ଭୁବନେଶ୍ୱରରେ ଏ.ଆର.ରେହମାନ: ମସଜିଦରେ ନମାଜ ପଢ଼ିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟାହ୍ଣ ଭୋଜନ କଲେ, ବଗିଚାରେ ନବୀନଙ୍କ ସହ ସେଲଫି ନେଲେ

ଭୁବନେଶ୍ବର: ହକି ବିଶ୍ୱକପର ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମ ପାଇଁ ଶୁକ୍ରବାର ଓଡିଶାରେ ପହଞ୍ଚିଛନ୍ତି  ଓସ୍କାର ବିଜେତା ତଥା ପ୍ରସିଦ୍ଧ ସଂଗୀତଜ୍ଞ ଏ.ଆର.ରେହମାନ। ଅାଜି ସେ  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଉଦଘାଟନୀ ଉତ୍ସବକୁ କିଭଳି ଅଧିକ ଆକର୍ଷଣୀୟ କରିହେବ ସେଥିପାଇଁ ଆଗୁଆ ଭୁବନେଶ୍ବର ପହଞ୍ଚିଛନ୍ତି  ରେହମାନ ।

ହକି ବିଶ୍ୱକପ ପଛର ମୁଖ୍ୟ ପୁରୋଧା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ଦିନ ୨ଟା ସମୟରେ ନବୀନ ନିବାସରେ ପହଞ୍ଚିଥିଲେ ରେହମାନ । ପ୍ରାୟ ଘଣ୍ଟାଏ କାଳ ନବୀନ ନିବାସରେ ରହିବା ପରେ ଏକା ସାଙ୍ଗରେ ମଧ୍ୟାହ୍ଣ ଭୋଜନ କରିଥିଲେ ରେହମାନ । ଆଉ ଏହା ସହ ନବୀନଙ୍କୁ ପ୍ରଂଶସା କରିବାକୁ ଭୁଲିନଥିଲେ ରେହମାନ । ମୁଖ୍ୟମନ୍ତ୍ରୀ ମୋତେ ବନ୍ଧୁଙ୍କ ଭଳି ବ୍ୟବହାର କଲେ  ଓ ମୋ ସାଙ୍ଗରେ ମଧ୍ୟାହ୍ଣ ଭୋଜନ କରିଥିଲେ ବୋଲି ଗଣମାଧ୍ୟମକୁ କହିଥିଲେ ରେହମାନ । ଅନ୍ୟପକ୍ଷରେ ନବୀନ ବି ରେହମାନଙ୍କୁ ଭେଟି ବହୁତ ଖୁସି ଥିବା କହିଛନ୍ତି ।

ତେବେ ନବୀନ ନିବାସରୁ ବିଦାୟ ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସହ ସେଲଫି ନେବାକୁ ଅନୁରୋଧ କରିଥିଲେ ରେହମାନ ।  ମୁଖ୍ୟମନ୍ତ୍ରୀ ମଧ୍ୟ ବିନା ଦ୍ୱିଧାରେ ରେହମାନଙ୍କ ସହ ସେଲଫି ନେବାକୁ ହଁ କରିଥିଲେ । ପ୍ରଥମେ ନବୀନ ନିବାସ ମଧ୍ୟରେ ସେଲଫି ନେଇଥିଲେ ରେହମାନ । ତେବେ ମୁଖ୍ୟମନ୍ତ୍ରୀ ଫଟୋ ଉଠାଇବାକୁ ରେହମାନଙ୍କୁ ବଗିଚାକୁ ଡାକି ନେଇଥିଲେ । ବଗିଚାରେ ରେହମାନ ନବୀନଙ୍କ ସହ ସେଲଫି ନେଇଥିଲେ।

ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରେହମାନ ହୋଟେଲ ଟ୍ରାଇଡେଣ୍ଟକୁ ଯାଇଥିଲେ । ସେଠାରୁ କମସିଆ ମସଜିଦକୁ ଯାଇ ନମାଜ ପାଠ କରିଥିଲେ ।

ସମ୍ବନ୍ଧିତ ଖବର