ଭଦ୍ରକ: ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ନିର୍ଦ୍ଦେଶ

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେଲା ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ଭଦ୍ରକ : ଗୋଟିଏ ପଟେ ମହାମାରୀ ‘କରୋନା’ ଭୟ, ଅନ୍ୟପଟେ ସାମୁଦ୍ରିକ ଝଡ଼ବାତ୍ୟା ‘ଅମ୍ଫାନ’ ଆତଙ୍କ। ଏହି ଦୁଇଟି ବିପତ୍ତିରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ସମୁଦ୍ରଠାରୁ ୩ କିମି ଦୂରରେ ଥିବା ଲୋକମାନଙ୍କୁ ଗାଁ ଛାଡ଼ି ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏଥିସହିତ, ଜିଲ୍ଲାର ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସତର୍କ କରାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଧାମରା ଅଞ୍ଚଳର ଝାଡକାଟି, ଗୁଆଁଳ, ଜାଗୁଳା, ଡିଆଁନରସିଂହପୁର, ବଳଭଦ୍ରପ୍ରସାଦ, ଦୋସିଙ୍ଗା, ବଳସାହି, ଉଦିତନଗର, ଚନ୍ଦନିପାଳ, କନକପ୍ରସାଦ, ବାଂଶଡା, କଇଥକୋଲା, ହୃଦୟପ୍ରସାଦ, ଗୌରୀପ୍ରସାଦ, କରଞ୍ଜମାଳ, ପଞ୍ଚୁଟିକ୍ରୀ, ବଇଁଚା, କରଣପଲ୍ଲୀ, ଚରଦିଆ, ଶଙ୍ଖପଦା, ହରିଶପୁର, ନଳଗୋହିରା ଆଦି ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଲୋକମାନଙ୍କୁ ରଖିବା ପାଇଁ ପ୍ରଶାସନ ପ୍ରସ୍ତୁତି କରିଛି। ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟୁତ, ପାନୀୟ ଜଳଯୋଗାଣ ସହିତ ରନ୍ଧାଖାଦ୍ୟର ବ୍ୟବସ୍ଥା ହୋଇଛି। ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ବିଡିଓ, ତହସିଲଦାରମାନେ ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି।

ଅନ୍ୟପକ୍ଷରେ, ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକରେ ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ରବିବାର ଏନ୍‌ଡିଆରଏଫ୍‌ର ଦୁଇଟି ଟିମ୍ ସହିତ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଧାମରା ଅଞ୍ଚଳରେ ଡେରା ପକାଇଛନ୍ତି। ସମୁଦ୍ର ତଟବର୍ତ୍ତୀ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୭୨ଟି ପଞ୍ଚାୟତରେ ମାଇକ୍ ଯୋଗ‌େ ପ୍ରଶାସନ ପକ୍ଷରୁ ଘନଘନ ପ୍ରଚାର କରାଯାଉଥିବାବେଳେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀକୁ ଛାଡ଼ିଦେଲେ ଜିଲ୍ଲାର ୬୩୦ଟି ସ୍କୁଲକୁ ଅସ୍ଥାୟୀ ଆଶ୍ରୟସ୍ଥଳ କରାଯାଇଛି। ଇତିମଧ୍ୟରେ ଅନେକ ମତ୍ସ୍ୟଜୀବୀ ସେମାନଙ୍କ ମାଛଧରା ଡଙ୍ଗା, ଭୁଟୁଭୁଟି ସମୁଦ୍ର ଭିତରୁ ମୁହାଣକୁ ଫେରାଇ ଆଣିଛନ୍ତି। ଯେଉଁମାନେ ମାଛ ଧରିବାକୁ ଆଗୁଆ ପଳାଇଛନ୍ତି ସେମାନଙ୍କୁ ରବିବାର ସଂଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ ସୂଚନା ଦିଆଯାଇଛି।

ମୟୂରଭଞ୍ଜରେ କାର୍ଯ୍ୟକ୍ଷମ ହେଲା ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ
ବାରିପଦା : ସାମୁଦ୍ରିକ ଝଡ଼ବାତ୍ୟା ‘ଅମ୍ଫାନ୍‌’ର ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହାର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ଘଣ୍ଟିଆ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକାରୀ କରାଯାଇଛି। ବରିଷ୍ଠ ଅଧିକାରୀମାନେ ଏହି ଜରୁରୀକାଳୀନ କକ୍ଷର ଦାୟିତ୍ବରେ ରହିଛନ୍ତି।

ଅନ୍ୟ ଏକ ସୂଚନା ଅନୁସାରେ, ଆଜି ଜିଲ୍ଲା ସଦର ମହକୁମାରେ ଏନ୍‌ଡିଆର୍‌ଏଫ୍‌ର ୨୦ ଜଣିଆ ଟିମ୍‌ ପହଞ୍ଚିଛି। ପୂର୍ବରୁ ଏକ ଓଡ୍ରାଫ୍‌ ଟିମ୍‌ ମଧ୍ୟ ପ୍ରସ୍ତୁତ ହୋଇରହିଛି। ଯେକୌଣସି ଆପତକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଏହି ଟିମ୍‌ କାର୍ଯ୍ୟ କରିବ। ସେହିପରି ଜିଲ୍ଲାରେ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ କୁମାର ପତି ସୂଚନା ଦେଇଛନ୍ତି।

ସେହିଭଳି, ଜିଲ୍ଲାରେ ଥିବା ୧୦ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨ଟି ବର୍ତ୍ତମାନ ସଙ୍ଗରୋଧ କେନ୍ଦ୍ର ଭାବେ ବ୍ୟବହୃତ ହେଉଛି। ତେଣୁ ଏହି ଦୁଇଟି ବାତ୍ୟା ଆଶ୍ରୟସ୍ଥଳକୁ ଛାଡ଼ି ଅନ୍ୟଗୁଡ଼ିକୁ ‘ ଅମ୍ଫାନ୍‌’ ପାଇଁ ପ୍ରସ୍ତୁତ ରଖାଯାଇଛି। ଏହାଛଡ଼ା ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ଆବଶ୍ୟକ ପଡ଼ିଲେ ବିକଳ୍ପ ପକ୍କା ଘରର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ବିଦ୍ୟାଳୟକୁ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକେ ସ୍ଥାନାନ୍ତର ହେଲେ ସଂପୃକ୍ତ ବିଦ୍ୟାଳୟର ଜଣେ ଜଣେ ଶିକ୍ଷକ ନୋଡାଲ୍‌ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ଏଥିସହିତ, ବାତ୍ୟା ସମୟରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିବା ନିମନ୍ତେ ମୋବାଇଲ୍‌ ‌ହେଲ୍‌ଥ ଟିମ୍‌ ଗଠନ କରାଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରମାନଙ୍କୁ ବିଭିନ୍ନ ଅଞ୍ଚଳରେ ନିୟୋଜିତ କରାଯିବାନେଇ ଯୋଜନା ପ୍ରସ୍ତୁତ ହୋଇଛି। ଅଙ୍ଗନବାଡି କେନ୍ଦ୍ରଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାରେ ଶୁଖିଲା ଖାଦ୍ୟର ଉପଲବ୍ଧତା‌ ଆକଳନ କରାଯିବା ସହିତ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଜରୁରୀକାଳୀନ ଅଧିକାରୀ ଶ୍ରୀ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର