜୁନ ୧୦ତାରିଖରେ ମାମଲା ବିଚାରାଧୀନ ଥିବା ବେଳେ ପ୍ରାୟ ସାଢ଼େ ୮କେଜି ବ୍ରାଉନସୁଗାର ନଷ୍ଟ କରାଯାଇଥିଲା। ନଷ୍ଟ କରାଯାଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ସାଢ଼େ ୪କୋଟି ଟଙ୍କା ହେବ ବୋଲି ଏସ୍‌ଟିଏଫ୍ ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ଅଗଷ୍ଟ ୧୩ରେ ଏସ୍‌ଟିଏଫ୍ ବାଲେଶ୍ବର ବସ୍ତା ନିକଟସ୍ଥ ମଥାନି ଛକରେ ଏକ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌(ଡବ୍ଲୁବି୩୭ବି-୭୧୧୬) କୁ ଅଟକାଇଥିଲା। ଛାନ୍‌ଭିନ୍ ପରେ ଜଣାପଡ଼ିଥିଲା, କୁଖ୍ୟାତ ନିଶାମାଫିଆ ଅନିଲ ପାଣ୍ଡି ଓ ତା’ର ୨ ସହଯୋଗୀ ପ୍ରଭାତ ଓ ବୁଲୁ ପ୍ରାୟ ୯୯୪.୩କେଜି ଗଞ୍ଜେଇ ନେଇ ଗଞ୍ଜାମରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲେ। ଗାଡ଼ି ଜବତ କରିବା ସହିତ ନିଶା ମାଫିଆ ଅନିଲ ଓ ତା’ ସହଯୋଗୀକୁ ମଧ୍ୟ ପୁଲିସ ଗିରଫ କରିଥିଲା। ଏହି ମାମଲା ବିଚାରଧୀନ ଥିବା ବେଳେ ଏସ୍‌ଟିଏଫ୍ ଗଞ୍ଜେଇ ନଷ୍ଟ କରିବା ପାଇଁ କୋର୍ଟଙ୍କୁ ଆବେଦନ କରିଥିଲା। ପରେ ହାଇକୋର୍ଟ ଗଞ୍ଜେଇ ନଷ୍ଟ କରିବାକୁ ଜାନୁଆରି ୩୧ରେ ଆଦେଶ ଦେଇଥିଲେ। ଏହି କ୍ରମରେ ଏସ୍‌ଟିଏଫ୍ ଏସ୍‌ପିଙ୍କ ନେତୃତ୍ବରେ ଏକ ଡ୍ରଗ୍ ଡିସପୋଜାଲ କମିଟି ଗଠନ ହୋଇଥିଲା। କମିଟିରେ ଖୋର୍ଦ୍ଧାର ଡେପୁଟି କଲେକ୍ଟର୍, ଅବକାରୀ ଏସ୍‌ପି, ଏସ୍‌ଟିଏଫ୍ ଡିଏସ୍‌ପି, ଏସ୍‌ଏଫ୍ଏସ୍ଏଲ୍‌ର କର୍ମଚାରୀ ଓ ରାଜ୍ୟ ପ୍ରଦୂଷଣ ବୋର୍ଡର କର୍ମଚାରୀଙ୍କ ଉପସ୍ଥିତିରେ ଗଞ୍ଜେଇ ନଷ୍ଟ କରାଯାଇଥିଲା।
ଆସନ୍ତା ୬ମାସ ମଧ୍ୟରେ ରାଜ୍ୟର ବିଭିନ୍ନ କୋର୍ଟ, ପୁଲିସ ମାଲ୍‌ଖାନାରେ ଗଚ୍ଛିତ ଥିବା ପ୍ରାୟ ୪୫୦ଟନ୍ ଗଞ୍ଜେଇ ଓ ୧୦୪କେଜି ବ୍ରାଉନସୁଗାର ନଷ୍ଟ କରାଯିବ ବୋଲି ଏସ୍‌ଟିଏଫ୍ ସୂଚନା ଦେଇଛି।

ସମ୍ବନ୍ଧିତ ଖବର