ଷ୍ଟିୟରିଂ ଛାଡି ରାସ୍ତାରେ ଡ୍ରାଇଭର, ସହରରୁ ଗଡ଼ିଲାନି ବସ୍‌

ଦୁର୍ଦ୍ଦଶା ଭୋଗିଲେ ଯାତ୍ରୀ, ବସ୍‌ଷ୍ଟାଣ୍ଡରେ ରାତି କାଟିଲେ

ରାଉରକେଲା: ମାସିକ ସର୍ବନିମ୍ନ ୨୬ ହଜାର ଟଙ୍କା, ୧୦ ହଜାର ଟଙ୍କା ପେନ୍‌ସନ୍‌, ଇଏସ୍‌ଆଇ, ପିଏଫ୍‌ ଆଦି ୧୫ ଦଫା ଦାବିରେ ଆଜିଠୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ପରିବହନ ଶ୍ରମିକ। ଗତକାଲି ବସ୍‌ମାଲିକ ଓ ଡ୍ରାଇଭର ସଂଘ ଆନ୍ଦୋଳନକୁ ନେଇ ମୁହାଁମୁହିଁ ହୋଇଥିଲେ। ବସ୍‌ ମାଲିକ ସଂଘ ଗାଡି ଚଳାଇବାକୁ ଜିଦ୍‌ ଧରିଥିଲାବେଳେ ଡ୍ରାଇଭରମାନେ ଏହାକୁ କଡା ପ୍ରତିବାଦ କରିଥିଲେ। ଯାହାର ପ୍ରତିଫଳନ ଆଜି ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ଷ୍ଟିୟରିଂ ଛାଡି ଶହ ଶହ ଡ୍ରାଇଭର ପ୍ରମୁଖ ଛକ, ଜାତୀୟ ରାଜପଥରେ ଆନ୍ଦୋଳନ କରିଥିଲେ। ଇସ୍ପାତ ସହର ରାଉରକେଲାରେ ଏହାର ପ୍ରଭାବ ବେଶ୍‌ ପ୍ରତିଫଳିତ ହୋଇଥିଲା। କେବଳ ସରକାରଙ୍କ ‘ମୋ ବସ୍‌’କୁ ଛାଡିଦେଲେ ସହରରେ ପ୍ରାୟ ସମସ୍ତ ଘରୋଇ ସାଧାରଣ ଓ ଏକ୍ସପ୍ରେସ୍‌ ଚଳାଚଳ ବନ୍ଦ ରହିଥିଲା।

ରାଉରକେଲାରୁ ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର, ଝାଡ଼ଖଣ୍ଡ, ବିହାର ସମେତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ପ୍ରାୟ ୧୫୦ରୁ ଅଧିକ ବସ୍‌ ଅଟକି ରହିଥିଲା। ସେମିତି ରାଉରକେଲାରୁ ଯାଜପୁରକୁ ଯାଉଥିବା ଏକମାତ୍ର ଏକ୍ସପ୍ରେସ୍‌ ବସ୍‌ ଯାଇଥିବା ଦେଖିବାକୁ ମିଳିଥିଲା। ଭଦ୍ରକ, ବାଲେଶ୍ବର, ବ୍ରହ୍ମପୁର, ବାରିପଦା, ମୟୁରଭଞ୍ଜ ଆଦି ସହରକୁ ଯାତାୟତ କରୁଥିବା ଏକ୍ସପ୍ରେସ୍‌ ବସ୍‌ଗୁଡ଼ିକ ଚଳାଚଳ କରି ନଥିଲା। ରାଉରକେଲାରୁ ଭୁବନେଶ୍ବର ଯାଉଥିବା ଏକ୍ସପ୍ରେସ୍‌ ବସ୍‌ଗୁଡ଼ିକ ମଧ୍ୟ ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ଅଟକି ରହିଥିଲା। ଭୁବନେଶ୍ବରୁ ରାଉରକେଲା ଆସୁଥିବା ପ୍ରାୟ ୩୦ ଖଣ୍ଡ ବସ ଭୁବନେଶ୍ବର ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅଟକି ରହିଛି। ସେମିତି ୧୪୩ ନଂ ଜାତୀୟ ରାଜପଥର ବିଭିନ୍ନ ଜାଗାରେ ଡ୍ରାଇଭରମାନେ ଏକାଠି ହୋଇ ଟ୍ରକ ଚଳାଚଳକୁ ବନ୍ଦ କରିଥିଲେ। ଉଭୟ ଏକ୍ସପ୍ରେସ୍‌ ଓ ସାଧାରଣ ବସ୍‌ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିଥିଲା। ନୂଆ ବସ୍‌ଷ୍ଟାଣ୍ଡ ଓ ‌‌ରେଲୱେ ‌ଷ୍ଟେସନରେ ଶହ ଶହ ଯାତ୍ରୀ ଘରକୁ ନ ଯାଇ ପାରି ରାତି କାଟିଥିବା ଦେଖିବାକୁ ମିଳିଥିଲା। ଆନ୍ଦୋଳନକୁ ସମର୍ଥନ ଜଣାଇଥିଲା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ ଓ ରାଉରକେଲା ମିନି ବସ୍‌ ଆସୋସିଏସନ୍ (ସିଆଇଟିୟୁ)।

ଉଭୟ ସଂଘର ସଦସ୍ୟମାନେ ନୂଆ ବସଷ୍ଟାଣ୍ଡରେ ପ୍ରତିବାଦ ଧାରଣାରେ ବସିଥିଲେ। ଧାରଣାସ୍ଥଳରେ ବକ୍ତବ୍ୟ ରଖି ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଉଭୟ ୟୁନିୟନର ଉପସଭାପତି ଆଇନଜୀବୀ ରାଜ କିଶୋର ପ୍ରଧାନ କହିଥିଲେ ଓଡ଼ିଶାର ପରିବହନ ଶ୍ରମିକ ସର୍ବାଧିକ ନିର୍ଯାତିତ। ସରକାରୀ ଧାର୍ଯ୍ୟ ସର୍ବନିମ୍ନ ମଜୁରୀ ପରିବହନ କ୍ଷେତ୍ରରେ କାର୍ଯ୍ୟକାରୀ ହୁଏ ନାହିଁ। ଯେଉଁଠାରେ କିଛି ସୁବିଧା ସୁଯୋଗ ପରିବହନ ଶ୍ରମିକ ପାଉଛନ୍ତି ତାହା ସି ଆଇ ଟି ୟୁ ର ଲଢେଇ ଯୋଗୁଁ ସମ୍ଭବ ହୋଇଛି। ପରିବହନ ଶ୍ରମିକମାନଙ୍କ ପାଇଁ ୮ ଘଣ୍ଟା କାର୍ଯ୍ୟ ଦିବସ ସ୍ବପ୍ନ। ଇ ଏସ ଆଇ, ଇ ପି ଏଫ୍, ବୋନସ ଏମାନେ ପାଇବାରୁ ବଂଚିତ। ବିରୋଧରେ ପରିବହନ ଶ୍ରମିକ ଐକ୍ୟବଦ୍ଧ ସଂଗ୍ରାମ କରିବାକୁ ଆହ୍ୱାନ କରିଥିଲେ। ୧୫ ଦଫା ଦାବିରେ ପରିବହନ ଶ୍ରମିକମାନଙ୍କୁ ମାସିକ ୨୬ ହଜାର ଟଙ୍କା ଦରମା, ୫୮ ବର୍ଷ ପରେ ମାସିକ ୧୦ ହଜାର ଟଙ୍କା ପେନସନ, ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା ଓ ଅକର୍ମଣ୍ୟ ହେଲେ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ,ଇ ଏସ ଆଇ,ପି ଏଫ୍ ସ୍କିମ୍ କାର୍ଯକାରୀ କରିବା, ପରିବହନ ଶ୍ରମିକମାନଙ୍କ ପାଇଁ ରାଜ୍ୟସ୍ତରୀୟ କଲ୍ୟାଣ ପାଣ୍ଠି ଗଠନ କରି ଗୃହ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ ଓ ବିବାହ ଆଦି କାମପାଇଁ ସହାୟତା ଆଦି ଅନ୍ତର୍ଭୁକ୍ତ। ଆନ୍ଦୋଳନରେ ଉଭୟ ୟୁନିୟନ ର ସଂପାଦକ ଅକ୍ଷୟ ମହାନ୍ତ, ଅରୁଣ ମହାରଣା, ଶୁଭେନ୍ଦୁ ମହାନ୍ତି, ବଜରଙ୍ଗି ଲୋହାର, ଭୀମସେନ ସେଠୀ, ରାଜୁ ଏକ୍କା, ବୁଲୁ ରାଉତରାୟ, ହରି ସିଂହ, ମୁନା ସିଂ, ଜିତେନ୍ଦ୍ର ପାଲ ସିଂହ, କାଳିଆ ନାୟକ ପ୍ରମୁଖଙ୍କ ସମେତ ବହୁ ପରିବହନ ଶ୍ରମିକ ସାମିଲ ଥିଲେ।

ସମ୍ବନ୍ଧିତ ଖବର