ବିଶିଷ୍ଟ ସମାଜସେବୀ, ସର୍ବୋଦୟ ନେତା, ବରିଷ୍ଠ ସାମ୍ବାଦିକ ଭାଗବତ ନନ୍ଦ ଆଉ ନାହାନ୍ତି

ସମ୍ବଲପୁର : ବିଶିଷ୍ଟ ସମାଜସେବୀ, ସର୍ବୋଦୟ ନେତା, ବରିଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ନନ୍ଦ (୮୩)ଙ୍କ ବୁଢାରଜା ସ୍ଥିତ ବାସଭବନରେ ଆଜି ଦେହାନ୍ତ ହୋଇଯାଇଛି। ପ୍ରାୟ ମାସେ ହେଲା ସେ ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମରଶରୀର ନିକଟରେ ପତ୍ନୀ ସୌଦାମିନୀ ନନ୍ଦ, ବଡ଼ ପୁଅ ସାମ୍ବାଦିକ ଶିବ ଶଙ୍କର ନନ୍ଦ, ଝିଅ ବିଜୟଲକ୍ଷ୍ମୀ ମହାପାତ୍ର, ସାନପୁଅ ପ୍ରେମ ଶଙ୍କର ନନ୍ଦ, ବୋହୂ ମଂଜରି, ଭାରତୀ, ଜ୍ବାଇଁ ଧିରେନ୍ଦ୍ର ମହାପାତ୍ର ତଥା ନାତି, ନାତୁଣୀ ଉପସ୍ଥିତ ଥିଲେ। ସ୍ବର୍ଗତ ନନ୍ଦ ନିଜ ଶରୀର ଦାନ କରିଥିବାରୁ ଆସନ୍ତାକାଲି ଭିମ୍‌ସାରରକୁ ତାଙ୍କ ମରଶରୀର ଦିଆଯିବ ବୋଲି ଜଣାପଡ଼ିଛି।

୧୯୩୭ ମସିହା ଡିସେମ୍ବର ୧୪ ତାରିଖ ବଲାଙ୍ଗୀରରେ ତାଙ୍କର ଜନ୍ମ ହୋଇଥିଲା। ବାପା ନାରାୟଣ ନନ୍ଦ ଓ ମା’ ବୃନ୍ଦାବତୀଙ୍କ ପୁଅ ଭାଗବତ ନନ୍ଦଙ୍କ ବଡ଼ଭାଇ ହେଉଛନ୍ତି ପୂର୍ବତନ ସାଂସଦ ନରସିଂହ ନନ୍ଦ ଏବଂ ଶ୍ବଶୁର ପ୍ରଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଦୟାନନ୍ଦ ଶତପଥୀ। ସେ ଏକାଧାରରେ ଜଣେ ଫୁଟବଲ ଖେଳାଳି, ଭୂଦାନ କର୍ମୀ, ରାଜନେତା, କମ୍ପାନି କର୍ମଚାରୀ, ଶ୍ରମିକ ନେତା, ସାମ୍ବାଦିକ ତଥା ଜଣାଶୁଣା ସାମାଜିକ କର୍ମକର୍ତ୍ତା ଥିଲେ। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ସ୍ବର୍ଗତ ନନ୍ଦ ସମ୍ବଲପୁର ଗଂଗାଧର ମେହେର କଲେଜ ବିକମ୍‌ ଛାତ୍ର ଥିବା ସମୟରେ ଆଚାର୍ଯ୍ୟ ହରିହର ଦାସଙ୍କ ଆହ୍ବାନରେ ପ୍ରଭାବିତ ହୋଇ ଭୂଦାନ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୫୬ ମସିହାରେ ସୀମାନ୍ତ ଆନ୍ଦୋଳନରେ ଭାଗ ନେଇ ଜେଲ ଯାଇଥିଲେ। ସେବେଠାରୁ ଖଦଡ଼ ପିନ୍ଧିବା ସହିତ ଗାନ୍ଧୀବାଦୀ ହୋଇଯାଇଥିଲେ। ୧୯୬୩ ମସିହାରେ ବିନୋବା ଭୂଦାନ ଯାତ୍ରା ପାଇଁ ଓଡ଼ିଶା ଆସିଥିବା ସମୟରେ ଭାଗବତ ବାବୁ ତାଙ୍କ ସହିତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ବୁଲିଥିଲେ। ଗୋପବନ୍ଧୁ ଚୌଧୁରୀ, ରମାଦେବୀ, ମାଳତୀ ଦେବୀ, ନବକୃଷ୍ଣ ଚୌଧୁରୀ, କୃପାସିନ୍ଧୁ ହୋତା, ମନମୋହନ ଚୌଧୁରୀ ପ୍ରମୁଖଙ୍କ ସଂସ୍ପର୍ଶରେ ଆସି ସମାଜସେବାରେ ବ୍ରତୀ ହୋଇଥିଲେ। ଏହି ସବୁ ଭିତରେ ସେ ଆଇନ ପାଠ ମଧ୍ୟ ପଢ଼ିଥିଲେ। ଏହାପରେ ୧୯୬୪ ମସିହାରେ ହୀରାକୁଦ ରିରୋଲିଂ ମିଲ୍‌ରେ କାର୍ଯ୍ୟ କରିଥିଲେ। ଏହି ସମୟରେ ଦେଶରେ ଇଂଜିନିୟରିଂ ଓ୍ବେଜ୍‌ ବୋର୍ଡ ଗଠନ ହେଲା। ବୋର୍ଡ ସୁପାରିସ ଲାଗୁ ଦାବିରେ ୧୯୭୧ ମସିହା ହୀରାକୁଦ ଆଲୁମିନିୟମ କମ୍ପାନିରେ ଆନ୍ଦୋଳନ ହୋଇଥିଲା। ଏଥିରେ ନେତୃତ୍ବ ନେବାରୁ ତାଙ୍କ ଚାକିରି ଚାଲିଯାଇଥିଲା। ଏହାପରେ ନନ୍ଦିନୀ ଶତପଥୀଙ୍କ ମୁଖ୍ୟମନ୍ତ୍ରୀ ଥିବାବେଳେ ସେ ତାଙ୍କ ବ୍ୟକ୍ତିଗତ ସହାୟକ ଭାବରେ କାର୍ଯ୍ୟ କରିଥିଲେ। ୧୯୭୭ ମସିହାରେ କଂଗ୍ରେସ ଫର୍‌ ଡେମୋକ୍ରେସି, ୧୯୮୦ ମସିହାରେ କଂଗ୍ରେସ (ୟୁଆର୍‌ଏସ୍‌), ୧୯୮୮ ମସିହାରେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୭ ମସିହାରୁ ପେସାଦାର ସାମ୍ବାଦିକର ଜୀବନ ଆରମ୍ଭ କରିଥିଲେ। ୧୯୮୧ରୁ ୧୯୯୦ ମସିହା ପର୍ଯ୍ୟନ୍ତ ସକ୍ରିୟ ସାମ୍ବାଦିକ ଭାବରେ କାର୍ଯ୍ୟ କରିଛନ୍ତି। ୧୯୭୭ ମସିହାରୁ ବାର୍‌ ଆସୋସିଏସନର ସଦସ୍ୟ ମଧ୍ୟ ଥିଲେ। ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ୍‌ ଆନ୍ଦୋଳନର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଏପରିକି ୮୦ ବର୍ଷରେ କଟକରେ ହାଇକୋର୍ଟ ସମ୍ମୁଖରେ ହୋଇଥିବା ଆଇନଜୀବୀଙ୍କ ଧାରଣାର ସେ ନେତୃତ୍ବ ନେଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଏଥିସହିତ କୋଶଲ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ନିଜର ଲେଖା ତଥା ଆନ୍ଦୋଳନ ମଧ୍ୟରେ ବୁର୍ଲା ବଡ଼ ଡାକ୍ତରଖାନା ଉନ୍ନତି ପାଇଁ ସରକାରଙ୍କୁ ଅବଗତ କରାଇଥିଲେ। ଭିମସାର ପରିଚାଳନା ବୋର୍ଡର ସଦସ୍ୟ ଥିଲେ। ସେ ସମ୍ବଲପୁର ଏବଂ ବଲାଙ୍ଗୀରର ବିଭିନ୍ନ ସଙ୍ଗଠନ ସହିତ ସଂପୃକ୍ତ ଥିଲେ। ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ସେ ସମ୍ବର୍ଦ୍ଧିତ ହୋଇଥିବାବେଳେ ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ।

ସମ୍ବନ୍ଧିତ ଖବର