ସଙ୍ଗରୋଧ କେନ୍ଦ୍ରକୁ ମଦ ଯୋଗାଣ ନେଇ ଉତ୍ତେଜନା : ସରପଞ୍ଚ ସମେତ ୩ ଜଣଙ୍କୁ ମଦ ବି‌କ୍ରେତାଙ୍କ ଆକ୍ରମଣ

ବସ୍ତାଏ ମଦ ପାଉଚ୍‌ ଠାବ କଲେ ଯୁବଗୋଷ୍ଠୀ
କଳମ୍ବ-କବିସୂର୍ଯ୍ୟନଗର ରାସ୍ତା ୭ଘଣ୍ଟା ଅବରୋଧ

ପୋଲସରା/କଳମ୍ବ : ସଙ୍ଗରୋଧ କେନ୍ଦ୍ର ଭିତରକୁ ମଦ ଯୋଗାଣକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅର୍ନ୍ତଗତ କଳମ୍ବ ଗାଁରେ ତୀବ୍ର ଉତ୍ତେଜନା ପ୍ରାକାଶ ପାଇଛି। ମଦ ବିକ୍ରେତା ଜଣକ ସ୍ଥାନୀୟ ସରପଞ୍ଚ ଓ ୩ ଜଣଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିବାରୁ ଗ୍ରାମବାସୀମାନେ କଳମ୍ବ-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାକୁ କାଠଗଣ୍ଡି ପକାଇ ଟାୟାର୍ ଜାଳି ଅବରୋଧ କରି ରଖିଛନ୍ତି। ଗାଁରେ ଦୀର୍ଘ ୭ ଘଣ୍ଟା ହେଲା ଉତ୍ତେଜନା ଜାରି ରହିଥିବାବେଳେ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି।

ପୋଲସରା ବ୍ଲକ୍‌ କଳମ୍ବ ଗାଁରେ ୧୯୯୧ ମସିହାରୁ ମଦ ବିକ୍ରି ବନ୍ଦ ରହିଛି। ଗାଁରେ କେହି ମଦ ବିକ୍ରି କରିପାରିବେ ନାହିଁ ବୋଲି ଗାଁ କମିଟି ନିଷ୍ପତ୍ତି ନେଇଛି। ହେଲେ ବର୍ତ୍ତମାନ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପରେ କଳମ୍ବ ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସଙ୍ଗରୋଧ କେନ୍ଦ୍ର କରାଯାଇଛି। ସେଥିରେ ୧୧୨ଜଣ ପ୍ରବାସୀ ରହୁଛନ୍ତି। ଏମାନଙ୍କୁ କଳମ୍ବ ଓ ଆଖପାଖ ଗାଁର ସୁଶାନ୍ତ କୁମାର ପ୍ରଧାନ, ସ‌ନ୍ତୋଷ କୁମାର ପ୍ରଧାନ, ବିକାଶ ସାହୁ, ରଞ୍ଜିତ କୁମାର ସାହୁ ମଦ ଯୋଗାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏପରିକି ଏହି ଯୁବକମାନେ ଗାଁର କିଛି ଲୋକଙ୍କୁ ମଧ୍ୟ ଧମକଚମକ ଦେଇଆସୁଥିଲେ। ଆଜି କଳମ୍ବ ପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ପ୍ରଧାନ ଉକ୍ତ ୪ ଜଣ ଯୁବକଙ୍କୁ ଦେଖି ମଦ ‌ଯୋଗାଣରୁ ନିବୃତ୍ତ ରହିବାକୁ ତାଗିଦ୍ କରିଥିଲେ। ହେଲେ ସେମାନେ ସରପଞ୍ଚ ସମେତ ଅନ୍ୟ ୩ଜଣଙ୍କୁ ଧକ୍କା ମାରିବା ସହ ଗାଳିଗୁଲଜ କରିଥିଲେ। ଏହାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଆରମ୍ଭ ହୋଇଯାଇଥିଲା। ଗାଁର ଦୀର୍ଘ ୨୯ବର୍ଷର ପୁରୁଣା ପରମ୍ପରା ଭାଙ୍ଗିଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ବ୍ୟକ୍ତ କରି ମେଳି ବାନ୍ଧିଥିଲେ। ଆଉ ସଙ୍ଗରୋଧ କେନ୍ଦ୍ର ନିକଟସ୍ଥ କଳମ୍ବ-କବିସୂର୍ଯ୍ୟନଗର ମୁଖ୍ୟରାସ୍ତାକୁ କାଠଗଣ୍ଡି ପକାଇ ଟାୟାର୍ ଜାଳି ଅବରୋଧ କରି ରଖିଥିଲେ।

ପୋଲସରା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହା ମଧ୍ୟରେ କଳମ୍ବ ଗ୍ରାମର କିଛି ଯୁବକ ନିକଟସ୍ଥ ଏକ ଗାଁକୁ ଯାଇ ସେଠାରେ ଲୁଚାଇ ରଖାଯାଇଥିବା ୧ବସ୍ତା ମଦ ପାଉଚ୍ ଠାବ କରିଥି‌ଲେ। ଏହି ମଦକୁ ୪ଜଣ ଯୁବକ ସଙ୍ଗରୋଧ କେନ୍ଦ୍ରକୁ ଚାଲାଣ କରିବେ ବୋଲି ଲୁଚାଇ ରଖିଥିଲେ। ମଦ ପାଉଚ୍ ଦେଖି କଳମ୍ବ ଗ୍ରାମବାସୀ ଆହୁରି ଅଶାନ୍ତ ହୋଇ ଉଠିଥିଲେ। ପୁଲିସ-ଉତ୍ତ୍ୟକ୍ତ ଲୋକ କିଛି ସମୟ ପାଇଁ ମୁହାଁମୁହିଁ ମଧ୍ୟ ହୋଇଥିଲେ। ସ୍ଥିତି ଅଣାୟତ୍ତ ‌ହେବାରୁ ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦୀ ଓ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ସଦଳବଳେ କଳମ୍ବ ଗ୍ରାମରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ୪ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ ସଙ୍ଗରୋଧ କେନ୍ଦ୍ରର ଦୁଇ ଅନ୍ତେବାସୀ ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର