ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ସନ୍ତାନ ପ୍ରସବ କଲେ ମହିଳା, ଡାକ୍ତରଙ୍କ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକେ

ଭଦ୍ରକ/ ଚାନ୍ଦବାଲି: ଡାକ୍ତରଙ୍କ ଅବହେଳା କାରଣରୁ ଚାନ୍ଦବାଲି ଅଞ୍ଚଳର ଜଣେ ମହିଳା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବାରଣ୍ଡାରେ ସନ୍ତାନ ପ୍ରସବ କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ବ୍ଲକର ଭୂଇଁବୃତ୍ତି ପଞ୍ଚାୟତର ନୂଆଗାଁର ରଜତ ଦାସଙ୍କ ପତ୍ନୀ ମିନତି ଦାସ(୨୩)ଙ୍କୁ ପ୍ରସବ ନିମନ୍ତେ ଗତକାଲି ସନ୍ଧ୍ୟାରେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଥିବା ଡାକ୍ତର ତାଙ୍କୁ ଭଦ୍ରକକୁ ରେଫର୍ କରି ଦେଇଥିଲେ ।
ମିନତି ଚାନ୍ଦବାଲି ସ୍ବାସ୍ଥ୍ୟ କେନ୍ଦ୍ରରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗତକାଲି ରାତିରେ ଆସିଥିଲେ। ମାତ୍ର ଭଦ୍ରକ ମେଡିକାଲର ଡାକ୍ତର ତାଙ୍କର ଚିକିତ୍ସା କରିବା ବଦଳରେ କଟକ ବଡ଼ ମେଡକାଲ୍ ନେବାକୁ କହିଥିଲେ। ତେବେ ଲକ୍‌ଡାଉନ ଯୋଗୁ ଗାଡ଼ି ମିଳିବାରେ ସମସ୍ୟା ହେବ ବୋଲି କହିବା ସହ ପ୍ରସୂତିଙ୍କର ଚିକିତ୍ସା କରିବା ଲାଗି ଡାକ୍ତରଙ୍କୁ ନେହୁରା ହୋଇଥିଲେ ବି ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହାପରେ ସେମାନେ କଟକ ବାହାରିବାକୁ ଉଦ୍ୟମ କରୁଥିବା ବେଳେ ଭଦ୍ରକର ମେଡିକାଲ ବାରଣ୍ଡାରେ ମିନତି ଏକ ସନ୍ତାନ ପ୍ରସବ କରିଥିଲେ। ଏହାପରେ ତାଙ୍କୁ ରାତିରେ ଭଦ୍ରକର ଶୁଭମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉଭୟ ମା’ ଓ ନବଜାତକ ସୁସ୍ଥ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର