ଗଞ୍ଜାମରୁ ଆନ୍ଧ୍ରକୁ ଚାଲାଣ ହେଉଛି ମାଙ୍କଡ଼! ବସ୍ତା ଭିତରେ ୧୦ ମୃତ, ବଞ୍ଚିଛନ୍ତି ୨

୨ ଆନ୍ଧ୍ର ବେପାରୀ କୋର୍ଟ ଚାଲାଣ

ପାତ୍ରପୁର: ଗଞ୍ଜାମ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଛି ମାଙ୍କଡ଼। କେଉଁ କାରଣ ପାଇଁ ମାଙ୍କଡ଼ ଚାଲାଣ ହେଉଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହି ଘଟଣାରେ ସମ୍ପୃକ୍ତ ଏକ ରାକେଟ୍‌ ପୁଲିସ ହାତରେ ଧରାପଡ଼ିଛି। ଉଦ୍‌ବେଗଜନକ ବିଷୟ ହେଉଛି, ଏକ ବସ୍ତା ଭିତରୁ ୧୦ଟି ମୃତ ମାଙ୍କଡ଼କୁ ଠାବ କରାଯାଇଛି ଏବଂ ଆଉ ୨ ବଞ୍ଚିଛନ୍ତି। ୨ଜଣ ଆନ୍ଧ୍ର ବେପାରୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସ‌ାରେ, ଗତକାଲି ରାତିରେ ଜିଲ୍ଲା ଅନ୍ତର୍ଗତ ପାତ୍ରପୁର ବ୍ଲକ୍ ସାମନ୍ତିଆପଲ୍ଲୀ ଜରଡ଼ା ଗ୍ରାମ ନୂଆସାହି ଛକଠ‌ାରେ ସ୍ଥାନୀୟ ଗ୍ରାମବାସୀ ଏକ ଡାଲା ଟ୍ରକ୍‌କୁ ଅଟକାଇଥିଲେ। ସନ୍ଦେହ ହେବାରୁ ଯାଞ୍ଚ କରିବା ପରେ ସେଥିରେ ମାଙ୍କଡ଼ ଥିବା ଦେଖିବାକୁ ପାଇଥିଲେ। ମାଙ୍କଡ଼ ଗୁଡ଼ିକୁ ଅତ୍ୟନ୍ତ ଅମାନୁଷିକ ଭାବେ ୮ଟି ବସ୍ତାରେ ବାନ୍ଧି ରଖାଯାଇଥିଲା। ଏହାପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ନୂଆକରି ପଦାକୁ ଆସିଥିବା ଏହି ଘଟଣାକୁ ବନ ବିଭାଗ ଗୁରୁତ୍ବର ସହ ଗ୍ରହଣ କରିଥିଲା। ଘଟଣାସ୍ଥଳରେ ସଙ୍ଗେସଙ୍ଗେ ପହଞ୍ଚି ୨ଜଣ ଆନ୍ଧ୍ର ବେପାରୀଙ୍କୁ ଧରିଥିଲା। ସେମାନେ ହେଲେ, ଶ୍ରୀକାକୁଲମ୍‌ ଗ୍ରାମର ପି. ନାଗରାଜୁ(୨୩) ଓ ପଶ୍ଚିମ ଗୋଦାବରୀ ଜିଲ୍ଲା ଏଲୁରୁ ମଣ୍ଡଳ ଚଞ୍ଚଳ କଲୋନିର ରମେଶ ସିଂ (୨୦)। ଉଭୟଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି। ସେପଟେ ଅଟୋରୁ ମିଳିଥିବା ୮ଟି ବସ୍ତାରେ ଥିବା ୧୦ଟି ମାଙ୍କଡ଼ ମରିଯାଇଥିବା ବେଳେ ଦୁଇଟି ବଞ୍ଚିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ବ୍ୟବଚ୍ଛେଦ ପରେ ମାଙ୍କଡ଼ ଗୁଡ଼ିକର ଶବ ପୋତି ଦିଆଯାଇଛି। ଏହାସହ ଅଭିଯୁକ୍ତଙ୍କ ବ୍ୟବହୃତ ଅଟୋ ସମେତ ମାଙ୍କଡ଼ ଧରିବାରେ ବ୍ୟବହୃତ ଜାଲ ଜବତ କରାଯାଇଛି। ତେବେ, ଅଭିଯୁକ୍ତମାନେ ଆନ୍ଧ୍ର ଭୈରପୁର ଗ୍ରାମରୁ ଗୋଟାଏ ମାଙ୍କଡ଼ ପିଛା ୨୦୦ ଟଙ୍କା ହିସାବରେ ଧରି ତୁମ୍ବା ଜଙ୍ଗଲରେ ଛାଡ଼ିବା ପାଇଁ ଆଣିଥିବା ଜେରାବେଳେ ସଫେଇ ଦେଇଥିଲେ। କିନ୍ତୁ, ପ୍ରାଥମିକ ତଦନ୍ତରୁ ଏହା ବନବିଭାଗକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ବୋଲି ଅଧିକାରୀ କହିଛନ୍ତି। ତଥାପି କେଉଁ କାରଣରୁ ଏମାନେ ମାଙ୍କଡ଼ ଗୁଡ଼ିକୁ ଏଭଳି ଦୟନୀୟ ସ୍ଥିତିରେ ନେଉଛନ୍ତି, ଏହା କେଉଁ ଉଦ୍ଦେଶ୍ୟରେ କାହାକୁ ଦେଉଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବ ବୋଲି ବନବିଭାଗ କହିଛି। ବଞ୍ଚିଥିବା ଦୁଇଟି ମାଙ୍କଡ଼ଙ୍କୁ ଜଙ୍ଗଲରେ ଛାଡ଼ିଦିଆ ଯାଇଥିବା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ମନୋଜ କୁମାର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର