ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ

କରୋନା ସଂକ୍ରମଣ ବୃଦ୍ଧି ନେଇ ସତର୍କ ସୂଚନା

ଭୁବନେଶ୍ବର: ଓଡ଼ିଶାରେ ପୁଣି କଡାକଡି ପାଳନ ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡ଼ିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୁଲିସ ବିଭାଗକୁ ସତର୍କ କରାଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ବାସ୍ବ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲ୍ଲାପାଳ, ଭୁବନେଶ୍ବର-କଟକ ‌ପୁଲିସ କମିସନର, ସମସ୍ତ ପୌରପାଳିକା କମିସନର, ଡିସିପି, ଏସ୍‌ପି, ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଚିଠି ଲେଖି କୋଭିଡ ନିୟମ କଡାକଡି କରିବାକୁ ଅନୁରୋଧ କରିଛନ୍ତି।

ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ମହାରାଷ୍ଟ୍ର ସମେତ କିଛି ରାଜ୍ୟରେ କରୋନା ଭାଇରସଜନିତ ସଂକ୍ରମଣ ବଢ଼ିଥିବାରୁ ଆମ ରାଜ୍ୟରେ ବି ଏହା ପୁଣି ଥରେ ବଢ଼ିପାରେ। ଯଦି ଆମେ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ନ ନେବା ତା’ହେଲେ ଆମ ରାଜ୍ୟରେ ମଧ୍ୟ କରୋନା ସଂକ୍ରମଣ ପୁଣି ଥରେ ବଢ଼ିବାର ଆଶଙ୍କା ଦେଖାଯାଉଛି। ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସଂକ୍ରମଣ ଯେଭଳି ନ ବଢ଼ିବ, ସେଥିପାଇଁ କଡ଼ା ପଦକ୍ଷେପ ନେବାକୁ ହେବ। ଜନଗହଳି ସ୍ଥାନରେ କଟକଣା ଲଗାଯିବା ସହିତ ଟେଷ୍ଟିଂକୁ ଗୁରୁତ୍ବ ଦିଆଯିବ।

ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ଦିନ ଠାରୁ ଆଜିଯାଏଁ ୩ ଲକ୍ଷ ୩୬ ହଜାର ୫୧୩ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରୁ ୧ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୩୩ ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୬୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର