‘ଭାରତ ବନ୍ଦ’ର ପ୍ରଭାବ : ୧୯ଟି ଟ୍ରେନ୍‌ ସମ୍ପୂର୍ଣ୍ଣ ଓ ୫ଟି ଆଂଶିକ ବାତିଲ୍‌

ଭୁବନେଶ୍ୱର : ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାରା ଦେଶରେ ଅନୁଷ୍ଠିତ ‘ଭାରତ ବନ୍ଦ’ର ପ୍ରଭାବ ରେଳ ଚଳାଚଳ ଉପରେ ପଡ଼ିଛି। ପୂର୍ବତଟ ରେଳପଥ ଅଧୀନରେ ୧୯ଟି ଟ୍ରେନକୁ ସମ୍ପୂର୍ଣ୍ଣ ବାତିଲ୍‌ କରାଯାଇଥିବା ବେଳେ ୫ଟି ଆଂଶିକ ବାତିଲ୍‌ ହୋଇଥିଲା। ୨୪ଟି ଟ୍ରେନ୍‌ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ଗୋଟିଏ ଟ୍ରେନ୍‌ ସମୟକୁ ପୁନଃ ନିର୍ଧାରଣ କରାଯାଇଥିଲା।

ଭୁବନେଶ୍ୱର ସମେତ ପୁରୀ, କଟକ, ଭଦ୍ରକ, ବ୍ରହ୍ମପୁର, ଢ଼େଙ୍କାନାଳ, ସମ୍ବଲପୁର, ଖୋର୍ଧାରୋଡ, ଟିଟିଲାଗଡ଼, ବଲାଙ୍ଗୀର ପ୍ରଭୃତି ୧୬ଟି ଷ୍ଟେସନରେ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକ ହୋଇଥିଲା। ସକାଳ ୫ଟା ୪୫ରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଷ୍ଟେସନଗୁଡ଼ିକରେ ରେଳରୋକ କରାଯାଇଥିଲା। ଭୁବନେଶ୍ୱରରେ ସକାଳ ୫ଟା ୪୫ରୁ ୮ଟା ୨୫ ଓ ପୂର୍ବାହ୍ନ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା ୩୦ ମଧ୍ୟରେ ଦୁଇ ଥର ରେଳ ରୋକ ହୋଇଥିଲା। ଅନ୍ୟ ସମସ୍ତ ଷ୍ଟେସନରେ ଥରେ ଲେଖାଏ ରୋକରୋକ କରାଯାଇଥିଲା। ଯେଉଁଥିପାଇଁ ୨୪ଟି ଟ୍ରେନ୍‌ ବିଭିନ୍ନ ସ୍ଥାନରେ ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଅଟକିଥିଲା।

ବାତିଲ୍‌ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର, କଟକ-ପାରାଦୀପ ପାସେଞ୍ଜର, ପୁରୀ-କଟକ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର, ଭୁବନେଶ୍ୱର-ବିଶାଖପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌, ପାରାଦୀପ-କଟକ ପାସେଞ୍ଜର, କଟକ-ଭଦ୍ରକ-କଟକ ପାସେଞ୍ଜର, ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି, ଖୋର୍ଧାରୋଡ-ନୟାଗଡ଼ ଟାଉନ୍‌-ଖୋର୍ଧାରୋଡ ପାସେଞ୍ଜର, ପାରାଦୀପ-କଟକ-ପାରାଦୀପ ପାସେଞ୍ଜର, ଖୋର୍ଧାରୋଡ଼-ପୁରୀ ପାସେଞ୍ଜର, ପୁରୀ-ଗୁଣୁପୁର ପାସେଞ୍ଜର, ଖୋର୍ଧାରୋଡ-ନୟାଗଡ଼ ଟାଉନ୍‌ ସ୍ୱତନ୍ତ୍ର ଟ୍ରେନ୍‌, ପୁରୀ-ଖୋର୍ଧର୍ା ରୋଡ଼ ପାସେଞ୍ଜର, କଟକ-ପୁରୀ ପାସେଞ୍ଜର, ଭୁବନେଶ୍ୱର-ପଲାସା ପାସେଞ୍ଜର ଓ ୧୧ ତାରିଖ ପାଇଁଁ ପଲାସା-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍‌କୁ ବାତିଲ୍‌ କରାଯାଇଛି।

ସେହିପରି ପୁରୀ-ସାନ୍ତରାଗାଚ୍ଛି ପାସେଞ୍ଜର ସମେତ ପୁରୀ-ତାଳଚେର ପାସେଞ୍ଜର, ପଲାସା-କଟକ-ପଲାସା ପାସେଞ୍ଜର, ପୁରୀ-ପାରାଦୀପ-ପୁରୀ ଇଣ୍ଟରସିଟି ଓ ସାନ୍ତରାଗାଚ୍ଛି-ପୁରୀ ପାସେଞ୍ଜର ଟ୍ରେନ୍‌କୁ ଆଂଶିକ ବାତିଲ୍‌ କରାଯାଇଥିଲା। ଭୁବନେଶ୍ୱରରୁ ଭଦ୍ରକ ପାସେଞ୍ଜର ଦେଢ଼ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରରୁ ଛାଡ଼ିଥିଲା। କୌଣସି ରେଳଷ୍ଟେସନରେ କିଛି ବି ଅପ୍ରିତିକର ପରିସ୍ଥିତି ଉପୁଜି ନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର