ଭଙ୍ଗାଦଦରା ଘରେ ଚାଲିଛି ଆୟୁର୍ବେଦିକ୍‌ ଡାକ୍ତରଖାନା

ବାସୁଦେବପୁର: ବର୍ଷ ବର୍ଷ ଧରି ଭଙ୍ଗାଦଦରା ଘ‌େର ଚାଲିଛି ବାସୁଦେବପୁର ବ୍ଲକ୍‌ ଏଡ଼ତାଳ ଆୟୁର୍ବେଦିକ ଡାକ୍ତରଖାନା। କେତେବେଳେ ଛାତରୁ ପ୍ଲାଷ୍ଟର ଖସିଲାଣି ତ କେତେବେଳେ ପାଣି ଗଳିଲାଣି। ଲୋକେ ବ୍ୟୟବହୁଳ ଏଲୋପ୍ୟାଥିକ୍‌ ଚିକିତ୍ସାଠାରୁ ଦୂରେଇ ଯାଇ ଆୟୁର୍ବେଦିକ ଚିକିତ୍ସା ଉପରେ ଭରସା କରିଥିଲେ। ପ୍ରତିଦିନ ୩୫ରୁ ୪୦ ଜଣ ରୋଗୀ ସେବା ପାଇଁ ଏହି ଡାକ୍ତରଖାନାକୁ ଆସୁଥିବା କାର୍ଯ୍ୟରତ ଡାକ୍ତର ପୁଷ୍ପଲତା ପଣ୍ତାଙ୍କ ସୂଚନାରୁ ଜଣାପଡ଼ିଛି। ତେବେ ଏହି ଡାକ୍ତରଖାନାରେ ଗୋଟିଏ ଘର ରହିଥିବା ବେଳେ ତାହା ମଧ୍ୟ ଭଙ୍ଗା ଅବସ୍ଥାରେ ଅଛି। ଗୋଟିଏ କୋଠରିକୁ ଗୋଦାମ ଭାବେ ବ୍ୟବହାର କରାଯାଉଥିବା ସହ ସେଠାରେ ଆସବାବପତ୍ର ରହିଛି ଏବଂ ଦୁଇ ଡାକ୍ତର ବସି ରୋଗୀ ଦେଖୁଛନ୍ତି।

ଏଠାରେ ଦୁଇ ମହିଳା ଡାକ୍ତର ନିଯୁକ୍ତି ପାଇଛନ୍ତି। ହେଲେ ସେମାନଙ୍କ ସହ ରୋଗୀମାନଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା, ପରିସ୍ରାଗାର ଓ ପାଇଖାନାର ସୁବିଧା ନାହିଁ। ବହୁ ଅବ୍ୟବସ୍ଥା ମଧ୍ୟରେ ଏଠାରେ ରୋଗୀ ସେବା ଚାଲିଛି। ଏହି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଅ‌ଞ୍ଚଳବାସୀ ସ୍ବର ଉଠାଇଛନ୍ତି। ସ୍ଥାନୀୟ ଏଡ଼ତାଳ ସମେତ ଲୁଙ୍ଗା, ପଦ୍ମପୁର, ସୁଗୋ, ଅଲବଗା, ଚନ୍ଦିଆ, କମାରଗାଁ ଆଦି ଅ‌ଞ୍ଚଳର ବହୁ ଲୋକେ ଏହି ଡାକ୍ତରଖାନା ଉପରେ ଚିକିତ୍ସା ପାଇଁ ନିର୍ଭର କରୁଛନ୍ତି। ଏହି ଡାକ୍ତରଖାନାଟି ୧୯୭୫ ମସିହାରେ ସ୍ଥାପିତ ହୋଇଥିବା ବେଳେ ୧୯୯୩ ମସିହାରେ ଏକ କୋଠାଘର ନିର୍ମାଣ ହୋଇଥିଲା। ମାତ୍ର କାମ ସେମିତି ଠିକ୍‌ ହୋଇ ନଥିଲା। କିଛିଦିନ ମଧ୍ୟରେ ଭାଙ୍ଗିରୁଜି ଯାଇଥିଲା। ପରେ ଏହି ଘରକୁ କିଛି ବର୍ଷ ମଧ୍ୟରେ ସରକାରୀ ତହବିଲରୁ କିଛି ଅର୍ଥ ବିନିଯୋଗ କରାଯାଇ ମରାମତି କରାଯାଇଥିଲା। ହେଲେ ଦିନ କେଇଟା ମଧ୍ୟରେ ଘରର ଛାତରୁ ପ୍ଲାଷ୍ଟର ଖଣ୍ତ ଖସିଥିଲା। ଡାକ୍ତରଖାନାର ଚଟାଣ କଥା ନ କହିଲେ ଭଲ। ଘରକୁ ପ୍ରବେଶ କରିବା ବେଳେ ଠିକ୍ ଭାବେ ପାଦ ନ ପଡ଼ିଲେ ଖଣ୍ତିଆଖାବରା ହେବାର ଭୟ ରହିଛି। ସମସ୍ୟା ସମ୍ପର୍କରେ ଡାକ୍ତର ବାରମ୍ବାର ଜଣାଇଥିଲେ ବି ସରକାରୀସ୍ତରରେ ସୁଧାର ହେଉନାହିଁ।

ସମ୍ବନ୍ଧିତ ଖବର