ଓମ୍‌ଟାର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ: ଯୋଗ୍ୟତା ଆଧାରରେ ସମୟୋଚିତ ପଦୋନ୍ନତି ମିଳୁ

କଟକ : ଯୋଗ୍ୟତା ଥାଇ ବି ଅନେକ ଡାକ୍ତର ପଦୋନ୍ନତି ପ୍ରକ୍ରିୟାରୁ ବାଦ୍‌ ପଡୁଛନ୍ତି। ନିୟମିତ ଡିପିସି ବସୁନି। ଯୋଗ୍ୟତା ଭିତ୍ତିରେ ଡାକ୍ତରଙ୍କୁ ସମୟୋଚିତ ପଦୋନ୍ନତି ଦିଆଯାଉ। ଅନ୍ୟ କ୍ୟାଡର ଭଳି ଓଡିଶା ଲୋକସେବା ଆୟୋଗ (ଓପିଏସ୍‌ସି)ମାଧ୍ୟମରେ ନିୟମିତଭାବେ ପରୀକ୍ଷା କରାଯାଇ ଡାକ୍ତର ନିଯୁକ୍ତି ଓ ଖାଲିଥିବା ଡାକ୍ତର ପଦପୂରଣ କରାଯାଉ। ଆଜି ଓଡ଼ିଶା ମେଡିକାଲ୍‌ ଟିଚର୍ସ ଆସୋସିଏସନ୍‌ (ଓମ୍‌ଟା)ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ସରକାରଙ୍କ ନିକଟରେ ଏଭଳି ଦାବି ରଖାଯାଇଛି। କଟକ କ୍ଲବ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ୧୦ଟି ମେଡିକାଲ କଲେଜଶାଖାର ସଭାପତି, ସଂପାଦକ ଓ ପ୍ରତିନିଧିମାନେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ନୂତନ ସଭାପତି, ସଂପାଦକ ଓ ଅନ୍ୟ କର୍ମକର୍ତ୍ତାଙ୍କ ଦାୟିତ୍ବଗ୍ରହଣ ଓ ଶପଥ ପାଠ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓମ୍‌ଟାର ଆଗାମୀ ଦୁଇବର୍ଷ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଛି।

ଏହି ଅବସରରେ ସଂଘ ପକ୍ଷରୁ କୁହାଯାଇଛି ଯେ ସରକାର ସ୍ବାସ୍ଥ୍ୟସେବାକୁ ବିଶ୍ବସ୍ତରୀୟ କରିବାକୁ ଚିନ୍ତା କରୁଥିବାବେଳେ ରାଜ୍ୟରେ ଏବେ ସରକାରୀ ମେଡିକାଲ କଲେଜ ସଂଖ୍ୟା ୩ରୁ ୧୦କୁ ବୃଦ୍ଧି ପାଇଛି। କିନ୍ତୁ ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତି, ଶିକ୍ଷା ଓ ଗବେ‌ଷଣାକୁ ପ୍ରୋତ୍ସାହନ, ଆବଶ୍ୟକ ସଂଖ୍ୟକ ଡାକ୍ତର ନିଯୁକ୍ତି ଆବଶ୍ୟକ। ଏହା ସହିତ ଯୁବ ଡାକ୍ତରମାନେ ଯେଭଳି ଘରୋଇ ବ୍ୟବସ୍ଥାକୁ ନଯାଇ ସରକାରୀ ବ୍ୟବସ୍ଥା ଆଡ଼କୁ ଆକର୍ଷିତ ହେବେ, ସେ ଦିଗରେ ସରକାର ଗୁରୁତ୍ବର ସହ ବିଚାର କରିବାର ସମୟ ଆସିଛି। ସଂଘ ମଧ୍ୟ ଏଥିପ୍ରତି ପୂର୍ଣ୍ଣ ସମର୍ଥନ କରିବ ବୋଲି ଓମ୍‌ଟା ପକ୍ଷରୁ ରାଜ୍ୟ ସଭାପତି ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡା ଓ ସଂପାଦକ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦୀପକ ରଞ୍ଜନ ଦାସ କହିଛନ୍ତି। ଅନ୍ୟରାଜ୍ୟରେ ଯେପରି ମେଡିକାଲ କଲେଜରେ ନିୟୋଜିତ ଶିକ୍ଷକମାନେ ଉଚ୍ଚଶିକ୍ଷା ଅଥବା ଗବେଷଣା ପାଇଁ ସରକାରଙ୍କ ପକ୍ଷରୁ ଆର୍ଥିକ ଅନୁଦାନ ପାଇଥାନ୍ତି, ଓଡିଶାରେ ମଧ୍ୟ ଡାକ୍ତରମାନଙ୍କୁ ସେହି ସୁବିଧା ମିଳିବା ଆବଶ୍ୟକ ‌ବୋଲି ଓମ୍‌ଟା କର୍ମକର୍ତ୍ତା କହିଛନ୍ତି।

ସରକାର ଏବଂ ସଂଘ ମଧ୍ୟରେ ସମନ୍ବୟ ସ୍ଥାପନ କରାଗଲେ ମେଡିକାଲ କ୍ଷେତ୍ରରେ ରହିଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସଂଘର ସଭାପତି ଡାକ୍ତର ପଣ୍ଡା କହିଛନ୍ତି। ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ବର୍ତ୍ତମାନ ୧୦ଟି ମେଡିକାଲ କଲେଜର ୧୪ଶହ ଡାକ୍ତର ସଂଘର ସଦସ୍ୟ ରହିଛନ୍ତି। କିନ୍ତୁ ଏହି ୧୦ଟି କଲେଜରେ ପ୍ରାୟ ୪୦୦ଟି ଡାକ୍ତର ପଦ ଖାଲି ପଡ଼ିଛି। ତେଣୁ ଖାଲି ପଡ଼ିଥିବା ପଦବି ଗୁଡିକର ପୂରଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଡାକ୍ତର ଆଶିଷ କୁମାର ବାରିକ୍‌, ପୂର୍ବତନ ସଂପାଦକ ଆସୋସିଏଟ୍ ପ୍ରଫେସର ଡାକ୍ତର କାଳୀ ପ୍ରସନ୍ନ ସ୍ବାଇଁ, କଟକ ଶାଖା ସଭାପତି ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ଉପସଭାପତି ପ୍ରଫେସର ଡାକ୍ତର ଫକୀର ମୋହନ ଦେବତା, ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ନିହାର ରଞ୍ଜନ ସାହୁ, ଡାକ୍ତର ନିର୍ମଳ ସାହୁ, ପ୍ରଫେସର ପ୍ରୀତି ଦାସ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ଚିନ୍ମୟ ସୁନ୍ଦରରାୟ, ପ୍ରଫେସର ଡାକ୍ତର ଆରତୀ ମଲ୍ଲିକ, ଡାକ୍ତର ସନ୍ତୋଷ ସ୍ବାଇଁ, ପ୍ରଫେସର ଡାକ୍ତର ମଧୁସ୍ମିତା ପଣ୍ଡା, ପ୍ରଫେସର ଡାକ୍ତର ମନୋରଞ୍ଜନ ବେହେରା, ପ୍ରଫେସର ଡାକ୍ତର ରୋମା ରତନ, ଡାକ୍ତର ବିଭୁ ପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର