କୃଷି କ୍ଷେତ୍ରକୁ ବ୍ୟାଙ୍କମାନେ ଋଣ ପ୍ରଦାନରେ ତତ୍ପରତା ପ୍ରକାଶ କରନ୍ତୁ : ମନ୍ତ୍ରୀ

କୃଷି ଭବନରେ ବ୍ୟାଙ୍କର୍ସମାନଙ୍କ ବୈଠକ

ଭୁବନେଶ୍ବର : କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଋଣ ପ୍ରଦାନ କରିବାକୁ ବ୍ୟାଙ୍କଗୁଡ଼ିକ ସହ‌ଯୋଗ କରୁ ନ ଥିବା ନେଇ ବହୁ ସମୟରେ ଅଭିଯୋଗ ଆସୁଛି। ସରକାର ଚାଷୀଙ୍କ ପାଇଁ ବହୁ ଯୋଜନା କରୁଥିଲେ ବି ଋଣ ଠିକ୍ ସମୟରେ ମିଳି ପାରୁ ନ ଥିବାରୁ ଯୋଜନାର ଫାଇଦା ଚାଷୀମାନେ ନେଇ ପାରୁ ନାହାନ୍ତି। ଏ ନେଇ ବିଭିନ୍ନ ସ୍ତରରେ ଉଦ୍‌ବେଗ ପ୍ରକାଶ ପାଉଥିଲା ବେଳେ ଆଜି କୃଷି ବିଭାଗ ପକ୍ଷରୁ ବ୍ୟାଙ୍କର୍ସମାନଙ୍କ ଏକ ବୈଠକ ଡକାଯାଇଥିଲା। ବୈଠକରେ ଅଧ୍ୟକ୍ଷତା କରି କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ କୃଷି ସମ୍ବନ୍ଧୀୟ ଋଣ ଆବେଦନଗୁଡ଼ିକ ମଞ୍ଜୁର କରିବା ଦିଗରେ ତତ୍ପରତା ପ୍ରକାଶ କରିବାକୁ ବ୍ୟାଙ୍କ ପ୍ରତିନିଧିମାନଙ୍କୁ କହିଥିଲେ।

ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ, କୃଷିର ଉନ୍ନତି ଓ କୃଷକମାନଙ୍କ ଆୟ ବୃଦ୍ଧି ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଅଧିକ ଋଣ ପ୍ରଦାନର ଆବଶ୍ୟକତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଯୁବକ, ଯୁବତୀମାନଙ୍କ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆତ୍ମନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ଥିବାରୁ ବ୍ୟାଙ୍କଗୁଡ଼ିକ ଆବଶ୍ୟକ ଋଣ ଯୋଗାଇ ଦେବା ଆବଶ୍ୟକ। ମତ୍ସ୍ୟଚାଷ, ଗୋପାଳନ, ଉଦ୍ୟାନ କୃଷି ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି ଋଣ ପାଇଁ କରିଥିବା ଆବେଦନଗୁଡ଼ିକ ଉପରେ ବ୍ୟାଙ୍କଗୁଡ଼ିକ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ କହିଥିଲେ।

ମତ୍ସ୍ୟ, ଉଦ୍ୟାନ କୃଷି, ପଶୁପାଳନ ଓ ପଶୁଚିକିତ୍ସା ଏବଂ ଆପିକଲ୍‌ର ନିର୍ଦ୍ଦେଶକମାନେ ନିଜ ନିଜ ସ୍ତରରେ ପ୍ରତି ମାସରେ ବ୍ୟାଙ୍କ ପ୍ରତିନିଧିମାନଙ୍କ ସହ ବୈଠକ କରି ଋଣ ପ୍ରଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାକୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ପ୍ରତି ବ୍ୟାଙ୍କ ଶାଖାରେ ପଡ଼ି ରହିଥିବା ଆବେଦନ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟକୁ ଆବଶ୍ୟକ ପ୍ରକ୍ରିୟା ନିମନ୍ତେ ପ୍ରେରଣ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନାରେ ସବ୍‌ସିଡି ବ୍ୟବସ୍ଥା ଥିଲା ବେଳେ ଏ କ୍ଷେତ୍ରରେ ଆବେଦନକାରୀମାନଙ୍କୁ ଋଣ ପ୍ରଦାନ ସହ ଠିକ୍ ସମୟରେ ସବ୍‌ସିଡି ପ୍ରଦାନ ନିମନ୍ତେ ସେ କହିଥିଲେ।

ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଋଣ ଆବେଦନର ସ୍ଥିତି ସମ୍ପର୍କରେ ସମୀକ୍ଷା କରି କୃଷି ଋଣ ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଥିଲେ। ବୈଠକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସଚିବ ଆର୍ ରଘୁପ୍ରସାଦଙ୍କ ସମେତ କୃଷି ନିର୍ଦ୍ଦେଶକ, ମତ୍ସ୍ୟ, ଉଦ୍ୟାନ କୃଷି, ପଶୁପ‌ାଳନ ଓ ଆପିକଲ୍‌ର ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ନାବାର୍ଡ ଏବଂ ସରକାରୀ ଓ ବେସରକାରୀ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର