ନୟାଗଡ଼ ସବ୍ ଜେଲରୁ କଏଦୀ ଚମ୍ପଟ, ଦୁଇ ଦିନରେ ଦୁଇ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ଥିବା ଉପ କାରାଗର(ସବ୍ ଜେଲ୍) ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲାରେ ଦୁଇ ଦିନରେ ଦୁଇ କଏଦୀ ଚମ୍ପଟ ମାରିବା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ଖଣ୍ଡପଡ଼ା ସବ୍ ଜେଲରୁ ଜଣେ କଏଦୀ ଚମ୍ପଟ ମାରିଥିବା ବେଳେ ଆଜି ନୟାଗଡ଼ ସବ୍ ଜେଲରୁ ଜଣେ କଏଦୀ ହିମାଂଶୁ ନାୟକ ଫେରାର ହୋଇଯାଇଛି।

ତିନି ଦିନ ତଳେ ପୁଲିସ୍‌ ଏକ ଡକାୟତି ମାମଲାରେ ଗିରଫ କରି ହିମାଂଶକୁ ଜେଲ୍ ହାଜତକୁ ପଠାଇ ଦେଇଥିଲା। ଆଜି ଦିନ ପ୍ରାୟ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ସେ ‌ଫେରାର୍‌ ହୋଇଯାଇଛି। ଏ ନେଇ ନୟାଗଡ଼ ସଦର ଥାନାରେ ଜେଲର୍‌ ଉମେଶ ପ୍ରସାଦ ବଳବନ୍ତରାୟ ଏତଲା ଦେଇଛନ୍ତି।

କେଉଁ ପରିସ୍ଥିତିରେ ନୟାଗଡ଼ ଜିଲ୍ଲାରେ ଜେଲରୁ କଏଦୀମାନେ ଫେରାର୍‌ ହୋଇଯାଉଛନ୍ତି, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ଗତ ଶନିବାର ଦିନ ଖଣ୍ଡପଡ଼ା ସବ୍ ଜେଲରୁ ବିଚାରାଧୀନ କଏଦୀ ତପନ କୁମ‌ାର ରାଉତ ସକାଳ ପ୍ରାୟ ୯ଟା ୩୦ ସମୟରେ ଫେରାର ‌ହୋଇ ଯାଇଥିଲା। ଇତିମଧ୍ୟରେ ୨୪ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିବା ବେଳେ ତା’ର ପତ୍ତା ମିଳିନାହିଁ।

ଜିଲ୍ଲାରେ ବାରମ୍ବାର ଏଭଳି କଏଦୀ ଫେରାର ହେବା ଘଟଣା ପଛରେ ଜେଲ୍ କର୍ତ୍ତୃପକ୍ଷ ଓ ଅପରାଧୀଙ୍କ ମଧ୍ୟରେ ସଲାସୁତୁରାରେ ରହିଥିବା ନେଇ ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର