ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଆସେସ୍‌ମେଣ୍ଟ-୨, ଏଥର ୫୦ ମାର୍କର ପରୀକ୍ଷା

୫ମ ଶ୍ରେଣୀ ଯାଏ ରହିବ ମୌଖିକ ପ୍ରଶ୍ନ, ଗାଇଡ୍‌ଲାଇନ୍‌ ଜାରି କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା(ଆସେସ୍‌ମେଣ୍ଟ-୨) ମାର୍ଚ୍ଚ ଦ୍ବିତୀୟ ସପ୍ତାହରୁ ଆରମ୍ଭ ହେବ। ଏ ପର୍ଯ୍ୟନ୍ତ ଯାଏ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଆପାତତଃ ମାର୍ଚ୍ଚ ୧୧ରୁ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ତା’ ପୂର୍ବରୁ ଜାରି ହୋଇଛି ଗାଇଡ୍‌ଲାଇନ୍‌। ପରୀକ୍ଷା କିଭଳି ପରିଚାଳିତ ହେବ, କେଉଁ ବିଷୟର କେତେ ସମୟ ପରୀକ୍ଷା ହେବ, ପରୀକ୍ଷା ପରେ ଉତ୍ତର ଖାତା ମୂଲ୍ୟାୟନ ଓ ଅଭିଭାବକଙ୍କୁ ଖାତା ଦେଖାଇବା ପରି ଆଦି ବିଷୟରେ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବାକୁ ଓଡ଼ିଶା ସ୍କୁଲ ଏଜୁକେସନ ପୋଗ୍ରାମ ଅଥରିଟି(ଓସେପା) ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ଲର୍ଣ୍ଣିଂ ଆଉଟ୍‌କମ୍‌ ଅନୁଯାୟୀ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ। ପୁସ୍ତକରେ ଥିବା ବିଷୟକୁ ଛାତ୍ରଛାତ୍ରୀ ନିଜର ଦୈନଦିନ ଜୀବନରେ କିଭଳି ଲାଗୁ କରୁଛନ୍ତି ତାହା ଉପରେ ଅଧିକାଂଶ ପ୍ରଶ୍ନ ଆଧାରିତ ରହିବ। ଓଡ଼ିଆ ସମେତ ଊର୍ଦ୍ଦୁ, ପର୍ସିଆନ୍‌, ଇଂରାଜୀ, ହିନ୍ଦୀ ଓ ସଂସ୍କୃତ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ପାଠ୍ୟପୁସ୍ତକର ସମସ୍ତ ବିଷୟ ପ୍ରଶ୍ନପତ୍ରରେ ରହିବା ନିହାତି ଆବଶ୍ୟକ। ତେବେ ଆସେସ୍‌ମେଣ୍ଟ-୧ରେ ଆସିଥିବା ପ୍ରଶ୍ନଗୁଡ଼ିକୁ କମ୍‌ ଗୁରୁତ୍ବ ଦିଆଯିବ। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନପତ୍ର ୫୦ ମାର୍କ ବିଶିଷ୍ଟ ହେବ। ୫ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ(ଚିତ୍ରାଙ୍କନ ବ୍ୟତୀତ)ରେ ମୌଖିକ ପ୍ରଶ୍ନ ଆସିବ, ଯାହାକି ୧୦ ମାର୍କର ରହିବ। ପ୍ରଥମ ଓ ଦ୍ବିତୀୟ ଶ୍ରେଣୀର ସମସ୍ତ ବିଷୟ ପାଇଁ ଦେଢ଼ ଘଣ୍ଟା ରଖାଯାଇଛି। ଏହି ପରୀକ୍ଷାରେ ୪୦ ମାର୍କ ଲିଖିତ ଓ ୧୦ ମାର୍କ ମୌଖିକ ପ୍ରଶ୍ନ ରହିବ। ୩ୟରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୨ ଘଣ୍ଟା ଲେଖାଏ ପରୀକ୍ଷା ହେବ। ୬ଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ବିଷୟର ପରୀକ୍ଷାଗୁଡ଼ିକ ୨ ଘଣ୍ଟା ଅବଧିର ରହିବ। ଏଥିରେ କୌଣସି ପ୍ରକାର ମୌଖିକ ପ୍ରଶ୍ନ ଆସିବ ନାହିଁ।

ପ୍ରତି ପ୍ରଶ୍ନପତ୍ରର ଶେଷ ପୃଷ୍ଠାରେ ଲର୍ଣ୍ଣିଂ ଆଉଟ୍‌କମ୍‌ କୋର୍ଡ ରହିବ। ଏନ୍‌ସିଇଆରଟି ଲର୍ଣ୍ଣିଂ ଆଉଟ୍‌କମ୍‌ ହାଣ୍ଡବୁକ୍‌ ଅନୁଯାୟୀ ଏହା ପ୍ରସ୍ତୁତ ହେବ। ପ୍ରତି ପ୍ରଶ୍ନର ସୃଜାନାତ୍ମକସ୍ତର ଏଥିରେ ଲେଖାଯିବ। ଏହାଦ୍ବାରା ଶିକ୍ଷକମାନେ ପିଲାମାନଙ୍କ ଲର୍ଣ୍ଣିଂ ଆଉଟ୍‌କମ୍‌ ଓ ସୃଜାନାତ୍ମକସ୍ତରରୁ ଜାଣିପାରିବେ। ଆସେସ୍‌ମେଣ୍ଟ-୨ ପରେ ପ୍ରତି ଛାତ୍ରଛାତ୍ରୀଙ୍କ ପ୍ରଶ୍ନପତ୍ର ଓ ଉତ୍ତର ଖାତାକୁ ସେମାନଙ୍କ ଅଭିଭାବକଙ୍କୁ ପ୍ରଦାନ କରାଯିବ। ସେମାନେ ନିଜ ପିଲାଙ୍କୁ ଘରେ କିଭଳି ପଢ଼ାଇବେ ସେ ବିଷୟରେ ବି କୁହାଯିବ। ଆସେସ୍‌ମେଣ୍ଟ ଶେଷ ହେବା ପରେ ଶିକ୍ଷକମାନଙ୍କ ଦ୍ବାରା ଉତ୍ତର ଖାତାଗୁଡ଼ିକର ମୂଲ୍ୟାୟନ ହେବ। ସେଗୁଡ଼ିକୁ ପିଲାଙ୍କୁ ବି ଦିଆଯିବ। ଫଳରେ ପିଲାମାନେ ନିଜର ଦୁର୍ବଳତା ଜାଣିପାରିବେ।

ସମ୍ବନ୍ଧିତ ଖବର