ବଢ଼ୁଛି ଅସନ୍ତୋଷ, ଓକିଲମାନେ କାର୍ଯ୍ୟରେ ଯୋଗଦେବା ନେଇ ଆଶଙ୍କା

ଜେଲ୍‌ ଗଲେ ପୁଣି ଜଣେ ଓକିଲ, ଗିରଫ ସଂଖ୍ୟା ୩୬କୁ ବୃଦ୍ଧି  

ସମ୍ବଲପୁର: ଭାରତୀୟ ଆଇନଜୀବୀ ପରିଷଦ(ବିସିଆଇ) ୫୪ ଜଣ ଆଇନଜୀବୀଙ୍କ ବ୍ୟତୀତ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବା ପରେ ବି ଗତକାଲି କେହି କାର୍ଯ୍ୟରେ ଯୋଗ ଦେଇନଥିଲେ। ଆସନ୍ତାକାଲି ବି ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ୧୦ ବର୍ଷର ପୁରୁଣା ପୂର୍ବତନ ଜିଲ୍ଲାପାଳ ଡାକ୍ତର ମୃଣାଳିନୀ ଦର୍ସୱାଲଙ୍କୁ ଆକ୍ରମଣ ମାମଲା‌ର ପୁଣି ଖୋଳତାଡ଼ ଆରମ୍ଭ କରିବା ଘଟଣାରେ ରାଜ୍ୟ ସରକାରଙ୍କ ବିରୋଧରେ ଆଇନଜୀବୀଙ୍କ ସହିତ ସାଧାରଣରେ ଅସନ୍ତୋଷ ଦାନା ବାନ୍ଧୁଛି।

ଗତ ୧୨ ତାରିଖର ଆନ୍ଦୋଳନ ଓ କୋର୍ଟ ଭିତରେ ଭଙ୍ଗାରୁଜା ଘଟଣାରେ ଗିରଫ ୮ ଜଣ କିନ୍ନରଙ୍କ ଜାମିନ ଆବେଦନ ଗତକାଲି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଖାରଜ ହୋଇଯାଇଛି। ଆଗାମୀ ଦିନରେ ଏମାନଙ୍କ ଜାମିନ ଆବେଦନ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ କରାଯିବ। ଅପରପକ୍ଷରେ ଅନ୍ୟ ୩ଟି ମାମଲା ମଧ୍ୟରୁ ଗୋଟିଏ ମାମଲାରେ ୨୨ ଜଣ, ଆଉ ଗୋଟିଏ ମାମଲାରେ ୧୪ ଜଣ ଓ ଅନ୍ୟ ଏକ ମାମଲାରେ ଜଣେ ଆଇନଜୀବୀଙ୍କ ଜାମିନ ଆବେଦନ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ଆଗତ କରାଯାଇଛି। ଏମାନଙ୍କ ଜାମିନ ଆବେଦନ ଉପରେ ଆସନ୍ତା ୨୨ ତାରିଖ ଗୁରୁବାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା କୁଚିଣ୍ଡାର ଆଇନଜୀବୀ ରଂଜନ ଶର୍ମା କହିଛନ୍ତି। ଇତିମଧ୍ୟରେ ନେଲ୍‌ସନ୍‌ ମଣ୍ଡେଲା ଛକ ଓ କଚେରି ଅଂଚଳରେ ଲାଗିଥିବା ୧୪୪ ଧାରା ଉଠିଛି।

ହେଲେ, ନିଲମ୍ବନ ପ୍ରତ୍ୟାହାର ସତ୍ତ୍ବେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଭଂଗାରୁଜା ମାମଲାରେ ଆଗରୁ ୩୫ ଜଣ ଗିରଫ ହୋଇଥିବା ବେଳେ ଆଜି ପୁଣି ପୁଲିସ ଜଣେ ଆଇନଜୀବୀ ବିଷ୍ଣୁ ପାଢ଼ୀଙ୍କୁ କୋର୍ଟଚାଲାଣ କରିଛି। ଏଥି ସହିତ ଗିରଫ ସଂଖ୍ୟା ୩୬ରେ ପହଂଚିଛି। ଏମାନଙ୍କ ମଧ୍ୟରେ ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର, ସମ୍ବଲପୁର ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଦୀପ ବହିଦାର ରହିଛନ୍ତି। ସଂଘର ସଦସ୍ୟମାନେ ଜେଲ୍‌ରେ ଥିବା ବେଳେ ନିଲମ୍ବନ ପ୍ରତ୍ୟାହାର ପରେ ବି ଅନ୍ୟମାନେ କାର୍ଯ୍ୟରେ ଯୋଗଦେବା ନେଇ ବିଶେଷ ଆଗ୍ରହ ପ୍ରକାଶ କରୁ ନଥିବା ଦେଖିବାକୁ ମିଳିଛି। ଆଇନଜୀବୀମାନେ କାର୍ଯ୍ୟରେ ଯୋଗଦେବା ସଂପର୍କରେ କେହି କିଛି ସ୍ପଷ୍ଟ ଭାବେ କହୁନଥିବାରୁ ଯୋଗନଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ନିଜର ଏକତା ଦେଖାଇବା ପାଇଁ ହୁଏତ ସେମାନେ କାର୍ଯ୍ୟରେ ଯୋଗ ଦେଇନପାରନ୍ତି।

ଅନ୍ୟ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ସିଏସିଠାରୁ ଦୂରେଇ ରହିଥିବା ବରଗଡ଼ ଓକିଲ ସଂଘର ସଭାପତି ଓ ସଂପାଦକଙ୍କ ନେତୃତ୍ବରେ ଏକ ୨୦ ଜଣିଆ ପ୍ରତିନିଧି ଦଳ ସମ୍ବଲପୁର ଆସି ସାନ୍ତ୍ବନା ଦେବା ଏଠାକାର ଆଇନଜୀବୀମାନଙ୍କ ମନୋବଳ ବଢ଼ାଇଛି। ଅପରପକ୍ଷରେ ୧୦ ବର୍ଷ ତଳେ ୨୦୧୨ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଡାକ୍ତର ମୃଣାଳିନୀ ଦର୍ସୱାଲଙ୍କୁ ଆକ୍ରମଣ ଓ ତାଙ୍କ ଆବାସିକ ବାସଭବନରେ ଭଂଗାରୁଜା ଘଟଣାରେ ଉତ୍ତରାଂଚଳ ଆର୍‌ଡିସିଙ୍କ ମଧ୍ୟସ୍ଥତାରେ ସେତେବେଳେ ଏକପ୍ରକାର ଆପୋସ ବୁଝାମଣା ହୋଇଥିଲା। ଏତ‌େ ବର୍ଷର ନିରବତା ପରେ ଅଚାନକ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ନେତୃତ୍ବ ନେଉଥିବା ଦୁଇ ପ୍ରମୁଖ ଆଇନଜୀବୀଙ୍କୁ ରିମାଣ୍ଡରେ ନେବା ପାଇଁ ଏସ୍‌ଡିଜେଏମ୍‌ଙ୍କ ‌କୋର୍ଟରେ ଆବେଦନ କରାଯାଇଛି। ରାଜ୍ୟ ସରକାର ଆକ୍ରୋଶମୂଳକ ଭାବେ ଏଭଳି ପଦକ୍ଷେପ ନେଇଥିବା କହାଯାଉଛି। ଆନ୍ଦୋଳନ ଦମନ ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଜରିଆରେ ଉକ୍ତ ମାମଲାକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିବା ନେଇ ଏବେ ଜନସାଧାରଣରେ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର