ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି; ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭବାନୀପାଟଣା : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାର ଭବାନୀପାଟଣା ପୋକ୍‌ସୋ କୋର୍ଟରେ ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି କରି ମାନ୍ୟବର ପୋକ୍‌ସୋ କୋର୍ଟ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ଭବାନୀପାଟଣା ସଦର ଥାନା ପାଷ୍ଟିକୁଡ଼ି ଗ୍ରାମର ସୁନୀଲ ନାୟକ ୨୦୧୫ ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମା’-ବାପା ଟିଟିଲାଗଡ଼ ଯାଇଥିଲେ। ସେଥିପାଇଁ ପୀଡ଼ିତାଙ୍କୁ ତାଙ୍କ ମାଉସୀ ଘରେ ଛାଡ଼ି ଯାଇଥିଲେ। ପୀଡ଼ିତା ନିଜ ସମ୍ପର୍କୀୟଙ୍କ ସହିତ ନାମଯଜ୍ଞ ପ୍ରହରୀ ଦେଖିବାକୁ ଯାଇଥିବା ବେଳେ ସୁନୀଲ ନାବାଳିକାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲା। ଏନେଇ ସଦର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ନାବାଳିକା ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ଅଭିଯୁକ୍ତ ଓ ତାର ବାପା ରୋମାଞ୍ଚଳ ନାୟକ ପୀଡ଼ିତାଙ୍କ ବାପାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଘଟଣାରେ ବାପ ପୁଅ ଉଭୟ ଜେଲ୍‌ ଯାଇଥିଲେ। ସୁନୀଲ ନାୟକ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଜେଲ୍‌ ଯାଇଥିବା ବେଳେ ତାର ବାପା ରୋମାଞ୍ଚଳ ଜେଲ୍‌ ଯାଇ କିଛିଦିନ ପରେ ଜାମିନ୍‌ରେ ଆସିଥିଲେ।

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟରେ ଗତ ମାର୍ଚ୍ଚ ୧୫ ତାରିଖରେ ଶୁଣାଣି ହୋଇଥିଲା। ଏହି ମାମଲାକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଜଜ୍‌ ସୁବ୍ରତ ପଟ୍ଟନାୟକ ଶୁଣାଣି କରିଥିଲେ। ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ ଅଭିଯୁକ୍ତ ସୁନୀଲ ନାୟକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଥିଲେ। ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ରୋହିତ ମିଶ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର